ବଡମ୍ବା : ଘରେ ପଶିଲା ଅହିରାଜ । ବହୁ ପରିଶ୍ରମ ପରେ ଉଦ୍ଧାର କଲେ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ । ଉଦ୍ଧାର ପରେ ଅହିରାଜ କୁ ଜଙ୍ଗଲରେ ଛାଡିଲେ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ । ଘଟଣା ଘଟିଛି କଟକ ଜିଲ୍ଲା ବଡ଼ମ୍ବା ଅନ୍ତର୍ଗତ ସାନବରସିଂ ଗାଁରେ । ଗାଁର ପ୍ରଭାକର ପ୍ରଧାନ ଙ୍କ ଘରେ ଜଣେ ସ୍ତ୍ରୀ ଲୋକ ଘର ଅଗଣା ରେ ଏକ ସାପ ଦେଖିଲେ । ସେ କାହାକୁ ଡାକିବା ପୂର୍ବରୁ ସାପଟି ଅଗଣାରେ ପଡିଥିବା କିଛି ପଥର ଭିତରେ ପଶିଗଲା । ଗାଁ ଲୋକ ଯେତେ ଖୋଜା ଖୋଜି କଲେ ଆଉ ସାପକୁ ପାଇନଥିଲେ । ଯେତେବେଳେ ପଥର ଭିତରେ ସାପଟିକୁ ଦେଖିଲେ କେହି କେହି ଏକ କାଠ ବୋଲି ଭାବିଥିଲେ । ତେବେ ଯେତେବେଳେ ସାପ ଟି ହଲ ଚଲ ହେବା ଆରମ୍ଭ କଲା, ସେତେବେଳେ କାଠ ନୁହେଁ ସାପ ବୋଲି ନିଶ୍ଚିତ ହେଲେ ।
ଏତେ ବଡ଼ ସାପକୁ ଏକ ଅଜଗର ସାପ ବୋଲି ଭାବି ସ୍ଥାନୀୟ ବନ ବିଭାଗ କୁ ଖବର ଦେଇଥିଲେ । ବନ କର୍ମଚାରୀ ଘଟଣା ସ୍ଥଳରେ ପହଁଚିଲେ ସତ, ହେଲେ ଅହିରାଜ ସାପ ବୋଲି ଚିହ୍ନି ପାରି ଆଉ ଉଦ୍ଧାର କରିବା ପାଇଁ ସାହସ କୁଳେଇ ପାରିଲେ ନାହିଁ । ଅନ୍ୟ ଉପାୟ ନପାଇ ସ୍ନେକ ହେଲ୍ପ ଲାଇନକୁ ଖବର ଦିଆ ଗଲା । ସାପ ଟି ପଥର ଗଦା ଭିତରେ ବୋଧ ହୁଏ ନିଜର କାତି ଛଡେଇ ବା ପାଇଁ ପଶି ଥିଲା କିନ୍ତୁ ତା ଉପରେ ଏକ ପଥର ରହିଯିବା ହେତୁ ସେ ସେଠାରୁ ଯାଇ ପାରି ନଥିଲା ଓ ସୁ ସୁ ଗର୍ଜ୍ଜନ କରିଥିଲା, କିନ୍ତୁ ତାପରେ ପଥର କାଢି ବହୁ ସତର୍କତା ସହ ସାପ ଟି କୁ ସ୍ନେକ ହେଲ୍ପ ଲାଇନ ର ସଂଯୋଜକ ଲଳିତ ମୋହନ ପଣ୍ଡାଙ୍କ ନେତୃତ୍ୱରେ ଦୃଗା ମାଧବ ମହାପାତ୍ର ସୁଶାନ୍ତ ପାତ୍ର, ଅମିତ ସାହୁ ଓ ସ୍ଥାନୀୟ ଯୁବକ ଶୁଭ୍ରାଂଶୁ ମନ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚି ୧୪ ଫୁଟ ଲମ୍ବର ବିରାଟ ଅହିରାଜ ସାପ କୁ ଉଦ୍ଧାର କରିଥିଲେ । ତେବେ ଶତାଧିକ ଦେଖଣାହାରୀଙ୍କ ଭିଡ଼ ଯୋଗୁଁ ସ୍ନେକ ହେଲ୍ପ ଲାଇନ ଟିମକୁ ନାକେଦମ ହେବାକୁ ପଡିଥିଲା ।
ଏହାପରେ ସ୍ଥାନୀୟ ପ୍ରାଣୀ ଚିକିତ୍ସକଙ୍କ ଦ୍ଵାରା ଅହିରାଜ ସାପଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା, ଏବଂ ସୁସ୍ଥ ଥିବାର ପ୍ରମାଣ ମିଳିବା ପରେ ବଡ଼ମ୍ବା ରେଞ୍ଜ ର ଡେପୁଟି ରେଞ୍ଜର ସରୋଜ କୁମାର ମହାନ୍ତିଙ୍କ ଉପସ୍ଥିତି ରେ ତଳ ଚନ୍ଦ୍ରଗିରି ରିଜର୍ଭ ଫରେଷ୍ଟ ରେ ଛାଡି ଦିଆ ଯାଇଥିଲା ।