ଅନୁଗୋଳରେ ପହଞ୍ଚିଲା ଲାଇଫ ଲାଇନ ଏକ୍ସପ୍ରେସ । ଆସନ୍ତା ୧୫ ତାରିଖରୁ ୩୦ ତାରିଖ ଯାଏଁ ଲୋକେ ପାଇବେ ମାଗଣା ଚିକିତ୍ସା ସୁବିଧା ।

ଅନୁଗୋଳ: ଭାରତ ତଥା ସାରା ବିଶ୍ୱର ପ୍ରଥମ ହସପିଟାଲ ଇନ ଟ୍ରେନ ଏବେ ଅନୁଗୋଳରେ। ଆସନ୍ତା ୧୫ତାରିଖରୁ ୩୦ତାରିଖ ପର୍ଯ୍ୟନ୍ତ ଏହି ଟ୍ରେନ ଅନୁଗୋଳ ଷ୍ଟେସନରେ ରହିବ। ଏହି ଟ୍ରେନ ଭିତରେ ଅତ୍ୟାଧୁନିକ ଅସ୍ତ୍ରୋପଚାର ଯନ୍ତ୍ରପାତି ରହିଛି। ଦେଶର କୋଣ ଅନୁକୋଣରୁ ଅଭିଜ୍ଞ ଡାକ୍ତର ମାନେ ଆସି ରୋଗୀଙ୍କୁ ଚିକିତ୍ସା କରିବା ଏବଂ ଅସ୍ତ୍ରୋପଚାର କରିବା ବ୍ୟବସ୍ଥା ରହିଥିବାରୁ ଏହାକୁ ଲାଇଫ ଲାଇନ ଏକ୍ସପ୍ରେସ କୁହା ଯାଉଛି। ସମ୍ପୁର୍ଣ୍ଣ ମାଗଣାରେ ଚିକିତ୍ସା କରାଯିବା ସହ ଆବଶ୍ୟକ ଉପକରଣ ଏବଂ ଔଷଧ ଯୋଗାଇ ଦିଆ ଯିବା ବ୍ୟବସ୍ଥା ମଧ୍ୟ ରହିଛି। ତେଣୁ ଜିଲ୍ଲାବାସୀ ଏହାର ସୁଯୋଗ ନେବାକୁ ଅନୁରୋଧ କରିଛି ଏହାର ପରିଚାଳନା ସଂସ୍ଥା ଇମ୍ପାକ୍ଟ ଇଣ୍ଡିଆ ଫାଉଣ୍ଡେସନ।

