ଅନୁଗୋଳ : ଅନୁଗୋଳ ଟାଉନ ଥାନା ଅଧିନସ୍ଥ ଶୁଶୁଡା ଗାଁରେ ଜଘନ୍ୟ ହତ୍ୟାକାଣ୍ଡ। ୮ମାସର ଗର୍ଭବତୀ ଭାଉଜକୁ ଲୁହା ହାତୁଡିରେ ଛେଚି ହତ୍ୟା କଲା ଦିଅର। ହତ୍ୟା ପରେ ଅଭିଯୁକ୍ତ ନିଜେ ଥାନାରେ ଆତ୍ମସମର୍ପଣ। ଏହି ଘଟଣାକୁ ନେଇ ଏବେ ସାରା ସହରରେ ଚଞ୍ଚଲ୍ୟ ଖେଳି ଯାଇଛି।
ବୁଧବାର ସନ୍ଧ୍ୟା ପ୍ରାୟ ୬ଟା। ହଠାତ ସୁବାସ ଭୋଇ ନାମକ ଜଣେ ଯୁବକ ଅନୁଗୋଳ ଟାଉନ ଥାନାରେ ପହଞ୍ଚି ସେ ନିଜେ ନିଜେ ଭାଉଜକୁ ହତ୍ୟା କରିଥିବା କହିଥିଲା। ତା ଠାରୁ ସବୁକିଛି ଶୁଣିବା ପରେ ପୋଲିସ ରାତିରେ ଘଟଣାସ୍ଥଳରେ ପହଞ୍ଚି ଥିଲା । ବାହାରୁ କବାଟ ବନ୍ଦ ଥିଲା। ଭିତରେ ଖଟ ଉପରେ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ପଡିଥିଲା। ମୃତ ମହିଳା ସଂଗୀତା ଭୋଇ ଓ ସେ ଅଭିଯୁକ୍ତ ସୁବାସର ଭାଉଜ ବୋଲି ନିଶ୍ଚିତ ହୋଇଥିଲା ପୋଲିସ। ରାତି ହୋଇ ଯାଇଥିବାରୁ ଆଜି ସକାଳେ ଆରମ୍ଭ ହୋଇଥିଲା ତଦନ୍ତ। ଫୋରେନସିକ ଟିମ ଆସି ତନ ତନ ଯାଞ୍ଚ କରି ଥିଲେ। ପୋଲିସ ତଦନ୍ତ କରି ହତ୍ୟା ପାଇଁ ବ୍ୟବହାର କରିଥିବା ଲୁହା ହତୁଡି ଜବତ କରିଥିଲା। ଅପରାହ୍ନରେ ଶବକୁ ବ୍ୟବଛେଦ ପାଇଁ ପଠାଇ ଥିଲା ପୋଲିସ। ତେବେ ସୁବାସ କାହିଁକି ଭାଉଜକୁ ହତ୍ୟା କଲା ଏବଂ ଏହାର ପ୍ରକୃତ କାରଣ କଣ ତାହା ସ୍ପଷ୍ଟ ଭାବେ ଜଣା ପଡ଼ିନାହିଁ। ସୁବାସର ପ୍ରାଥମିକ ବୟାନ ଅନୁସାରେ ସେଦିନ ଘରେ କେହି ନଥିଲେ। ଭାଉଜ ସହ ସାମାନ୍ୟ ବଚସା ହେବାରୁ ସେ ଲୁହା ହାତୁଡିରେ ମୁଣ୍ଡକୁ ଛେଚି ମରିଦେବା ପରେ ବାହାର ପଟୁ କବାଟ ବନ୍ଦ କରି ସିଧା ଥାନାକୁ ଆସିଥିଲା।
-ମୃତ ସଂଗୀତାର ପରିବାର କହିଲେ ସ୍ୱାମୀ ସୁବାସ ଓ ଶାଶୁ ଶଶୁର। ସକାଳ ହେଲେ ଶାଶୁ ଶଶୁର ଛେଳି ଚରାଇବାକୁ ଯାଆନ୍ତି। ସନ୍ଧ୍ୟା ହେଲେ ଘରକୁ ଫେରନ୍ତି। ସ୍ୱାମୀ ଦିନ ମଜୁରିଆ ହୋଇ ଥିବାରୁ କାମ କରିବାକୁ ବାହାରକୁ ଯାଏ। ଘଟଣା ଦିନ ମଧ୍ୟ ଘରେ କେହି ନଥିଲେ। ସଂଗୀତା ୮ମାସର ଗର୍ଭବତୀ ହୋଇ ଥିବାରୁ ସେ ଘରେ ହିଁ ଥିଲା। ଅଭିଯୁକ୍ତ ସୁବାସ ସେଦିନ ସକାଳୁ ହିଁ ସଂଗୀତା ସହ କୌଣସି କଥାକୁ ନେଇ ଜୀବନରେ ମାରି ଦେବାକୁ ଉଦ୍ୟମ କରିଥିଲା। ଫଳରେ ସଂଗୀତା ସାହିର ଅନ୍ୟ ଜଣଙ୍କ ଘରେ ଲୁଚି ରହିଥିଲା। କିନ୍ତୁ ସନ୍ଧ୍ୟା ହେବାରୁ ପୁଣି ଘରକୁ ଫେରିଥିଲା। ଏହାର ସୁଯୋଗ ନେଇ ହତ୍ୟା କରିଥିଲା। ଏଭଳି ହତ୍ୟାକାଣ୍ଡକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ସଂଗୀତା ବାପ ଘର ଲୋକେ। ତେବେ ପୋଲିସ ସୁବାସକୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି। ତଦନ୍ତ ପରେ ହିଁ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣା
ଜଣେ ଗର୍ଭବତୀ ମହିଳାଙ୍କୁ ଏଭଳି ନିର୍ମମ ହତ୍ୟା ଘଟଣା ଜିଳାରେ ଆଲୋଚନାର ବିଷୟ ହୋଇଛି। ବିବାହର ମାତ୍ର ୧୦ମାସ ବିତିଛି। ସ୍ୱାମୀ ସହ ସଂସାର କରିବା ପୂର୍ବରୁ ତା ଜୀବନଦୀପ ଲିଭି ଯାଇଛି।