ଓଡ଼ିଶା ପହଞ୍ଚିଲେ ଗୃହମନ୍ତ୍ରୀ ଅମିତ ଶାହା; ଆସନ୍ତାକାଲି ଭୁବନେଶ୍ବର-କଟକରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ

ଭୁବନେଶ୍ବର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସି ଆଜି ରାତିରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ଶ୍ରୀ ଶାହା ନୂଆଦିଲ୍ଲୀରୁ ବିମାନରେ ଆସି ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚିବା ପରେ ଅମିତ ଶାହାଙ୍କୁ ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତାମାନେ ସ୍ବାଗତ ଜଣାଇଛନ୍ତି। ଏହି ଅବସରରେ ଶ୍ରୀ ଶାହାଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଛନ୍ତି। ଅମିତ ଶାହା ବିମାନବନ୍ଦରରୁ ସିଧାସଳଖ ହୋଟେଲ ମେ’ ଫାୟାରକୁ ଯାଇଛନ୍ତି। ସେ ମେ’ ଫାୟାରରେ ଆଜି ରାତ୍ରିଯାପନ କରିବେ। ଅମିତ ଶାହା ଆସନ୍ତାକାଲି ଭୁବନେଶ୍ବର ଓ କଟକରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥି ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଅମିତ ଶାହା ଅଗଷ୍ଟ ୮ ତାରିଖରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରି‌ବେ। ଏହାପରେ ତାଙ୍କର କଟକରେ ନେତାଜୀଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ୮ ତାରିଖ ପୂର୍ବାହ୍ନ ୧୧ଟାରେ କଟକର ଇନଡୋର୍ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଦୈନିକ ଖବର କାଗଜ ପ୍ରଜାତନ୍ତ୍ରର ସ୍ୱନକ୍ଷତ୍ର ଦିବସରେ ଯୋଗଦେବେ। ଏହାଛଡ଼ା ଅମିତ ଶାହା ଭୁବନେଶ୍ୱର ଦଳୀୟ କାର୍ଯ୍ୟାଳୟରେ ବି ଯୋଗ ଦେବେ। ସେ ଅପରାହ୍ନ ୫ଟାରେ ମୋଦୀ@20 ଡିଜିଟାଲ ଇଣ୍ଡିଆର ଉନ୍ମୋଚନ କରିବେ। କେନ୍ଦ୍ର ଗୃହମନ୍ତ୍ରୀ ୬ଟା୧୫ରେ ଭୁବନେଶ୍ୱର ଛାଡ଼ିବାର କାର୍ଯ୍ୟକ୍ରମ ରହିଛି। ଗୃହମନ୍ତ୍ରୀଙ୍କ ଗସ୍ତ ଲାଗି ୨୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିବେ । ଅମିତ ଶାହଙ୍କ କାରକେଡରେ ରହିବ ୩୦ଟି ଗାଡ଼ି ରହିବ। ଏଥିରେ ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସ ଗାଡ଼ି ଓ ଜାମର ରହିବ ‌ବୋଲି ଡିସିପି ପ୍ରତୀକ ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଅମିତ ଶାହା କଟକରେ ଦୈନିକ ଖବରକାଗଜ ‘ପ୍ରଜାତନ୍ତ୍ର’ର ୭୫ତମ ପ୍ରତିଷ୍ଠା ଦିବସ ତଥା ‘ଆଜାଦି କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ତାଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟ ମଧ୍ୟ ସମାରୋହରେ ଉପସ୍ଥିତ ରହିବେ।

Leave a Reply

Your email address will not be published. Required fields are marked *