ଟିକା ରାଜନୀତି, ଟିକାକରଣ କେନ୍ଦ୍ରରେ ମୋଦିଙ୍କ ଫଟୋ ପାଇଁ ତାତିଲେ ବିଜେପି କର୍ମୀ ଚିରିଲେ ନବୀନଙ୍କ ପୋଷ୍ଟର ।

ରାଜ୍ୟରେ ଆଜିଠାରୁ କ୍ୟାମ୍ପେନ ମୋଡ଼ରେ ଟିକାକରଣ ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁଯାୟୀ ହେଉଛି ଟିକାକରଣ । ଉଭୟ ଅନଲାଇନ ଓ ଅଫ ଲାଇନରେ ପଂଜିକରଣ କରି ଟିକା ନେବାକୁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । କିନ୍ତୁ ସେପଟେ ଟିକାକରଣକୁ ନେଇ ଜୋର ଧରିଛି ରାଜନୀତି । କେଉଁଠି ବିଜେପି ଟୀକାକରଣ କେନ୍ଦ୍ରରେ ମୋଦୀଙ୍କ ଫଟୋ ନଥିବାରୁ ବିରୋଧ କରିଛନ୍ତି ତ କେଉଁଠି ନବୀନଙ୍କ ପୋଷ୍ଟର ଚିରିଛନ୍ତି ବିଜେପି କର୍ମୀ ।

ଅନୁଗୋଳ ଷ୍ଟାଡିୟମ ପଡିଆରେ ଚାଲିଥିବା ଟିକାକରଣ କେନ୍ଦ୍ରରେ ପୋଷ୍ଟରକୁ ନେଇ ବିରୋଧ କରିଛନ୍ତି ବିଜେପି କର୍ମୀ । କୋଭିଡ ଟିକାକରଣ କେନ୍ଦ୍ରରେ ଲାଗିଥିବା ନବୀନଙ୍କ ବିଭିନ୍ନ ପୋଷ୍ଟର ଚିରିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟର ଲଗାଯାଉ ବୋଲି ଅଭିଯୋଗ କରିଥିଲେ । ତେବେ ପୋଲିସ ପହଞ୍ଚିବା ପୂର୍ବରୁ କିଛି କର୍ମୀ ସେଠାରୁ ଚାଲି ଯାଇଥିଲେ ।  ତେବେ ବିଜେପି କର୍ମୀଙ୍କ ଏଭଳି ବିଶୃଙ୍ଖଳା ଯୋଗୁଁ ବର୍ତମାନ ପାଇଁ ଟୀକାକରଣ ବନ୍ଦ କରାଯାଇଛି । ପ୍ରାୟ ଦେଢ ମାସ ଧରି ଅନୁଗୁଳ ଷ୍ଟାଡିୟମରେ ଚାଲିଥିବା ବେଳେ ଆଜି ହଜାର ଲୋକଙ୍କ ପାଇଁ ଟିକାକରଣ ବ୍ୟବସ୍ଥା କରାଯାଇଥିଲା ।

ଅନ୍ୟପଟେ ବାଲେଶ୍ୱରରେ ଟିକାକରଣକୁ ନେଇ ମଧ୍ୟ ଉତ୍ତେଜନା ଦେଖିବାକୁ ମିଳିଛି । ଗାନ୍ଧୀ ସ୍ମୃତି ଟିକାକରଣ କେନ୍ଦ୍ରରେ ନବୀନ ପଟ୍ଟନାୟକଙ୍କ ଫଟୋକୁ ନେଇ ବିଜେପି କର୍ମୀ ପ୍ରତିବାଦ କରିଛନ୍ତି । କେନ୍ଦ୍ର ଟିକା ଦେଉଥିବା ବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର କାହିଁକି ରହିବ ବୋଲି ପ୍ରଶ୍ନ କରିବା ସହ ସେମାନେ ମୋଦିଙ୍କ ଫଟୋ ନେଇ ଟିକାକରଣ କେନ୍ଦ୍ରରେ ରଖିବା ପରେ ଉତେଜନା ସୃଷ୍ଟି ହୋଇଛି ।

ବିଜେଡି ତରଫରୁ କୁହାଯାଇଛି ଯେ ଆଜି ଦିଆଯାଉଥିବା ଟିକା ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ କିଣିଛନ୍ତି । କୋଭିଡ୍ ମହାମାରୀର ମୁକାବିଲା ପାଇଁ ବ୍ୟାପକ ଟିକାକରଣ ଉପରେ ଜୋର୍ ଦିଆଯାଉଥିବା ବେଳେ ଟିକାକରଣ କେନ୍ଦ୍ରରେ ନିଜର ପତିଆରା ବୃଦ୍ଧି ପାଇଁ ରାଜନୈତିକ ଦଳ ଭିତରେ ଟଣା ଓଟରା ବେଶ୍ ଚର୍ଚ୍ଚା ସୃଷ୍ଟି କରିଛି । ତେବେ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଜନସାଧାରଣଙ୍କ ଟଙ୍କାରେ ଆସୁଥିବା ଟିକାରେ ମୋଦି ଟିକା, ନବୀନ ଟିକା, ମମତା ଟିକା କଣ?ଫଟୋକୁ ନେଇ ରାଜନୀତି ହେବା ଠିକ୍ ନୁହେଁ ବୋଲି କହିଛନ୍ତି ଦେବୀ ।

Leave a Reply

Your email address will not be published. Required fields are marked *