ଗୁଜୁରାଟର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର ପଟେଲ

ସ୍ଵର ବ୍ୟୁରୋ: ମୁଖ୍ୟ ମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର ପଟେଲ । ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ର ବିଜୟ ପରେ ଗୁଜୁରାଟ ବିଜେପି ଦଳର ନେତା ଭୂପେନ୍ଦ୍ର ପଟେଲ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଶ୍ରୀ ପଟେଲ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟ ଥର ପାଇଁ କାର୍ଯ୍ୟକାଳ ଆରମ୍ଭ କରୁଥିବା ବେଳେ ତାଙ୍କ ମନ୍ତ୍ରିମଣ୍ଡଳର ପ୍ରାୟ ୨୫ ଜଣ ମନ୍ତ୍ରୀ ମଧ୍ୟ ତାଙ୍କ ସହ ଶପଥ ନେଇଛନ୍ତି।

ବିଜେପିର ନିର୍ବାଚନ ଗଣିତ ଶ୍ରୀ ପଟେଲଙ୍କ ନେତୃତ୍ୱରେ ଦଳ ପାଇଁ ରେକର୍ଡ ବିଜୟ ଆଣିଥିଲା। ଦଳ ମୋଟ ୧୮୨ଟି ଆସନ ମଧ୍ୟରୁ ୧୫୬ଟି ଆସନରେ ଜିତିଥିବା ବେଳେ ଶ୍ରୀ ପଟେଲ ନିଜେ ଅହମ୍ମଦାବାଦରେ ଥିବା ତାଙ୍କ ଘାଟଲୋଡ଼ିଆ ଆସନରୁ ରେକର୍ଡ ୧.୯୨ ଲକ୍ଷ ଭୋଟ ବ୍ୟବଧାନରେ ଜିତିଛନ୍ତି। ଗୁଜୁରାଟ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ମୁଁ ପ୍ରଚାର କରିବା ସମୟରେ କହିଥିଲି ଯେ ଏଥର ଭୂପେନ୍ଦ୍ର ନରେନ୍ଦ୍ରଙ୍କ ରେକର୍ଡ (୨୦୦୨ରେ ୧୨୭ଟି ଆସନ)କୁ ଭାଙ୍ଗିବେ। ଯାହାକୁ ସେ କାର୍ଯ୍ୟରେ କରି ଦେଖାଇଛନ୍ତି।

ଅନ୍ୟପକ୍ଷରେ ବୃତ୍ତିରେ ଜଣେ ବିଲଡର ଥିବା ଶ୍ରୀ ପଟେଲ ବିଜେପିର ଆଦର୍ଶଗତ ପରାମର୍ଶଦାତା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ସହିତ ଘନିଷ୍ଠ ଭାବେ ଜଡିତ। ସେ ଉତ୍ତରପ୍ରଦେଶ ରାଜ୍ୟପାଳ ତଥା ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦୀବେନ ପଟେଲଙ୍କ ସହଯୋଗୀ ବୋଲି ମଧ୍ୟ କୁହାଯାଏ।

Leave a Reply

Your email address will not be published. Required fields are marked *