
ବୟୋଜ୍ୟେଷ୍ଠ ଦିବସ ଉପରେ ଷ୍ଟୋରୀଟିଏ କରିବା ପାଇଁ ସୁପ୍ରିୟା କୁ ପ୍ରସ୍ତାବ ଦେଲେ ଡେସ୍କ ସମ୍ପାଦକ ।କ୍ୟାମେରାମ୍ୟାନ କୁ ଧରି ଜରାନିବାସରେ ପହଁଚିଲା ସୁପ୍ରିୟା। ଅନ୍ତେବାସୀଙ୍କ ଭଲ ଭଲ ଶଟ୍ ନେଇ ସାରିଲା ପରେ କିଛି ବୃଦ୍ଧ/ବୃଦ୍ଧା ଙ୍କ ବାଇଟ୍ ଟିଏ ନେବା ପାଇଁ ପ୍ରସ୍ତୁତ ହେଲା।ତିନି ଦିନ ତଳେ ନୂଆ କରି ଆସିଥିବା ପାର୍ବତୀ ମନ ଉଣାକରି ପିଣ୍ଡାରେ ବସିଥିଲେ। ବୁମ୍ କାଢି ପାର୍ବତୀଙ୍କ ମୁହଁ ପାଖରେ ଲଗେଇ ପ୍ରଶ୍ନ କଲା ସୁପ୍ରିୟା
-ମାଉସୀ ମୁହଁ ଶୁଖେଇ ବସିଛ କାହିଁକି ?କେମିତି ଲାଗୁଛି ଏଠି?
- ନାଇଁ ଝିଅ ! ମନ ଟା’ ଟିକେ ଉଣା ହେଇ ଯାଇଛି।ପୁଅ ମୋର ଘରଟେ କିଣିଛି। ଘର ପ୍ରତିଷ୍ଠା ମୁଣ୍ଡ ଉପରେ ଅଛି। ନୂଆ ଘର ଟା ଦେଖି ସାରିଲା ପରେ ମୋତେ ଆଣି ଛାଡି ଦେଇଥିଲେ ହେଇ ନଥାନ୍ତା? ନୂଆ ଘରେ ଏ ପୁରୁଣା ଲୋକକୁ କିଏ ଆଦର କରୁଛି?କ୍ଷେଭ ର ସହ ପାର୍ବତୀ ଉତ୍ତର ଦେଲେ।
- ଆଛା !! କିଏ ଆଣି ଏଠି ଛାଡି ଦେଇ ଗଲା ….ମାଉସୀ?ପ୍ରଶ୍ନ କଲା ସୁପ୍ରିୟା
- କିଏ ଆଉ !! ମୋ ପୁଅ.. ପା
- ଆଉ କିଛିଦିନ ଗଡେଇ ଦେବାକୁ ପୁଅଙ୍କୁ ଅନୁରୋଧ କଲେନି?ପୁନଃ ପ୍ରଶ୍ନ କଲା ସୁପ୍ରିୟା
- ପୁଅ ‘ଟା ମୋର ବହୁତ ଭଲ ….ହେଲେ ବୋହୁ କଥାଟା ଟାଳି ପାରିନି ,ଉତ୍ତର ରଖିଲେ ପାର୍ବତୀ
- ତେବେ ତୁମ ପୁଅର କଣ ନିଜସ୍ୱ ବୁଦ୍ଧି ନାହିଁ ,ପ୍ରତିବାଦ କରିପାରିଲାନି ? ସାମାନ୍ୟ ଟିକେ ଉଚ୍ଚ ସ୍ୱରରେ ପୁଣି ପ୍ରଶ୍ନ କଲା ସୁପ୍ରିୟା
- ହେଃ ..ମୋ ପୁଅ ଭଲ ..ମୋ ପୁଅ ସୁନାଟା ..ତାର କିଛି ଦୋଷ ନାହିଁ !! ମୋ ପୁଅ ମାଛି କି ‘ମ’ କହେନି।ଶାନ୍ତ ଶିଷ୍ଟ ପିଲା ଟା…ସବୁ ଦୋଷ ସେ ବୋହୁ ର ପା..ସେ ମୋ ପୁଅର କାନ ଭରିଛି !!ପାର୍ବତୀ ମୁହଁ ଲାଲ କରି ଉତ୍ତର ଦେଲେ।
କାଇଁ !! ତୁମ ପୁଅ କଣ ଛୋଟ ପିଲା ହେଇଛି କି? ଏ ପ୍ରଶ୍ନଟି ପଚାରିବ ବୋଲି ପ୍ରସ୍ତୁତ ହେଉଥିଲେ ମଧ୍ୟ ପାର୍ବତୀଙ୍କ କୋହ ଦେଖି ହଠାତ ଚୁପ ରହିଲା ସୁପ୍ରିୟା।
କ୍ୟାମେରା ଅଫ ପାଇଁ ଇଶାରା କରି ଦୋଷ ଓ ନିର୍ଦୋଷ ର ସଂଜ୍ଞା ଖୋଜୁଥିଲା ସେ।
©ସତ୍ୟ ସୁନ୍ଦର ଦାସ
ଅନୁଗୋଳ