ଅନୁଗୋଳ: ଅନୁଗୋଳ ସହରରେ ଦିନକୁ ଦିନ ବଢୁଛି ଲୁଟେରାଙ୍କ ଆତଙ୍କ । କି ଦିନ କି ରାତି ଲୁଟେରା ଚଳାଇଛନ୍ତି ସେମାନଙ୍କ ଆତଙ୍କ । ଅନେକଙ୍କ ମତରେ ସହରରେ ଏବେ ସୃଷ୍ଠୀ ହୋଇଛି ଏକ ଗ୍ୟାଙ୍ଗ । କାରଣ କିଛି ଦିନ ହେବ ସହରରେ ସ୍ପଷ୍ଟ ଦିବାଲୋକରେ ବିଭିନ୍ନ ବାହାନା ଦେଖାଇ ଲୁଟେରା ଚଳାଇଛନ୍ତି ସେମାନଙ୍କ ଆତଙ୍କ ରାଜ । ଅନେକ ସମୟରେ ମହିଳାଙ୍କ ଠାରୁ ସୁନା ଚେନ ଝାମ୍ପି ନେବାସହ ଲୋକଙ୍କ ଠାରୁ ଟଙ୍କା, ସୁନା ଗହଣା ଆଦି ଲୁଟି ପଳାଉଛନ୍ତି ଲୁଟେରା । ସହର ମଧ୍ୟରେ ଅନେକ ଥର ଏଭଳି ଘଟଣା ଘଟୁଥିଲେ ବି ପୁଲିସ ହାତ ଏଯାଏଁ ଖାଲି ।
ଲୁଟେରା ମାନେ ସୁଯୋଗ ପାଇବା ମାତ୍ରେ ବୟସ୍କ ଓ ମହିଳାଙ୍କୁ ଟାର୍ଗେଟ୍ କରି ଚଳାଇଛନ୍ତି ଲୁଟ ତରାଜ । ବାରମ୍ବାର ଅନୁଗୋଳ ଥାନା ଅଞ୍ଚଳ ରେ ଏଭଳି ଲୁଟ ଘଟୁଥିଲେ ମଧ୍ୟ ପୋଲିସ କେବଳ ମାମଲା ରୁଜୁ କରିବା ବ୍ୟତୀତ ଏହାକୁ ରୋକିପାରୁ ନ ଥିବା ଲୋକେ ଅଭିଯୋଗ କରିଛନ୍ତି । କିଛି ଦିନ ତଳେ ଅନୁଗୋଳ ଜେଲ ଛକ ଠାରେ ଜଣେ ବ୍ୟକ୍ତିଙ୍କୁ ଭୁଲାଇ ଦେଖାଇ ଟଙ୍କା, ସୁନା ମୁଦି ଓ ଚେନ ଥିବା ବ୍ୟାଗ ଧରି ଫେରାର ହୋଇଯାଇଥିଲେ ସେହିଭଳି ହନୁମାନ ବଜାର ଠାରେ ଜଣେ ମହିଳାଙ୍କ ବେକରୁ ମଙ୍ଗଳସୂତ୍ର ମଧ୍ୟ ଝାମ୍ପି ନେଇଥିଲେ ଲୁଟେରା ଗ୍ୟାଙ୍ଗ ର ସଦଶ୍ୟ ମାନେ । ସେହିଭଳି ଆଠମଲ୍ଲିକ ରୁ ଅନୁଗୋଳ ଆସିଥିବା ଜଣେ ମହିଳାଙ୍କୁ କାଞ୍ଚନ ଟକିଜ୍ ନିକଟରେ ଲକ୍ଷାଧିକ ଟଙ୍କାର ସୁନା ଓ ଟଙ୍କା ଲୁଟିବାରେ ସକ୍ଷମ ହୋଇଥିଲେ ଏହି ଲୁଟେରା ମାନେ । ସହରରେ ବିଭିନ୍ନ କଲୋନୀ ଓ ସାହି ଗୁଡିକରେ ପ୍ରାତଃଭ୍ରମଣ କରୁଥିବା କିମ୍ବା ଫୁଲ ତୋଳୁଥିବା ମହିଳା, ବୟସ୍କଙ୍କଠାରୁ ସୁନା ଚେନ, କାନଫୁଲ ଆଦି ଝାମ୍ପି ନେଉଛନ୍ତି। ସେହିପରି ଗ୍ୟାଙ୍ଗର ସଦଶ୍ୟ ମାନେ ମୋଟର ସାଇକେଲଗୁଡ଼ିକୁ ଟାର୍ଗେଟ୍ କରି ଚୋରି କରୁଥିବା ମଧ୍ୟ ବିଭିନ୍ନ ସମୟରେ ଥାନା ରେ ଅଭିଯୋଗ ହୋଇଆସୁଛି ।