ଆରପାରିରେ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି ।

ଭୁବନେଶ୍ବର: ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି ଆଉ ନାହାନ୍ତି। ଆଜି ଭୋର ୫ଟା ସମୟରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବାର ସୂଚନା ମିଳିଛି। ମୃତ୍ୟୁ ବେଳକୁ ଅମରେନ୍ଦ୍ର ମହାନ୍ତିଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ଓଲିଉଡରେ ସେ ‘ବୁଲୁ’ ନାଆଁରେ ଅଧିକ ଲୋକପ୍ରିୟ ଥିଲେ।
ଅମରେନ୍ଦ୍ର ଆକାଶବାଣୀରୁ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାପରେ ସେ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ। ‘ଶ୍ରଦ୍ଧାଞ୍ଜଳି’ ଥିଲା ତାଙ୍କ ସ୍ବରାରୋପିତ ପ୍ରଥମ ଓଡ଼ିଆ ଛବି। ଏହାପରେ ସେ ସୁନା ପଞ୍ଜୁରୀ, ଭାଇ ହେଲା ଭଗାରି, ବସୁଧା, ଅଣ୍ଟି ଛୁରି ତଣ୍ଟି କାଟେ, ସିଂହବାହିନୀ, ପବିତ୍ର ବନ୍ଧନ, ହେ ସଖା, ପ୍ରେମ ଅଲଗା ପ୍ରକାର, ଏବଂ ରଙ୍ଗ ବରଷିବ ଟୁପୁରୁ ଟାପୁରୁ ଆଦି ସମେତ କେତେକ ଓଡ଼ିଆ ଛବିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ସେ ଜଣେ ଗାୟକ ମଧ୍ୟ।
ତାଙ୍କ ସ୍ବରାରୋପିତ ଚଳଚ୍ଚିତ୍ର ଗୀତ ଭିତରେ ପୁଚୁକି ଗାଲି ଫେସନବାଲି….( ସୁନା ପଞ୍ଜୁରୀ), ଏଇ ମନ୍ଦିର ସାକ୍ଷୀ ଏଇ ସିନ୍ଦୂର ସାକ୍ଷୀ…( ଅଣ୍ଟି ଛୁରି ତଣ୍ଟି କାଟେ), ପତର ପତର ପାନ ପତର…(ବସୁଧା), ମୁଁ ବି ଦିନେ ଷ୍ଟାର୍ ହେବି…(ଭାଇ ହେଲା ଭଗାରି) ଆଦି ତାଙ୍କୁ ଅଧିକ ପରିଚିତ କରାଇଥିଲା।
ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ଅକାଳ ବିୟୋଗରେ ସିନେ ଓ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।

Advertisement

Leave a Reply

Your email address will not be published. Required fields are marked *