ଅନୁଗୋଳ : ଅନୁଗୋଳ ଜିଲ୍ଲାରେ ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ବସବାସ କରୁଥିବା ଲୋକେ କିଭଳି ନିଜର ନିଜର ଜୀବିକା ରେ ଆହୁରି ସୁଧାର ଆଣିପାରିବେ ଜଙ୍ଗଲ ରୁ ଉପକାର ପାଇବା ସହ ଜଙ୍ଗଲକୁ ରକ୍ଷା କରିବେ, ସେ ନେଇ ଅନୁଷ୍ଠିତ ହୋଇଛି କର୍ମଶାଳା, ସମୀକ୍ଷା । ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ- ୨ ସହାୟତାରେ ଅନୁଗୋଳ ଜିଲାର ଆଠମଲ୍ଲିକ ବନଖଣ୍ତ ତରଫରୁ ଏହି ବୈଠକ ଅନୁଷ୍ଠିତ ହୋଇଛି । ୨୦୧୭ ମସିହାରୁ ଆଠମଲ୍ଲିକ ବନଖଣ୍ତର ୭୫ ଟି ବନ ସଂରକ୍ଷଣ ସମିତି ମାଧ୍ୟମରେ ଜଙ୍ଗଲ ସୁରକ୍ଷା ଓ ରକ୍ଷଣା ବେକ୍ଷଣା ତଥା ଜଙ୍ଗଲ ଉପରେ ନିର୍ଭର କରି ବଞ୍ଚୁଥିବା ଅଧିବାସୀ ମାନଙ୍କ ଜୀବନ ଜୀବିକା ବୃଦ୍ଧି ପାଇଁ ସରକାରଙ୍କ ତରଫରୁ ଅନେକ କାର୍ଯ୍ୟ କ୍ରମ ହାତକୁ ନିଆଯାଇଛି । ବିଗତ ବର୍ଷରେ କଣ ସବୁ ଯୋଜନା ର ଲାଭ ଲୋକେ ପାଇଛନ୍ତି ଓ ଏଥର ସେଥିରେ ଆଉ କଣ ସୁଧାର ଅଣାଯାଇପାରିବ ତାକୁ ନେଇ ସମୀକ୍ଷା- 2 (2022 ) ଅନୁଷ୍ଠିତ ହୋଇଥିଲା । ନାଲକୋ ପ୍ରେକ୍ଷାଳୟରେ ଅନୁଷ୍ଠିତ ବୈଠକ କୁ ଉଦଘାଟନ କରିଥିଲେ ଜିଲାପାଳ ସିର୍ଦ୍ଧାର୍ଥ ଶଙ୍କର ସ୍ୱାଇଁ।ଆଠମଲ୍ଲିକ ବନଖଣ୍ତ ଦ୍ୱାରା ନିଆ ଯାଇଥିବା ପ୍ରକଳ୍ପ ର ପ୍ରଶଂସା କରିବା ସହିତ ବିଭିନ୍ନ ସରକାରୀ ବିଭାଗ ସହଯୋଗରେ ସ୍ଵତ୍ସାସେବୀ ଅନୁଷ୍ଠାନ ବିଶ୍ବ ଯୁବକେନ୍ଦ୍ର ପକ୍ଷରୁ ନିଆ ଯାଉଥିବା ପ୍ରକଳ୍ପ ଓ କାର୍ଯ୍ୟକ୍ରମ ର ସମୀକ୍ଷା କରିଥିଲେ । ପ୍ରକଳ୍ପ ମାଧ୍ୟମରେ ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବା ଲୋକଙ୍କ ସାମାଜିକ ଓ ଆର୍ଥିକ ଅଭିବୃଦ୍ଧି ସହିତ ଜଙ୍ଗଲ ବୃଦ୍ଧି କରିବାରେ ବନ ସଂରକ୍ଷଣ ସମିତିର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତଦେଇଥିଲେ ।


ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ , ଆଠମଲ୍ଲିକ ଡିଭିଜନ ତରଫରୁ ନିଆଯାଇଥିବା କାର୍ଯ୍ୟକ୍ରମ ଉପରେ ବନଖଣ୍ତ ଅଧିକାରୀ ଆନନ୍ଦ ଏସ୍ ବିସ୍ତୃତ ବୀବରଣୀ ପ୍ରଦାନ କରିଥିଲେ । ଉପଖଣ୍ତ ର ୩୬୪୨ ହେକ୍ଟର ପରିମିତ ଜଙ୍ଗଲ ଜମିର ରକ୍ଷଣା ବେକ୍ଷଣ ଓ ସୁରକ୍ଷା, ଲୋକମାନଙ୍କର ଆର୍ଥିକ ଉନ୍ନତି ପାଇଁ ୩୩୫ ,୯୦୮ ଶ୍ରମ ଦିବସ ସୃଷ୍ଟି, ୭୫ଟି ବନସଂରକ୍ଷଣ ସମିତିକୁ ଏକ କୋଟି ୨୦ ଲକ୍ଷ ଟଙ୍କାର ସହାୟତା ରାଶି ,୧୧୧ ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ୭୦.୭୦ଲକ୍ଷ ଟଙ୍କାର ଋଣ ପ୍ରଦାନ, ପ୍ରଧାନ ମନ୍ତ୍ରୀ ବୀମା ଯୋଜନାରେ ୨୮୭୯ ଜଣଙ୍କୁ ସାମିଲ, DDUGKY ଓ RKVY ମାଧ୍ୟମରେ ୮୨ ଜଣଙ୍କୁ ଦକ୍ଷତା ବିକାଶ ତାଲିମ, ଖଦି କମିସନ ମାଧ୍ୟମରେ ମହୁଚାଷ , ଜିଲ୍ଲା ଖଣିଜ ପାଣ୍ଠିରୁ ୧୨ ଟି ବନ ସଂରକ୍ଷଣ ସମିତିର ଯୁବକ ଯୁବତୀ ଙ୍କୁ କମ୍ପ୍ୟୁଟର ଶିକ୍ଷା ସମେତ ବ୍ୟକ୍ତଗତ ୪୭୩.୪୩ ହେକ୍ଟର ଜମିରେ ଜଙ୍ଗଲ ସୃଷ୍ଟି, ଚାରା ରୋପଣ ,କୃଷି ଉନ୍ନୟନ , ଫଳ ଓ ପନିପରିବା ଚାଷ ଇତ୍ୟାଦି ହାତକୁ ନେଇ ଲୋକଙ୍କୁ ସ୍ୱବଲମ୍ବୀ କରାଯାଇଥିବା ପ୍ରକାଶ କରିଥିଲେ।ବନବିଭାଗ, ଆଠମଲ୍ଲିକ, ମାଧପୁର ଓ ବାମୁର ବନାଞ୍ଚଳ ତରଫରୁ ନିଆଯାଇଥିବା କାର୍ଯ୍ୟକ୍ରମ ଉପରେ ବନାଞ୍ଚଳ ଅଧିକାରୀ ସନ୍ତୋଷ କୁମାର ଭୋଇ ଓ ସରୋଜ କୁମାର ମିଶ୍ରଙ୍କ ସମେତ କିଶୋରୀ ବହ୍ଲବ ନନ୍ଦ , ବାସୁଦେବ ଚାଉଳିଆ, ଦିପକ ମିଶ୍ର ଦେବାନନ୍ଦ ନାୟକ, ପୁଷ୍ପମିତ୍ର ସିଂ ଓ ବନସଂରକ୍ଷଣ ସମିତି ତରଫରୁ ଗିରିଶ ଚନ୍ଦ୍ର ଭୁକ୍ତା, ଆଲୋକ କୁମାର ପ୍ରଧାନ, ସୁବାସ ଚନ୍ଦ୍ର ବେହେରା ପ୍ରମୁଖ ତୃଣମୂଳ ସ୍ତରରେ ନିଆଯାଇଥିବା କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ ।

ବୈଷୟିକ ପରାମର୍ଶ ଦାତା ଗିରିଜା ସଂକର ଦାସ ସ୍ୱାଗତ ଭାଷଣ ଓ ବୈଠକ ପରିଚାଳନା କରିଥିବା ବେଳେ ବିଶ୍ୱଯୁବ କେନ୍ଦ୍ର ର ନିର୍ଦ୍ଧେଶକ ମନୋଜ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ତପନ କୁମାର ମଲ୍ଲିକ ,ଅମରେଶ ପ୍ରସାଦ ଦାସ, କବିରାଜ ମହାରଣା, ନରେନ୍ଦ୍ର କୁମାର ସାହୁ, ଦିପ୍ତୀ ରଞ୍ଜନ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ୭୫ଟି ବନ ସଂରକ୍ଷଣ ସମିତିର ପ୍ରତିନିଧି ,ବନରାଜିକ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ ର ପ୍ରତିନିଧି ମାନେ ଯୋଗଦାନ କରିଥିଲେ । ବିଭିନ୍ନ ସ୍ୱୟଂ ସହାୟକ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଷ୍ଟଲ୍ ଜିଲ୍ଲାପାଳ ଉଦଘାଟନ କରିଥିଲେ ॥