ସାରା ଦେଶରେ ଦୁର୍ଗମ ଏବଂ ଅପହଞ୍ଚ ଅଞ୍ଚଳର ଗରିବ ରୋଗୀ ମାନଙ୍କୁ କିଭଳି ଚିକିତ୍ସା ଯୋଗାଇ ଦିଆ ଯାଇ ପାରିବ ସେଥିପାଇଁ ଇମ୍ପାକ୍ଟ ଇଣ୍ଡିଆ ଫାଉଣ୍ଡେସନ ସଂସ୍ଥା ତରଫରୁ ଗତ ୧୯୮୪ ଠାରୁ ଉଦ୍ୟମ ଆରମ୍ଭ କରାଯାଇଛି। ତେବେ ଏହି ସେବାକୁ ଆହୁରି ତ୍ୱରାନ୍ୱିତ ତଥା ପର୍ଯ୍ୟାପ୍ତ କରିବା ପାଇଁ ସଂସ୍ଥା ପକ୍ଷରୁ ଗତ ୧୯୯୧ରେ ତତ୍କାଳୀନ ରେଳ ମନ୍ତ୍ରୀଙ୍କୁ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗାଇ ଦେବାକୁ ଅନୁରୋଧ କରା ଯାଇଥିଲା। ସେବେ ଠାରୁ ସଂସ୍ଥାକୁ ୭ଟି ବଗି ଥିବା ଏକ ଟ୍ରେନ ରେଳ ବିଭାଗ ତରଫରୁ ମିଳିଛି। ସେହି ଟ୍ରେନ  ଭିତରେ ୨ଟି ଅସ୍ତ୍ରୋପଚାର ବଗି ଅଛି। ଯେଉଁଠି ଆଖି, କାନ, ଗୋଡ଼, ହାତ ଓ ମହିଳାଙ୍କ ବିଭିନ୍ନ ରୋଗର ଅସ୍ତ୍ରୋପଚାର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ଅତ୍ୟାଧୁନିକ ଯନ୍ତ୍ରପାତି ଅଛି। ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର ଓ ଅନ୍ୟାନ୍ୟ ସ୍ଥାନରୁ ଅଭିଜ୍ଞ ଡାକ୍ତରମାନେ ଆସି ଅସ୍ତ୍ରୋପଚାର କରୁଛନ୍ତି। ଏହି ସେବା ସମ୍ପୂର୍ଣ୍ଣ ମାଗଣାରେ କରା ଯାଉଛି। ଏଥିପାଇଁ ଦେଶରେ ଥିବା ବଡ଼ ବଡ଼ ଶିଳ୍ପ ଅନୁଷ୍ଠାନ ମାନେ ସେମାନଙ୍କ ପାରିପର୍ଶ୍ଵକ ଉନ୍ନୟନ ପାଣ୍ଠିରୁ ବ୍ୟାପକ ଅର୍ଥ ଯୋଗାଇ ଦେଉଛନ୍ତି। କେନ୍ଦ୍ର ସରକାର ମଧ୍ୟ ପାର୍ଟନର ଭାବେ ରହିଛନ୍ତି। ବିଭିନ୍ନ ରାଜ୍ୟ ସରକାରଙ୍କ ସହଯୋଗରେ ସଂସ୍ଥା ବିଭିନ୍ନ ସ୍ଥାନକୁ ଯାଇ ସେବା ଯୋଗାଇ ଦେଉଛନ୍ତି। ଟ୍ରେନ ଗୋଟିଏ ସ୍ଥାନରେ ପହଞ୍ଚିବା ପରେ ସଂସ୍ଥାର ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଗାଡ଼ିରେ ଯାଇ ଗୁରୁତର ରୋଗୀ ମାନଙ୍କୁ ଟ୍ରେନ ପର୍ଯ୍ୟନ୍ତ ଆଣିବାର ବ୍ୟବସ୍ଥା କରିଛନ୍ତି। ସେହିପରି ଗୋଟିଏ ଲେଖାଏଁ ବଗିରେ ଦାନ୍ତ ସମ୍ପର୍କୀୟ ରୋଗର ଚିକିତ୍ସାଳୟ, ମହିଳା ଓ ପ୍ରସୂତି ରୋଗର ଚିକିତ୍ସାଳୟ, ପରୀକ୍ଷାଗାର, ଆଉଟ ଡୋର ଆଦି ରହିଛି। ସଂସ୍ଥାର କର୍ମକର୍ତା ମାନେ ଗାଁ ଗାଁ ବୁଲି ଲାଇଫ ଲାଇନ ଏକ୍ସପ୍ରେସ ସମ୍ପର୍କରେ ସୂଚନା ଦେଉଛନ୍ତି। ତେଣୁ ନିଶ୍ଚିତ ଭାବେ ଏହା ସାଧାରଣ ଗରିବ ରୋଗୀଙ୍କ ପାଇଁ ଉପଯୋଗୀ ହୋଇ ପାରିବ ବୋଲି ଆଶା କରା ଯାଉଛି।

