ଅନୁଗୋଳ ଜିଲ୍ଲାରେ ଚାଷୀଙ୍କ ବୈରୀ ହାତୀ

 ଅନୁଗୋଳ  ଜିଲା ବାରଗୌଣିଆ ପଞ୍ଚାୟତରେ ଚାଷୀଙ୍କ ସର୍ବସ୍ୱ ଖାଇଗଲେ ହାତୀପଲ। ଲଗାତାର ୩ଦିନ ହେଲା ଶହ ଶହ ଏକର ଜମିରେ ଆଳୁ, ପିଆଜ, କଦଳୀ, କୋବି, ଟମାଟୋ ଆଦି ବିଭିନ୍ନ କିଶମର ପନିପରିବା ଖାଇ ଦଳି ଚକଟି ନଷ୍ଟ କରି ଦେଇଛନ୍ତି। ଫଳରେ ଶତାଧିକ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। 

ବାରଗୌଣିଆ ପଞ୍ଚାୟତରେ ବସବାସ କରନ୍ତି ପ୍ରାୟ ୫ହଜାରରୁ ଅଧିକ ପରିବାର। ଶତକଡା ୯୦ଭାଗ ଲୋକ କେବଳ ଚାଷ ଉପରେ ନିର୍ଭର କରି ଚଳନ୍ତି। ଧାନ ବ୍ୟତୀତ ମକା, ଆଖୁ ଓ ବିଭିନ୍ନ କିଶମର ପନିପରିବା ଓ ଡାଲି ଜାତୀୟ ଫସଲ ଏଠାକାର ମୁଖ୍ୟ ଫସଲ। ଚାଷୀମାନେ ଅମଳ କରି ନିଜେ ଆଖପାଖ ହାଟ ବଜାରକୁ ନେଇ ବିକ୍ରି କରନ୍ତି। ସେଥିରୁହିଁ ସେମାନଙ୍କ ତେଲଲୁଣ ସଂସାର ଚାଲେ। ହେଲେ ଏବେ ବଣୁଆ ହାତୀପଲ ସେମାନଙ୍କ ଜୀବିକା ଉଜାଡ଼ି ଦେଇଛନ୍ତି। ବାରମ୍ବାର ଗାଁ ପାଖକୁ ଆସି ବାଡ଼ି ବଗିଚାରେ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। ଗତ ୩ଦିନ ହେଲା ବିଳମ୍ବିତ ରାତିରେ ୨୦ରୁ ୩୦ଟି ହାତୀ ପଶି ଶହ ଶହ ଏକର ଜମିରେ ପନିପରିବା ଖାଇ ନଷ୍ଟ କରିବା ସହ ଦଳି ଚକଟି ସବୁ କିଛି ଧ୍ବଂସ କରି ଦେଇଛନ୍ତି। ହାତୀପଲ ଚାଲିଯିବା ପରେ ଚାଷୀମାନେ କେବଳ କିଂ କାର୍ତ୍ୟବ୍ୟ ମୁଢ଼ ହୋଇ ନିଜର ଉଜୁଡା ଫସଲକୁ ଦେଖି ଲୁହ ଗଡାଉଛନ୍ତି।

ନିକଟରେ ଥିବା ଜଙ୍ଗଲରୁ ହାତୀପଲ ଆସୁଛନ୍ତି। କିନ୍ତୁ ବନ ବିଭାଗ ପକ୍ଷରୁ ଗାଁ ଚାରିପଟେ ବିଦ୍ୟୁତ ତାରବାଡ଼ ଲଗାଉ ନାହାନ୍ତି କି ଟ୍ରେଞ୍ଚ ଖୋଳୁ ନାହାନ୍ତି। ଏନେଇକି ପଞ୍ଚାୟତର ଚାଷୀମାନେ ବାରମ୍ବାର ବନ ବିଭାଗକୁ ଦାବି ଆପତ୍ତି କରିଛନ୍ତି। ଅନ୍ୟ ପକ୍ଷରେ ବିଳମ୍ବିତ ରାତିରେ ହାତୀପଲ ଆସୁଥିବାରୁ ଲୋକେ ଜାଣି ମଧ୍ୟ ଭୟରେ ଘଉଡାଇବାକୁ ଯାଇ ପାରୁ ନାହାନ୍ତି। ବନ ବିଭାଗ ତରଫରୁ ରାତ୍ରି କାଳୀନ ପେଟ୍ରୋଲିଂ କରି ହାତୀ ଘଉଡାଇବାକୁ କୌଣସି ଉଦ୍ୟମ କରା ଯାଉ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ବନ ବିଭାଗ ଆସୁଛି। ଆକଳନ କରି ନେଉଛି। କିନ୍ତୁ ଯାହା କ୍ଷତି ପୂରଣ ମିଳୁଛି ତାହା ଆଦୌ ଯଥେଷ୍ଟ ନୁହେଁ। ଏହାଛଡା ଯାହାବି ମିଳୁଛି ତାହା ବହୁ ବିଳମ୍ବରେ ମିଳୁଛି। ଏହାକୁ ନେଇ ଚାଷି ମହଲରେ ଅସନ୍ତୋଷ ଦେଖା ଦେଇଛି।ତେଣୁ ବନ ବିଭାଗ ଏଥିପ୍ରତି ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଉଭୟ ହାତୀ ଓ ଚାଷୀଙ୍କ ଜୀବନ ପ୍ରତି ବିପଦ ରହିଛି।

Leave a Reply

Your email address will not be published. Required fields are marked *