ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାର କେତେକ ଗୁରୁତ୍ବପୂର୍ଣ୍ଣ କଟକଣା ଲାଗୁ କରିଛନ୍ତି। ଛତିଶଗଡ଼ରେ ସଂକ୍ରମଣ ବ୍ୟାପକ ହୋଇଥିବାରୁ ଏହାର ସୀମାକୁ ଲାଗିଥିବା ରାଜ୍ୟର ୧୦ଟି ଜିଲ୍ଲା (ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ନବରଂଗପୁର, ମାଲକାନଗିର, କୋରାପୁଟ)ରେ ଥିବା ସହରାଂଚଳରେ ଲାଗୁ ହୋଇଥିବା ରାତ୍ରିକାଳୀନ କର୍ଫ୍ୟୁର ଅବଧି ବଢ଼ାଇଛନ୍ତି। ଏପ୍ରିଲ ୧୬ ତାରିଖଠାରୁ ସଂଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହା ଲାଗୁ କରାଯାଇଛି। ସେହିପରି ଛତିଶଗଡ଼ ସୀମାକୁ ଲାଗି ଥିବା ୧୦ଟି ଜିଲ୍ଲାରେ ଆସନ୍ତା ଶନିବାରଠାରୁ ୨ ଦିନିଆ ସାପ୍ତାହିକ ସଟ୍ଡାଉନ୍ ଲାଗୁ ହେବ। ଏହି ୧୦ଟି ଜିଲ୍ଲାର ସହରାଂଚଳରେ ଏହା ଲାଗୁ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ସପ୍ତାହର ଶନିବାର ଓ ରବିବାର ଏହି ୧୦ଟି ଜିଲ୍ଲା ପୂର୍ଣ୍ଣ ସର୍ଟଡାଉନ କରାଯିବ।
ସେହିପରି ରାଜ୍ୟର ଅନ୍ୟ ୨୦ଟି ଜିଲ୍ଲାରେ ଥିବା ସହରାଂଚଳରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେବ। ରାଜଧାନୀ ଭୁବନେଶ୍ବର ଓ କଟକ ମଧ୍ୟ ଏହି କଟକଣାର ଅନ୍ତର୍ଭୁକ୍ତ ହୋଇଛି। ଏପ୍ରିଲ ୧୬ ତାରିଖ ଠାରୁ ଏହା ଲାଗୁ ହେବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଘୋଷଣା କରିବା ସହ ଲୋକେ ବାହାରକୁ ଯାଉଥିଲେ ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତ୍ବ ରକ୍ଷା କରନ୍ତୁ ବୋଲି ସମସ୍ତଙ୍କୁ ଅନୁରୋଧ କରିଛନ୍ତି।ତେବେ ରାତ୍ରିକାଳୀନ କର୍ଫ୍ୟୁ ସମୟରେ ଜରୁରୀକାଳୀନ ସେବାକୁ ଅନୁମତି ମିଳିବ। ବିଦ୍ୟୁତ, ସ୍ବାସ୍ଥ୍ୟ, ଜଳଯୋଗାଣ ଏବଂ ଖାଦ୍ୟର ହୋମ ଡେଲିଭରି ଆଦି ସେବା ଜାରି ରହିବ। ଏଥିରେ ନିୟୋଜିତ ଥିବା କର୍ମଚାରୀ ପୁଲିସକୁ ନିଜର ପରିଚୟ ପତ୍ର ଦେଖାଇ ଯାଇପାରିବେ ବୋଲି ମୁଖ୍ୟ ସଚିବ କହିଛନ୍ତି।
ରାତ୍ରିକାଳୀନ କର୍ଫ୍ୟୁ ସମୟରେ ମାଲ ପରିବହନ କରୁଥିବା ଯାନବାହାନ ପୂର୍ବ ଭଳି ଚାଲିବ। ଜନସାଧାରଣଙ୍କ ଗତିକୁ ନିୟନ୍ତ୍ରଣ ପାଇଁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହୋଇଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। । ସେହିପରି ସାମାଜିକ କାର୍ଯ୍ୟକ୍ରମ ଯଥା ବିବାହ ଉତ୍ସବରେ ୫୦ ଜଣ ଓ ଶୁଦ୍ଧି କ୍ରିୟାରେ ୨୦ ଜଣ ଲୋକ ସାମିଲ ହୋଇପାରିବେ। କୋଭିଡ କଟକଣା ସହ କାର୍ଯ୍ୟକ୍ରମ ହେବ। ବିବାହ ତଥା ରାଜନୈତିକ ଶୋଭାଯାତ୍ରାକୁ ଅନୁମତି ମିଳପାରିବ ନାହିଁ। କୌଣସି ସଭା-ସମିତି ହେବ ନାହିଁ। ରାଜନୈତିକ ସମାବେଶ ଓ ରାଲି ମଧ୍ୟ ହେବ ନାହିଁ । ମନ୍ଦିରରେ କେବଳ ରୀତିନୀତି ସହ ପୂଜାର୍ଚ୍ଚନା ହେବ।
ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି ଯେ, ମନ୍ଦିରଗୁଡ଼ିକ କେମିତି ପରିଚାଳିତ ହୋଇପାରିବ ସେ ନିଷ୍ପତ୍ତି ଜିଲ୍ଲାପାଳମାନେ ନେବେ। ଅଟୋ ରିକ୍ସା ଓ ଟ୍ୟାକ୍ସିରେ ଡ୍ରାଇଭରଙ୍କୁ ଛାଡ଼ି ୨ ଜଣ ବସିପାରିବେ। ମୀନାବଜାରରେ ୨୦୦ ଜଣ ଲୋକଙ୍କୁ ଅନୁମତି ମିଳିବ। ଅପେରାରେ ପୂର୍ବରୁ ୨୦୦୦ ଲୋକଙ୍କୁ ଅନୁମତି ମିଳୁଥିଲା। କିନ୍ତୁ ଏବେ ୧୦୦୦ ଲୋକଙ୍କୁ ଅନୁମତି ଦିଆଯାଇଛି। ସିନେମା ହଲ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବ।