ଅନୁଗୋଳ: ସରିଲା ଦଶହରା। ଅପେକ୍ଷା ପୁଣି ଆର ବର୍ଷକୁ । ଆଜି ବିଦାୟ ନେଉଛନ୍ତି ମାଆ । ଅନୁଷ୍ଠିତ ହେଉଛି ମହାମାୟାଙ୍କର ଭସାଣ ଉତ୍ସବ । ଦୁଇବର୍ଷର କରୋନା କଟକଣା ପରେ ଏଥର ଶୋଭାଯାତ୍ରାରେ ହେଉଛି ମାଆଙ୍କର ବିସର୍ଜନ । ଏଥିପାଇଁ ଅନୁଗୋଳ ସହରରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ପୂଜାମଣ୍ଡପ କର୍ମକର୍ତ୍ତା ।




ମହାଷଷ୍ଠୀ ଓ ମହା ସପ୍ତମୀରୁ ଆରମ୍ଭ ହୋଇଥିବା ମା’ ଦୁର୍ଗାଙ୍କ ମୃଣ୍ମୟୀ ପୂଜା ବୁଧବାର ଉଦଯାପିତ ହୋଇଛି। ରାଜ୍ୟର ସହର ଓ ଗ୍ରାମାଞ୍ଚଳରେ ବି ମା’ଙ୍କୁ ଆବାହନ କରାଯାଇ ଆରାଧନା କରାଯାଉଥିଲା। ତେବେ ୩/୪ ଦିନ ଧରି ଲଘୁଚାପର ଲୁଚକାଳି ଖେଳ ବି ଏଥିରେ ବାଧା ସୃଷ୍ଟି କରିପାରିନଥିଲା। ତଥାପି ମଣ୍ଡପଗୁଡିକରେ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଲାଗି ରହିଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ଦୀର୍ଘ ଦୁଇବର୍ଷ ଧରି ମା’ଙ୍କୁ ଅପେକ୍ଷା କରିଥିବା ଭକ୍ତଙ୍କ ପାଇଁ ପୁଲିସର ସୁରକ୍ଷା ବ୍ୟବସ୍ଥା କାମ ଦେଇନଥିଲା। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ନାକେଦମ ହେବାକୁ ପଡିଥିଲା। ଚଳିତବର୍ଷ ଅନୁଗୋଳ ସହରରେ ୧୧ ପୂଜା ମଣ୍ଡପରେ ମା’ଙ୍କୁ ଆବାହନ କରାଯାଇଥିଲା। ଆକର୍ଷଣୀୟ ତୋରଣ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପରମ୍ପରାର ଝଲକ ଦେଖିବାକୁ ମିଳିଥିଲା।




ଆଜି ପ୍ରତ୍ୟେକ ପୂଜା ମଣ୍ଡପ ପକ୍ଷରୁ ଆରମ୍ଭ ହୋଇଯାଇଛି ମେଲାଣିର ପର୍ବ। ଭସାଣୀ ଉତ୍ସବକୁ କିଏ କିଭଳି ଜାକଜମକରେ ପାଳିବ ସେଥିନେଇ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ପୁଲିସ ପ୍ରଶାସନ ପକ୍ଷରୁ ଭସାଣୀ ଉତ୍ସବକୁ କଟକଣାର ସହ ପାଳନ କରିବାକୁ କୁହାଯାଇଛି। କିଛି ପୂଜା ମଣ୍ଡପ ପାରମ୍ପରିକ ନୃତ୍ୟ ଗୀତରେ ମାଆ ଙ୍କୁ ମେଲାଣି ଦେଇଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାର ଲୋକ କଳା କୁ ମଧ୍ୟ ଅନୁଗୋଳ ବାସୀ ଦେଖିବାକୁ ପସନ୍ଦ କରିଛନ୍ତି ।



