ଅନୁଗୋଳ ଓ ଢେଙ୍କାନାଳ ରେ ହେବ ‘ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ’

ଅନୁଗୋଳ: ‘ଆମେ ଓଡ଼ିଆ’ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଢେଙ୍କାନାଳ ଓ ଶିଳ୍ପନଗରୀ ଅନୁଗୋଳ ଜିଲ୍ଲାରେ ଆସନ୍ତା ନଭେମ୍ବର ୩ ରୁ ନଭେମ୍ବର ୮ ପର୍ଯ୍ୟନ୍ତ ଛଅ ଦିନିଆ ‘ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ’ ଆୟୋଜନ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ଦୁଇଟି କ୍ୱାଟର ଫାଇନାଲ ମ୍ୟାଚ୍ ଓ ଦୁଇଟି ସେମିଫାଇନାଲ ମ୍ୟାଚ୍ ଅନୁଗୋଳର କଦମ ପଡ଼ିଆରେ ଖେଳାଯିବ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି  ‘ଆମେ ଓଡ଼ିଆ’ ଫାଉଣ୍ଡେସନ ଟ୍ରଷ୍ଟ ।

‘ଆମେ ଓଡ଼ିଆ’ ସଂଗଠନର ସମ୍ପାଦକ ସଂଗ୍ରାମ ପାତ୍ର କହିଛନ୍ତି ଯେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କ୍ରୀଡ଼ାକୁ ପ୍ରଚାର ପ୍ରସାର କରିବା ପାଇଁ ଏହି ଆୟୋଜନ କରିଛନ୍ତି । ସାମାଜିକ ସଂଗଠନ ସମେତ ଅନେକ ସ୍ତରରେ ଯୁବଶକ୍ତିଙ୍କ ମଧ୍ୟରେ ଖେଳୁଆଡ ମନୋବୃତ୍ତିକୁ ବୃଦ୍ଧି କରିବା ପାଇଁ ଏହି ଆୟୋଜନ ହେଉଛି । ଅନୁଗୋଳରେ ଯୁବବର୍ଗଙ୍କ ମଧ୍ୟରେ ଫୁଟବଲ କ୍ରୀଡାକୁ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ସର୍ବଭାରତୀୟ ଫୁଟବଲ ସଂଘ(AIFF) ସହଯୋଗରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ହେଉଛି । ଢେଙ୍କାନାଳ ଷ୍ଟାଡିୟମ, ଅନୁଗୋଳର କଦମ ପଡିଆ, ତାଳଚେରର ବ୍ଲାକ ଡାଇମଣ୍ଡ ଷ୍ଟାଡିୟମ ଠାରେ ଗୋଟିଏ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ସହିତ ୭ଟି ଫୁଟବଲ ମ୍ୟାଚ୍ ଖେଳା ଜୀବ ।

ଢେଙ୍କାନାଳ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ ସହ ଦୁଇଟି ମ୍ୟାଚ ଖେଳାଯିବ । ପରେ  ତାଳଚେର ସମେତ ଅନୁଗୋଳରେ ମୋଟ ୬ଟି ଫୁଟବଲ ମ୍ୟାଚକୁ କ୍ରୀଡାପ୍ରେମୀମାନେ ଦେଖିବାର ସୁଯୋଗ ପାଇବେ। ‘ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ’ରେ ଘରୋଇ ଫୁଟବଲ ଟିମ ସହ ୮ଟି ରାଜ୍ୟରୁ ୮ଟି ଦଳ ଅଂଶଗ୍ରହଣ କରିବେ । ସେମାନେ ହେଲେ ଓଡ଼ିଶା ଟିମ, ମୁମ୍ବାଇର କେନକ୍ରେ ଏଫସି, ଗୋଆର ଚର୍ଚ୍ଚିଲ ବ୍ରଦର୍ସ ଏଫସି, କେରଳର ଗୋକୁଲମ କେରଳ ଏଫସି, ମଣିପୁରର ଶ୍ରୀନିଧି ଡେକାନ ଏଫସି, ଦିଲ୍ଲୀର ଏଫସି ଦିଲ୍ଲୀ, ରାଜସ୍ଥାନର ରାଜସ୍ଥାନ ୟୁନାଇଟେଡ୍ ଏଫସି, ପଶ୍ଚିମବଙ୍ଗର ମହମ୍ମେଦାନ ଏସସି ପ୍ରଭୁତି ଦଳ ଅଂଶଗ୍ରହଣ କରିବେ । ଏହାବ୍ୟତିତ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ପାଇଁ ଅତିରିକ୍ତ ଆସାମର ବୋଦୋ ଲ୍ୟାଣ୍ଡ୍ ମଧ୍ୟ ସାମିଲ ହେବ । 

ନଭେମ୍ବର ୩ରେ ଢେଙ୍କାନାଳ ମିନି ଷ୍ଟାଡିୟମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ  ଉଦଘାଟନ କରିବେ । ଓଡ଼ିଶା ଟିମ୍ ଓ ମୁମ୍ବାଇର କେନକ୍ରେ ଏଫସି ମଧ୍ୟରେ ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚ୍ ଖେଳାଯିବ । ସେହି ଠାରେ ଗୋଆର ଚର୍ଚ୍ଚିଲ ବ୍ରଦର୍ସ ଏଫସି ଓ କେରଳର ଗୋକୁଲମ କେରଳ ଏଫସି ମଧ୍ୟରେ ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚ୍  ଖେଳାଯିବ । ଉଦଘାଟନୀ ସମାରୋହରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଦେଶର ନାମୀଦାମୀ ଓ ତାରକା ଖେଳାଳି, କଳାକାର ଓ ଗଣମାନ୍ୟ ବ୍ୟକ୍ତିତ୍ୱମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *