ଟିଟିପିଏସ ବନ୍ଦ ଆଳ ଦେଖାଇ ଆଜି ଶାସକ ଦଳ ବିଜେଡି ଯେଉଁ ଅନୁଗୁଳ ବନ୍ଦ ଡାକରା ଦେଲା ତାହା ଅତ୍ୟନ୍ତ ହାସ୍ୟାସ୍ପଦ। ଏହା ଦ୍ୱାରା କେବଳ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଇଲେ। ସାଧାରଣ ଜନତା ଅସୁବିଧା ଭୋଗିଲେ ବୋଲି ବିଜେପି ଅଭିଯୋଗ କରିଛି। ବିଜେଡିର ଏମପି ଓ ଏମଏଲଏ ମାନଙ୍କ ମଧ୍ୟରେ ଯେଉଁ ଅନ୍ତର୍ଦ୍ୱନ୍ଦ ରହିଛି ତାହାକୁ ଘୋଡାଇବାକୁ ବିଜେଡିର ଏହି ହୀନ ଉଦ୍ୟମ ବୋଲି ମଧ୍ୟ ବିଜେପି ସିଧାସଳଖ ଆରୋପ ଲଗାଇଛି। ଆଜି ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ ଏହା କୁହାଯାଇଛି।
ବିଜେପି ଅଭିଯୋଗ କରିଛିଯେ ଗତ ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ଏଫସିଆଇ କାରଖାନାର ଶୁଭ ଦେବାକୁ ଆସିଥିଲେ ସେତେବେଳେ କେନ୍ଦ୍ରାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂତନ ଟିଟିପିଏସ ପ୍ଲାଣ୍ଟ ସ୍ଥାପନ ପାଇଁ ୧୦ହଜାର କୋଟି ଟଙ୍କା ମଞ୍ଜୁରୀ କରିଥିଲେ। ସବୁ ପ୍ରସ୍ତୁତି ସରିଥିଲା। କିନ୍ତୁ ରାଜ୍ୟ ସରକାର ଅନୁମତି ନଦେବା କାରଣରୁ ନିର୍ମାଣ କାର୍ଯ୍ୟ ବିଳମ୍ବ ହେଲା। ଆସନ୍ତା ୨୦୨୧ମାର୍ଚ୍ଚ ୩୧ତାରିଖ ଟିଟିପିଏସ ପ୍ଲାଣ୍ଟର ପରିବେଶ ଅବଧି ଶେଷ ହେଉଥିବା ଜାଣି ତା ପୂର୍ବରୁ ନୂତନ ପ୍ଲାଣ୍ଟ ସ୍ଥାପନ କରିବାକୁ ଧର୍ମେନ୍ଦ୍ର ପ୍ରଧାନ ଏଭଳି ପଦକ୍ଷେପ ନେଇଥିଲେ। ରାଜ୍ୟ ସରକାର ଯଦି ସେତେବେଳେ ସହଯୋଗ କରି ଥାଆନ୍ତେ ତେବେ ଆଜି ଏଭଳି ଅବସ୍ଥା ସୃଷ୍ଟି ହୋଇ ନଥାନ୍ତା। ତେଣୁ ଆଜି ବିଜେଡି କାହିଁକି ଆନ୍ଦୋଳନ କରୁଛି ବୋଲି ପ୍ରଶ୍ନ କରିଛି ବିଜେପି। ଏବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ଖୁବ ଶୀଘ୍ର ନୂତନ ପ୍ଲାଣ୍ଟ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ବିଜେପି।
ବିଜେଡିର ଏହି ବନ୍ଦକୁ ବିଜେପି କଟାକ୍ଷ କରିବା ସହ ଏହା ଦଳୀୟ କନ୍ଦଳର ପ୍ରତିଫଳନ ବୋଲି କହିଛି। ବିଜେପି ପକ୍ଷରୁ ଆଜି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ସାଂସଦ ଆଗରୁ ୮ରେ ବନ୍ଦ ଡାକରା ଦେଇଥିଲାବେଳେ ତରବରିଆ ଭାବେ ଦଳ ପକ୍ଷରୁ ଆଜି ବନ୍ଦ କରାଯାଇଛି। ଏମିତି ବନ୍ଦ କରି ସାଂସଦ ଓ ବିଧାୟକମାନଙ୍କ ପରସ୍ପର ଭିତରେ ବଳ କଷାକଷି ହେଉଛନ୍ତି ବୋଲି ବିଜେପି ନେତା ରୁଦ୍ର ନାରାୟଣ ପାଣି କହିଛନ୍ତି।