ଏଭଳି ଏକ ସ୍ୱତନ୍ତ୍ର ଟ୍ରେନ ଆଜି ଆସି ପହଞ୍ଚିଛି ଅନୁଗୁଳ ଷ୍ଟେସନରେ। ଆସନ୍ତା ୧୫ତାରିଖରୁ ଏଠାରେ ଆରମ୍ଭ କରାଯିବ ରୋଗୀ ଚିକିତ୍ସା। ଅଧିକ ସଂଖ୍ୟକ ରୋଗୀ ଆସିବାର ସମ୍ଭାବନା ଥିବାରୁ ସଂସ୍ଥା ତରଫରୁ ଅନୁଗୁଳ ସହରରେ ଥିବା ଏକ କଲ୍ୟାଣ ମଣ୍ଡପ ଏବଂ ରେଳ ଷ୍ଟେସନରେ ଥିବା ଏକ କନଫେରେନ୍ସ ହଲକୁ ନିଆ ଯାଇଛି। ସେଠାରେ ପ୍ରଥମେ ରୋଗୀ ମାନେ ଆସି ନିଜର ନାମ ପଞ୍ଜିକୃତ କରିବେ । ସେଠାରେ ଉପସ୍ଥିତ ଥିବା ଡାକ୍ତରମାନେ ରୋଗୀର ଅବସ୍ଥା ଦେଖି ଅସ୍ତ୍ରୋପଚାର କରିବାକୁ ଟ୍ରେନ ଭିତରକୁ ପଠାଇବେ। ଅନୁଗୁଳ ଜିଲ୍ଲା ମୁଖ୍ୟ ଚକିତ୍ସାଳୟ ସହ ମଧ୍ୟ ଯୋଗାଯୋଗ କରାଯାଇଛି। ଅସ୍ତ୍ରୋପଚାର ପରେ ରୋଗୀ ଅଧିକ ଦିନ ରହିବାର ଆବଶ୍ୟକ ପଡ଼ିଲେ  ସେଠାରେ ରହିବେ। ସଂସ୍ଥାର ୩ଟି ଅତ୍ୟାଧୁନିକ ଆମ୍ବୁଲାନ୍ସ ରହିଛି। ରୋଗୀ ମାନଙ୍କୁ ନେବା ଆଣିବା କରିବାରେ ସେଗୁଡିକ ବ୍ୟବହାର କରାଯିବ। ତେଣୁ ଏଭଳି ଏକ ହସ୍ପିଟାଲ ଇନ ଟ୍ରେନ ପ୍ରଥମ ଥର ପାଇଁ ଅନୁଗୁଳରେ ପହଞ୍ଚିଥିବାରୁ ଗାଁ ଗହଳରେ ଗରିବ ରୋଗୀ ମାନଙ୍କ ପାଇଁ ଆଶାର ସଞ୍ଚାର ଦେଖା ଯାଇଛି। ଯେଉଁ ମାନେ ବଡ଼ ବଡ଼ ଅସ୍ତ୍ରୋପଚାର ପାଇଁ ଅର୍ଥ ଅଭାବରୁ ବାହାରକୁ ଯାଇ କରି ପାରୁ ନଥିଲେ ସେମାନେ ଏହାର ସୁଯୋଗ ନେଇ ପାରିବେ।

ଟ୍ରେନ ଭିତରେ ଅତ୍ୟାଧୁନିକ ହସ୍ପିଟାଲ ସାରା ବିଶ୍ୱରେ ପ୍ରଥମ। ଏହାକୁ ଦେଖି ରୁଷିଆ ଭଳି ଅନ୍ୟ କେତେକ ଦେଶ ଏଭଳି କରିବାକୁ ନିଷ୍ପତ୍ତି ନେଇଥିବା ଇମ୍ପାକ୍ଟ ଇଣ୍ଡିଆ ଫଉଣ୍ଡେସନର କର୍ମକର୍ତା ସୂଚନା ଦେଇଛନ୍ତି। ଏହାର ଉପକାରୀତା ଦେଖି ଭାରତୀୟ ରେଳ ବିଭାଗ ଆଗାମୀ ଦିନରେ ଆହୁରି ଅଧିକ ବଗି ଥିବା ଟ୍ରେନ ଯୋଗାଇ ଦେବାକୁ ନିଷ୍ପତି ନେଇଛି।

Leave a Reply

Your email address will not be published. Required fields are marked *