କୋଭିଡ ଟୀକା ନେଲେ ମୋଦୀ ଆଉ ନବୀନ .

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀସ୍ଥିତ ,ଏମ୍‌ସ୍‌, କୋଭିଡ୍‌-୧୯ ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି।ଏ ସଂକ୍ରାନ୍ତରେ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ‘ଏମ୍‌ସ୍‌’ରେ କୋଭିଡ୍‌-୧୯ ଟିକାର ପ୍ରଥମ ଡୋଜ୍‌ ନେଲି। କୋଭିଡ୍‌-୧୯ ବିରୋଧରେ ବୈଶ୍ୱିକ ସଂଗ୍ରାମକୁ ସୁଦୃଢ଼ କରିବାରେ ଆମ ଡାକ୍ତର ଓ ବୈଜ୍ଞାନିକମାନେ ଯେଭଳି ଦ୍ରୁତ ବେଗରେ କାର୍ଯ୍ୟ କଲେ ତାହା ଉଲ୍ଲେଖନୀୟ। ଯୋଗ୍ୟ ବିବେଚିତମାନଙ୍କୁ ଟିକା ନେବା ଲାଗି ମୋର ନିବେଦନ। ଚାଲନ୍ତୁ, ସଭିଏଁ ମିଶି ଭାରତକୁ କୋଭିଡ୍‌-୧୯ ମୁକ୍ତ କରିବା!

ସେହିପରି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିଧାନସଭା ପରିସରରେ ଥିବା ଡିସପେନସେରିରେ କୋଭିଡ୍-୧୯ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି। ସେ ଆଜି ସକାଳ ୧୦ଟା ୪୫ ମିନିଟ ସମୟରେ ନବୀନ ନିବାସରୁ ବାହାରି ବିଧାନସଭା ପରିସରରେ ଥିବା ଡିସପେନସେରିରେ ପହଞ୍ଚିଥିଲେ। ସେଠାରେ ସେ ଦିନ ୧୧ଟା ବେଳେ ପ୍ରଥମେ କରୋନା ଟିକା ନେଇଥିଲେ। କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟରତ ନର୍ସ ସ୍ମରଣିକା ରଣସିଂହ ମୁଖ୍ୟମନ୍ତ୍ରୀଙ୍କୁ ଟିକା ଦେଇଥିଲେ। ଟିକା ନେବା ପରେ ତାଙ୍କୁ ଏକାଧିକ ବାର  ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ।  ଏହାପରେ ରାଜ୍ୟ ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଉପବାଚସ୍ପତି ରଜନୀକାନ୍ତ ସିଂ, ବିଧାୟକ ଜିତୁ ମିତ୍ର ଓ ବିଧାୟକ ଭୁପିନ୍ଦର ସିଂ ପ୍ରମୁଖ ସ୍ମରଣୀକା ରଣସିଂହଙ୍କଠାରୁ ଟିକା ନେଇଥିଲେ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଟିକା ଦେବା ପରେ ପ୍ରତିକ୍ରିୟା ରଖି ନର୍ସ ସ୍ମରଣିକା କହିଛନ୍ତି,ଆଜି ମୋ ପାଇଁ ବହୁତ୍ ଗର୍ବର ଦିନ।

Leave a Reply

Your email address will not be published. Required fields are marked *