ଭୁବନେଶ୍ବର : ଓଡ଼ିଶାରେ ନିଯୁକ୍ତି କ୍ଷେତ୍ରରେ ନୂଆ ରେକର୍ଡ । ଏକାଥରେ ନିଯୁକ୍ତି ପାଇଲେ ୬ ହଜାର ୧୩୧ ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ । 5T ଉପକ୍ରମରେ ହାଇସ୍କୁଲ ରୂପାନ୍ତରଣରେ ଭିତ୍ତିଭୂମିର ବିକାଶ ପରେ ଏବେ ଶିକ୍ଷକ ନିଯୁକ୍ତିକୁ ରାଜ୍ୟ ସରକାର ଗୁରୁତ୍ଵ ଦେଇଛନ୍ତି। ସୁଦୃଢ଼ ହୋଇଛି ଭିତ୍ତିଭୂମି ଏବଂ ଗୁଣାତ୍ମକ ଶିକ୍ଷା ପାଇଁ ପ୍ରସ୍ତୁତ ହୋଇଛି ଉନ୍ନତ ଶୈକ୍ଷିକ ପରିବେଶ। କେବଳ ଭିତ୍ତିଭୂମି ନୁହଁ, ଉନ୍ନତ ଶିକ୍ଷା ପାଇଁ ଆବଶ୍ୟକ ଶିକ୍ଷକ ଲାଗି ମଧ୍ୟ ଗଣଶିକ୍ଷା ବିଭାଗ ଏକକାଳୀନ ୬୧୩୧ ହଜାରରୁ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରିଛି। କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି।
ଆଜି ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ନବନିଯୁକ୍ତ ୬ ହଜାର ୧୩୧ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଲାଗି ଆଜି ଭୁବନେଶ୍ୱରରେ ଓରିଏଂଟେସନ କାର୍ଯ୍ୟକ୍ରମ ହେଉଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ଏହି ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିକ୍ଷକମାନଙ୍କୁ ଦିଗଦର୍ଶନ ଦେଇଛନ୍ତି। ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ନବନିଯୁକ୍ତ ଶିକ୍ଷକମାନଙ୍କୁ ଗୁରୁମନ୍ତ୍ର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଉତ୍ସାହିତ କରିବା ସହ ଓଡ଼ିଶାକୁ ଆଗକୁ ବଢାଇବା ପାଇଁ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ବଡ ଭୂମିକା ରହିଛି। ଗୁରୁ ହେଉଛନ୍ତି ଭବିଷ୍ୟତର ମାର୍ଗଦର୍ଶକ । ମୋ ସରକାର ଶିକ୍ଷାର ଉନ୍ନତିକରଣରେ ପ୍ରତିଶ୍ରୁତିବଦ୍ଧ। ଏଣୁ ଆପଣମାନେ ଶିକ୍ଷାର ବିତରଣ କରି ରାଜ୍ୟକୁ ଆଗକୁ ନେବା ସହ ଏକ ବିକଶିତ ରାଜ୍ୟରେ ପରିଣତ କରିବ ବୋଲି କହିଛନ୍ତି।

ଏହି ଅବସରରେ ପୂର୍ବତନ ରାଷ୍ଟ୍ରପତି ଡଃ ଏ.ପି.ଜେ ଅବଦୁଲ କାଲାମଙ୍କ ବକ୍ତବ୍ୟକୁ ଉଦ୍ଧୃତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷା ଭଳି ଏକ ମହାନ ବୃତ୍ତିକୁ ଗ୍ରହଣ କରିଥିବାରୁ ଶିକ୍ଷକମାନଙ୍କୁ ଧନ୍ୟବାଦ। ଆମ ପିଲାଙ୍କ ମଧ୍ୟରେ ପ୍ରତିଭାର ଅଭାବ ନାହିଁ। ସେମାନଙ୍କ ପ୍ରତିଭାକୁ ଦେଶ-ବିଦେଶରେ ପହଞ୍ଚାଇବାକୁ ସରକାର ଚେଷ୍ଟିତ। ଏଥିପାଇଁ 5T ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଜରିଆରେ ଅତ୍ୟାଧୁନିକ ସୁବିଧା ଯୋଗାଇ ଦିଆ ଯାଉଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପିଲାମାନେ ହେଉଛନ୍ତି ଅନନ୍ତ ସମ୍ଭାବନାର ପ୍ରତୀକ । ସେମାନଙ୍କ ମଧ୍ୟରେ ନୂଆ ଆଶା ଜାଗ୍ରତ କରିବା, ସେମାନଙ୍କର କଳ୍ପନାକୁ ଶକ୍ତି ଦେବା ଏବଂ ଅଧ୍ୟୟନ ପ୍ରତି ଆଗ୍ରହ ସୃଷ୍ଟି କରିବାରେ ଶିକ୍ଷକମାନେ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସୃଜନୀଶକ୍ତିର ବିକାଶ ତଥା ଆତ୍ମବିଶ୍ବାସ ବୃଦ୍ଧି ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ.

ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କୁ ରାଜ୍ୟର ବିଭିନ୍ନ ରୂପାନ୍ତରିତ ବିଦ୍ୟାଳୟଗୁଡ଼ିକରେ ନିଯୁକ୍ତ କରାଯିବ । କଟକରେ ସର୍ବଧୂକ ୪୩୮ଜଣ ଶିକ୍ଷକ ନିଯୁକ୍ତି ପାଇ ଥିବାବେଳେ ସୁନ୍ଦରଗଡ଼ ଓ ଗଞ୍ଜାମରେ ୩୯୧, ମୟୂରଭଞ୍ଜ ୩୮୨, କେନ୍ଦୁଝର ୩୫୬ ଜଣ ଓ ଦେବଗଡ଼ରେ ସର୍ବନିମ୍ନ ୩୨ ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ଏକାଥରେ ୧୧ ହଜାର ୪ ଶହ ଶିକ୍ଷକ ନିଯୁକ୍ତି ଯୋଜନା ଥିଲା । କିନ୍ତୁ ସଂରକ୍ଷିତ ବର୍ଗରେ ଉତ୍ତୀର୍ଣ୍ଣ ହୋଇନଥିବାରୁ ବଳକା ୪ହଜାର ୪ଶହ ପଦବୀ ସପ୍ତାହକ ମଧ୍ୟରେ ପୂରଣ ହେବ । ଏବର୍ଷ ୧୬ହଜାର ଶିକ୍ଷକ ନିଯୁକ୍ତି ପାଇଁ ବିଭାଗ ଲକ୍ଷ୍ୟ ରଖିଛି ।
ଏଥି ସହିତ କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା କ୍ରୀଡା ଭିତ୍ତିଭୂମିର ଉଦଘାଟନ ହେବା ସହ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । ଏହି ଅବସରରେ କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନୂତନ କ୍ରୀଡା ଛାତ୍ରାବାସ ଓ ବିଜୁ ପଟ୍ଟନାୟକ ଭରାଉତ୍ତୋଳନ ହଲକୁ ଉଦଘାଟନ କରିଛନ୍ତି। ଏହସହ ୮୯ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। କେବଳ ଏତିକି ନୁହେଁ କଳିଙ୍ଗ ଷ୍ଟାଡିୟମରୁ ରହି ଭିଡ଼ିଓ କନଫରେନ୍ସି ମାଧମରେ ରାଉରକେଲାର ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ, ଅନୁଗୁଳ ଓ ବାରିପଦାର ସୁଇମିଙ୍ଗ ପୁଲକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।