ଆକାଶ ରୁ ବର୍ଷୁଛି ନିଆଁ : ୪୪ଡ଼ିଗ୍ରୀ ଛୁଇଁଲା ପାରା ,ବୌଦ୍ଧ ସବୁଠୁ ଉତ୍ତପ୍ତ

ଭୁବନେଶ୍ବର : ସାରା ରାଜ୍ୟରେ ତାତିର ପ୍ରକୋପ ଜାରି ରହିଛି। ଅସହ୍ୟ ତାତି ଯୋଗୁଁ ରାଜ୍ୟବାସୀ କଲବଲ ହେଉଛନ୍ତି। ସକାଳ ୮ ଟାରୁ ସୂର୍ଯ୍ୟଙ୍କ ପ୍ରଖର କିରଣ ଆରମ୍ଭ ହୋଇଯାଉଛି। ଦିନତମାମ ଟାଣ ଖରାରେ ଭାଜି ହେଉଥିବା ଲୋକେ ରାତିରେ ବି ତାତିରୁ ନିସ୍ତାର ପାଉ ନାହାନ୍ତି। ଅନ୍ୟପଟେ ଏଭଳି ସ୍ଥିତି ଆସନ୍ତାକାଲି ମଧ୍ୟ ରହିବ। ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ସ୍ଥିତି ଏଭଳି ରହିବା ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିପାରେ। କାଳବୈଶାଖୀ ପ୍ରଭାବରୁ ତାପମାତ୍ରା ଟିକେ ହ୍ରାସ ପାଇପାରେ। କିନ୍ତୁ ୨୫ ତାରିଖରୁ ପୁଣି ବଢ଼ିବ ପାରଦ।ସେପଟେ ଆଜି ତାତି ସବୁ ରେକର୍ଡ ଭାଙ୍ଗି ଦେଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ପାରଦ ୪୪ ଡ଼ିଗ୍ରୀ ଛୁଇଁଯାଇଛି। ୪୪.୩ ଡିଗ୍ରୀ ସହ ଆଜି ବୌଦ୍ଧ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ହୋଇଥିବା ବେଳେ ୪୪.୨ ଡିଗ୍ରୀ ସହ ବାରିପଦାର ତାପମାତ୍ରା ଦ୍ୱିତୀୟ ସର୍ବାଧିକ ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ରାଜ୍ୟର ୩୨ ସହରରେ ୪୦ ଡ଼ିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ୧୦ ସହରରେ ୪୩ ଡ଼ିଗ୍ରୀ ଅଧିକ ତାପମାତ୍ରା ରେକର୍ଡ ହୋଇଛି।

ଅନ୍ୟପଟେ ୨୦ ତାରିଖ ପାଇଁ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ନୂଆପଡ଼ା, ଅନୁଗୁଳ, ନୟାଗଡ଼, ମୟୂରଭଞ୍ଜ, ବୌଦ୍ଧ ଓ କେନ୍ଦୁଝର ଜିଲ୍ଲା ପାଇଁ ‌ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଆସନ୍ତାକାଲି ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ। ୧୯ ଓ ୨୦ ତାରିଖରେ ଦିନ ତାପମାତ୍ରା ଶିଖର ଛୁଇଁବ। କେତେକ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଡେଇଁପାରେ। ଗ୍ରୀଷ୍ମ ପ୍ରବାହରୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ୬ ଡିଗ୍ରୀ ଅଧିକ ରହିବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *