ବନ ବିଭାଗ ବିରୁଦ୍ଧରେ ସାତକୋଶିଆରେ ପ୍ରଜା ମେଳି…

ଅନୁଗୋଳ :ବନ ବିଭାଗ ବିରୁଦ୍ଧରେ ଗର୍ଜିଲା ସାତକୋଶିଆ ପ୍ରଜା ସୁରକ୍ଷା ସମିତି। ଅଭୟାରଣ୍ୟ ଭିତରେ ଥିବା ୯ଟି ପଞ୍ଚାୟତର  ହଜାରେରୁ ଅଧିକ ଲୋକଙ୍କୁ ନେଇ ରବିବାର ସମିତିର ଏକ ସଭା ସଭାପତି ଦନାର୍ଦନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ସଭାରେ ବନ ବିଭାଗର ମାତ୍ରାଧିକ କଟକଣାକୁ ଲୋକେ ନାପସନ୍ଦ କରିବା ସହ କଡା କଟକଣା ଯୋଗୁ ସେମାନଙ୍କର ଜୀବନ ଜୀବିକା ନଷ୍ଟ ହେଉଥିବା ଏବଂ ଗମନାଗମନର ଅସୁବିଧା ହେଉଥିବାରୁ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରି ବନ ବିଭାଗକୁ ଅସହଯୋଗ କରିବାକୁ କଡା ଚେତାବନୀ ଦେଇଥିଲେ। ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଯୋଗୁ ବନ ବିଭାଗର କଟକଣା ଅସହ୍ୟ ହେଲାଣି। ଜଙ୍ଗଲ ଅଧିବାସୀଙ୍କ ଜୀବନ ଜୀବିକା ବିପନ୍ନ ହେଲାଣି। କଟକଣା ବାହାନାରେ ସବୁ ରାସ୍ତା ଘାଟ ବନ୍ଦ କରିଦେବାରୁ ଜାତୟତରେ ଅସୁବିଧା ସୃଷ୍ଟି ହେଉଛି। ପ୍ରଥମେ ଅଭୟାରଣ୍ୟ ନାଁରେ କଟକଣା। ଏବେ ବ୍ୟାଘ୍ର ପ୍ରକଳ୍ପ ନାଁରେ କଟକଣା ସହ ବନ କର୍ମଚାରୀଙ୍କ ଅତ୍ୟାଚାର ଅସହ୍ୟ ହେଲାଣି। ଗାଁ ଗାଁରେ ବନ କର୍ମଚାରି ମାନେ ପଶି ମିଛରେ ଲୋକଙ୍କୁ ଗିରଫ ଭୟ ଦେଖାଇ ହଇରାଣ କରୁଛନ୍ତି। ଜାଳ କାଠ ଖଣ୍ଡେ ଆଣିଲେ ମକଦମା ରୁଜୁ କରି ଜେଲ ପଠାଇ ଦେଉଛନ୍ତି। ସରକାରୀ ଆବାସ ଯୋଜନାରେ ଘର ଖଣ୍ଡେ କରିବାକୁ ନାଳରୁ ବାଲି ଆଣିଲେ ଜବତ କରୁଛନ୍ତି। ଏମିତି କଲେ ଲୋକେ କେମିତି ବଞ୍ଚିବେ। ଏଠାରେ ଶତକଡା ୯୦ଭାଗ ଲୋକ ଜଙ୍ଗଲ ଉପରେ ନିର୍ଭର କରି ଚଳୁଛନ୍ତି। ଏ ଅଞ୍ଚଳରେ ରୋଜଗାରର ଅନ୍ୟ କିଛି ବାଟ ନାହିଁ। ତେଣୁ  ଆଉ ଏହାକୁ ବରଦାସ୍ତ କରା ଯିବ ନାହିଁ। ଏଥର ବନ ବିଭାଗର ଏଭଳି ମୋଗଲ ରାଜ ବିରୁଦ୍ଧରେ ଲଢେଇ ହେବ ବୋଲି ସଭାରେ ପ୍ରଜା ସୁରକ୍ଷା ସମିତିର କର୍ମକର୍ତା ଚରମ ବାଣୀ ଶୁଣାଇ ଛନ୍ତି।

ଅଭୟାରଣ୍ୟ ଭିତରେ ଥିବା ଜଗନ୍ନାଥପୁର ଆମ୍ବ ତୋଟାରେ ଅନୁଷ୍ଠିତ ହୋଇଥିଲା ଏହି ଗୁରୁତ୍ୱପୂର୍ଣ ସଭା। ସଭାରେ ଅଭୟାରଣ୍ୟ ଭିତରେ ଓ ସୀମାନ୍ତରେ ଥିବା ନରସିଂହପୁର ଅଞ୍ଚଳର ସମେତ ଅନୁଗୁଳ ବ୍ଲକର ପ୍ରାୟ ୯ଟି ପଞ୍ଚାୟତର ଲୋକେ ଯୋଗ ଦେଇଥିଲେ। କିଭଳି ସେମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେ ନେଇ ନିଜ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଯାହା ଫସଲ କଲେ ବଣ୍ୟଜନ୍ତୁ ଖାଇ ନଷ୍ଟ କରି ଦେଉଛନ୍ତି। ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଓଲଟା ବନ କର୍ମଚାରୀ ମାନେ ନାଲି ଆଖି ଦେଖାଇ ଭୟଭୀତ କରାଉଛନ୍ତି।  ସାତକୋଶିଆ ଲୋକଙ୍କ ଜୀବନ। କିନ୍ତୁ ବନ ବିଭାଗର ଅପାରଗତା ତଥା ସ୍ଥାନୀୟ ଲୋକଙ୍କୁ ସାମିଲ ନକରିବା କାରଣରୁ ନିଆଁ ଲାଗି ଧ୍ଵଂସ ହୋଇ ଗଲାଣି। ବହୁ ପ୍ରଜାତିର ଜୀବଜନ୍ତୁ ମରିହଜି ଗଲେଣି। ବନ ବିଭାଗର ଏଥିପ୍ରତି ଆଦୌ ନିଘା ନାହିଁ। କେବଳ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପଛରେ ଗୋଡ଼ାଇ ବେସ ଦି ପଇସା ପାଇବା ପାଇଁ ଜଙ୍ଗଲ ଓ ଜନ୍ତୁ ସୁରକ୍ଷା କଥା ଭୁଲି ଗଲାଣି ବୋଲି ସମିତି ଅଭିଯୋଗ କରିଛି। ତେଣୁ ଆଗାମୀ ଦିନରେ ହଜାର ହଜାର ସାତକୋଶିଆ ବାସିନ୍ଦା ରାଜ ରାସ୍ତାକୁ ଓଲ୍ହାଇ ବନ ବିଭାଗକୁ ତାର କର୍ତ୍ତବ୍ୟ ଶିଖାଇବେ ବୋଲି ଚେତାବନୀ ଦେଇଛି ସମିତି।

Leave a Reply

Your email address will not be published. Required fields are marked *