ମୂର୍ତ୍ତିଚୋର ଗ୍ୟାଙ୍ଗର ୪ ଗିରଫ, ୩୧ ମୂଲ୍ୟବାନ ମୂର୍ତ୍ତି ଓ ନମ୍ବର ବିହୀନ ବାଇକ୍‌ ଜବତ।

ଯାଜପୁର:ବିଭିନ୍ନ ମନ୍ଦିରରୁ ମୂଲ୍ୟବାନ ମୂର୍ତ୍ତି ଚୋରି କରୁଥିବା ଗ୍ୟାଙ୍ଗ ଙ୍କୁ ଯାଜପୁର ପୁଲିସ ଠାବ କରିଛି। ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୩୧ଟି ମୂର୍ତ୍ତି ଜବତ କରିଛି। ଅଭିଯୁକ୍ତମାନେ ହେଲେ ଅରବିନ୍ଦ କୁମାର ସିଂହ (୪୩), ବାବର ଓରଫ ଜାଭେଦ୍‌ (୪୦), ବିଜୟ ଶୁକ୍ଲା ଓରଫ ପଣ୍ଡିତ (୪୫) ଓ ଶଶୀଧର ନାଏକ (୪୯)। ଅଭିଯୁକ୍ତଙ୍କ ମଧ୍ୟରୁ ପ୍ରଥମ ୩ ଜଣଙ୍କ ଘର ଉତ୍ତର ପ୍ରଦେଶର ହୋଇଥିଲା ବେଳେ ଅନ୍ୟ ଜଣେ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳର ନିବାସୀ ଅ‌ଟନ୍ତି। ଅଭିଯୁକ୍ତମାନଙ୍କ ଠାରୁ ବନ୍ଧୁକ ସହ ଗୁଳି ଓ ମୋବାଇଲ ମଧ୍ୟ ଜବତ ହୋଇଛି। ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଏବେ ବି ଫେରାର ଅଛି।

ପୁଲିସ କହିଛି ଅଭିଯୁକ୍ତମାନେ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରୁ ମୂର୍ତ୍ତି ଚୋରି କରିଥିଲେ। ମୂର୍ତ୍ତିଗୁଡ଼ିକ ବାହାରେ ବିକ୍ରି କରିବାକୁ ଯୋଜନା କରିଥିଲେ। ଗତ ଫେବ୍ରୁଆରି ମାସ ୧୯/୨୦ ତାରିଖରେ ଜୋନାପୁର ପୁଲିସ ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ମନ୍ଦିରରୁ ୪ଟି ମୂର୍ତ୍ତି ଚୋର ହୋଇଥିଲା। ଯାଜପୁର ଟାଉନ ଥାନା ଅନ୍ତର୍ଗତ ରଘୁନାଥ ଜିଉ ମନ୍ଦିରରୁ ଚୋରମାନେ ଫେବ୍ରୁଆରି ୨୦ ତାରିଖ ରାତିରେ ୧୯ଟି ମୂର୍ତ୍ତି ଚୋରି କରିଥିଲେ। ସେହିଭଳି ୨୦୨୨ ନଭେମ୍ବର ୧୧/୧୨ ତାରିଖ ରାତିରେ ଧର୍ମଶାଳା ଅଞ୍ଚଳରେ ଥିବା ସିଦ୍ଧ ବଳଦେବ ଜିଉ ମନ୍ଦିରରୁ ଚୋରି ‌ହୋଇଥିଲା।

ତେବେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ମଧ୍ୟରାତ୍ରିରେ ମୂର୍ତ୍ତି ଚୋରି ହେଉଥିବା ନେଇ ଥାନାରେ ମାମଲା ରୁଜୁ ହୋଇଥିଲା। ମୂର୍ତ୍ତି ଚୋରଙ୍କୁ ଧରିବା ପାଇଁ ପୁଲିସ ସ୍ବତନ୍ତ୍ର ଟିମ୍‌ ଗଠନ କରିଥିଲା। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା। ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୩୧ଟି ମୂର୍ତ୍ତି ଓ ନମ୍ବରବିହୀନ ଏକ ବାଇକ୍‌ ଜବତ କରିଛି।

Leave a Reply

Your email address will not be published. Required fields are marked *