|| ବେଡି ||

||ବେଡି||⛓️

ସମ୍ବାରୁ ମା’ ଆଖି ବୁଜିବାର ଚାରିଘଣ୍ଟା ହୋଇଗଲାଣି। ତା’ ଝୁମ୍ପୁଡି ଘର ଅଗଣାରେ ମଡ଼ା ପଡିଛି।ସାହି ଭାଇ କାହାରି ଦେଖା ନାହିଁ।ସବୁ ମୁହଁ ଫେରେଇ ଚାଲିଗଲେ। ଗାଁ ମୁଖିଆ ଫତୁଆ ଜାରି କରିଛି; ସମ୍ବାରୁ ଘର ଆଡ଼େ ଯିଏ ଯିବ ଜୋରିମନା ଦେବ।

ସମ୍ବାରୁ ତା ମା’ର ଏକ ମାତ୍ର ଝିଅ କଣ ବା’ କରି ପାରିବ। ତଥାପି ସମ୍ବାରୁ ଆଶା ରଖିଛି କାଳେ ମାଲଭାଇ କିଏ ଆସି ହାତ ଦେବେ।ହେଲେ କୁଆଡେ ସମ୍ବାରୁ ଅପରାଧ କରିଛି। ସାହି ଭାଇ ଙ୍କ ମୁହଁରେ କଳା ବୋଳିଛି।କଣ ନା ‘ଆଠ ବର୍ଷ ତଳେ ଭଲପାଇ ପାଖ ଗାଁ ପିଲା କୁ ବାହା ହୋଇଥିଲା।ଭଲ ପାଇ ବାହାହେବା ଟା ଭୁଲ ନଥିଲା ,ଭୁଲ ଥିଲା ଭିନ୍ନ ଜାତି ପିଲାର କାହିଁକି ହାତ ଧରିଥିଲା।ତାର ଏହି ଭୁଲ ଟିକକ ପାଇଁ ଯେ ,ତାକୁ ଏତେ ମୂଲ୍ୟ ଦେବାକୁ ହେବ ,ସମ୍ବାରୁ ଏକଥା ଜମା ଭାବି ପାରୁନଥିଲା। ହେଲେ ଫଟାକପାଳଟା ଦି’ବର୍ଷ ହେଲା ଦାଉ ସାଧିଲା। ଯାହା ହାତଧରି ସଂସାର ଆଗେଇ ନେଉଥିଲା , ସେ ରୋଗରେ ପଡି ଅକାଳରେ ଚାଲିଗଲା।ତା ପୁଅ, ଝିଅ ଦି’ଟା ଅନାଥ ହୋଇ ଗଲେ ।ଘରୁ ଗୋଡ଼ କାଢ଼ିଲା। ମୂଲଚାଲ କରି ଛୁଆ ଦି’ଟା କୁ ଦାନା ଦେଉଥିଲା।ତା ବୁଢ଼ୀ ମା ଟା ଛୁଆ ଦିଟା କୁ ଜଗିଲେ, ମୂଲ ମଜୁରୀ କରି ସଞ୍ଜରେ ଫେରେ ସେ।ହେଲେ ଆଜି ସେ ସୁଖ ଦଇବ ସହିଲାନି,ଶେଷ ଆଶ୍ରା ତା ମା’ ଆଖି ବୁଜି ଦେଲା।

ଧାର ଧାର ଲୁହ ବହୁଥିଲା ସମ୍ବାରୁ ଆଖିରୁ।ତେଣେ ଶବ ଫୁଲିବା ସହ ବେଳ ଉଛର ହେଲାଣି। ବାସନ୍ଦ ଘୋଷଣା ପାଇଁ କେହି ମାଲ ଭାଇ ଆଉ ଆସିବାର ନାହିଁ ବୋଲି ସମ୍ବାରୁ ନିଶ୍ଚିତ ହେଲା। ଏଠି ଆଉ ଲୁହ ଗଡେଇ କଣ ବା ଲାଭ ? ଅଣ୍ଟାରେ ଲୁଗା ଖୋସି,ଶବକୁ ଟେକି ମଶାଣି ମୁହାଁ ହେଲା।ପଛେ ପଛେ ଥିଲେ ତା ଦୁଇ ଛୁଆ ।

ଏଥର କିନ୍ତୁ ଦଇବ ଆଉ ନିଷ୍ଠୁର ହେଇନି । ତା’ ମା ର ଶବ କୁ ପୋତିବା ପାଇଁ ଗାତ ଖୋଲିବାକୁ ସତେ ଯେମିତି ଶତ ସିଂହର ବଳ ଆସି ଯାଇଥିଲା ସମ୍ବାରୁ ଦିହରେ।ଗାତ ଖୋଳି ଶବକୁ ପୋତିଲା ।ଏଥର କିନ୍ତୁ ଶେଷ ମାଟି ମୁଠାକ ଦେଲା ବେଳକୁ ସମ୍ବାରୁ ଆଖିରେ ଆଉ ଲୁହ ନଥିଲା। ତାକୁ ଲାଗିଲା ମାଟି ଭିତରୁ ସତେ ଯେମିତି ତା ମା ‘ କହୁଥିଲା ” ଜାତିଆଣ ର ବେଡି ଛିଣ୍ଡେଇ ଥିବା ସମ୍ବାରୁ ତୁ ଆଉ କେବେ ହାରିବୁନି”।

©ସତ୍ୟ ସୁନ୍ଦର

ଅନୁଗୋଳ

Leave a Reply

Your email address will not be published. Required fields are marked *