ପଞ୍ଚଭୂତ ରେ ଲୀନ ହେଲେ ପ୍ରଜା ଆନ୍ଦୋଳନର ମୁଖ୍ୟ ପୁରୋଧା

 ଅନୁଗୋଳ ଜିଲ୍ଲାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରଜା ଆନ୍ଦୋଳନର ମୁଖ୍ୟ ପୁରୋଧା ବିଛନ୍ଦ ଚରଣ ପ୍ରଧାନଙ୍କର ୧୦୩ ବର୍ଷ ବୟସରେ ପରଲୋକ ହୋଇଯାଇଛି l ସେ ଗତ କିଛି ଦିନ ହେଲା ଅସୁସ୍ଥ ଥିଲେ। ଶୁକ୍ରବାର ଅପରାହ୍ନରେ  ତାଙ୍କ କଂସମୁଣ୍ଡାସ୍ଥିତ ବାସଭବନରେ ପରଲୋକ ହୋଇଛି । ସ୍ବର୍ଗତ ପ୍ରଧାନ ୧୯୧୮ ମସିହା ଫେବୃଆରୀ ୨୦ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ମୃତ୍ୟୁରେ  ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି  । ସେ ଜଣେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀଭାବେ ବେଶ ସୁପରିଚିତ ଥିଲେ । ସେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କ ଶିଷ୍ୟ ଭାବେ ପବିତ୍ର ମୋହନଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେତେବେଳେ ପୋଲିସ ଇନ୍ସପେକ୍ଟର ଚାକିରି ପ୍ରତ୍ୟାଖାନ କରି ସ୍ଵାଧୀନତା ସଂଗ୍ରାମ ତଥା ପ୍ରାଜା ମଣ୍ଡଳ ଆନ୍ଦୋଳନରେ ସାମିଲ ହୋଇଥିଲେ ।

ତାଙ୍କ ମୃତ୍ୟୁ ଖବର ସାଧାରଣରେ ଜଣାପଡିବାପରେ ତାଙ୍କ କଂସମୁଣ୍ଡା ସ୍ଥିତ ବାସଭବନକୁ ଜନ ସାଧାରଣ ସ୍ୱର୍ଗତ ସଂଗ୍ରାମୀଙ୍କ ଶେଷ ଦର୍ଶନ କରିବା ନିମନ୍ତେ  ସୁଅ ଛୁଟି ଥିଲା । ଶନିବାର ଅପରାହ୍ନରେ ତାଙ୍କ ଗାଁ କଂସମୁଣ୍ଡାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଏଥି ପୂର୍ବରୁ ତାଙ୍କ ମର ଶରୀରକୁ ଗାଁ ପରିକ୍ରମା କରା ଯାଇଥିଲା। ପରେ ତାଙ୍କୁ ଗାର୍ଡ ଅଫ ଅନର ଦିଆ ଯାଇଥିଲା। ଓଡିଶା ବିଧାନସଭା ଉପବାଚଷ୍ପତି ରଜନୀକାନ୍ତ ସିଂହ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ପାଲଲହଡା ବିଧାୟକ ମୁକେଶ ପାଲ, ଢେଙ୍କାନାଳ ଏମପି ମହେଶ ସାହୁ ଓ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ଜନସାଧାରଣ ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସ୍ବର୍ଗତ ପ୍ରଧାନ ଅନୁଗୋଳ ଜିଲ୍ଲାର ଶେଷ ସ୍ୱାଧୀନତା ସଂଗ୍ରାମୀ ଥିଲେ। ତାଙ୍କର ବିଯୋଗରେ କେବଳ ଅନୁଗୋଳ ଜିଲା କାହିଁକି ସାରା ଦେଶ ଜଣେ ସଂଗ୍ରାମିଙ୍କୁ ହରାଇଲା।

Leave a Reply

Your email address will not be published. Required fields are marked *