ଫେରିଲା ବାଘୁଣୀ । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ସୁନ୍ଦରୀ ବାଘୁଣୀ ଧରାହୋଇ ମଧ୍ୟପ୍ରଦେଶକୁ ଫେରାଇ ନିଆଯାଉଛି । ଗତ ୨୧ତାରିଖରେ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ପ୍ରକଳ୍ପରୁ ଏକ ୬ଜଣିଆ ସ୍ୱତନ୍ତ୍ର ଟିମ ଆସି ସତକୋଶିଆରେ ପହଞ୍ଚି ଥିଲେ। ସୁନ୍ଦରୀକୁ ନେବାପାଇଁ ଏକ ସ୍ୱତନ୍ତ୍ର ଭ୍ୟାନ ଅଣା ଯାଇଥିଲା। ଦୁଇ ଦିନ ଧରି ଯନ୍ତା ଭିତରେ ଖାଦ୍ୟ ଦେଇ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସୁନ୍ଦରୀ ଧରା ପଡି ନଥିଲା। ଶେଷରେ ଆଜି ପ୍ରାୟ 4 ଟା ୩୦ ବେଳକୁ ଟ୍ରଙ୍କୁଲାଇଜ କରି ଯନ୍ତା ଭିତରେ ଭର୍ତି କରା ଯାଇଥିଲା। ସନ୍ଧ୍ୟାରେ ରାଇଗୁଡା ରେଞ୍ଜର ନୂଆଗଡ଼ ଦେଇ ମଧ୍ୟପ୍ରଦେଶ ଅଭିମୁଖେ ବାହାରି ଥିଲେ। ଏନେଇ ସାତକୋଶିଆ ଫିଲଡ ଡାଇରେକ୍ଟର ପ୍ରଦୀପ ରାଜ କରାଟ ସୂଚନା ଦେଇଛନ୍ତି ।
ଏହି ବାଘୁଣୀ ସୁନ୍ଦରୀକୁ ନେଇ ବହୁ ବାଦ ବିବାଦ ସୃଷ୍ଟି ହୋଇଥିଲା। ଗତ ୨୦୧୮ଜୁନ ୨୮ତାରିଖରର ମଧ୍ୟପ୍ରଦେଶର ବାନ୍ଧବ ଗଡ ସୁନ୍ଦରୀକୁ ସାତକୋଶିଆ ଅଣା ଯାଇଥିଲା। ତାକୁ ଏନକ୍ଲୋଜର ଭିତରେ ରଖିବା ପରେ ଅଗଷ୍ଟ ମାସ ୧୭ତାରିଖରେ ଜଙ୍ଗଲ ଭିତରକୁ ଛଡା ଯାଇଥିଲା। କିନ୍ତୁ ସୁନ୍ଦରୀ ଜଙ୍ଗଲ ଭିତରେ ନରହି ଗାଁ ମୁହାଁ ହୋଇଥିଲା। ସେପ୍ଟେମ୍ବର ୧୨ତାରିଖରେ ହାତିବାରି ଗାଁର କୈଳାସୀ ସାଏ ନାମକ ଜଣେ ମହିଳାଙ୍କୁ ମାରି ଖାଇଥିଲା। ଏହାପରେ ଅକ୍ଟୋବର ୨୧ତାରିଖରେ ଟାଇଂସି ଗାଁର ତ୍ରିନାଥ ସାହୁଙ୍କୁ ମାରି ଦେଇଥିଲା। ଦୁଇ ଦୁଇଟି ମଣିଷ ମାରିବା ସହ ବହୁ ଗାଈଗୋରୁ ମାରି ଖାଇଥିଲା। ସେତେବେଳେ ଏହି ଘଟଣାକୁ ନେଇ ସାତକୋଶିଆ ଅଞ୍ଚଳରେ ତୁମୁଳ କାଣ୍ଡ ଘଟିଥିଲା। ଶେଷରେ ସୁନ୍ଦରୀକୁ ପୁଣି ଥରେ ନଭେମ୍ବର ୬ତାରିଖରେ ଟ୍ରଙ୍କୁଲାଇଜ କରି ଏନକ୍ଲୋଜର ଭିତରେ ରଖାଗଲା। ସେଦିନରୁ ଆଜି ପର୍ଯ୍ୟନ୍ତ ଏନକ୍ଲୋଜର ଭିତରେ ଥିଲା। ଆଜି ତାକୁ ଧରି ମଧ୍ୟପ୍ରଦେଶ ନିଆଗଲା। ସୁନ୍ଦରୀ ଫେରିଯିବା ପରେ ସାତକୋଶିଆ ବାଘ ଶୂନ୍ୟ ହୋଇ ଯାଇଛି।