ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମଧ୍ୟପ୍ରଦେଶ, ଛତିଶଗଡ଼ ପାଇଁ ଘୋଷଣା କଲା ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ : ନିର୍ବାଚନ ତାରିଖ ଘୋଷଣା ନହେବା ପୂର୍ବରୁ ଆଗୁଆ ନିର୍ବାଚନୀ ବିଗୁଲ ଫୁଙ୍କିଦେଇଛି ବଜେପି। ବିଜେପି ତାର ରାଜନୈତିକ ଇତିହାସରେ ପ୍ରଥମ ଥର ପାଇଁ ନିର୍ବାଚନ ତାରିଖ ଘୋଷଣା ନହେବା ପୂର୍ବରୁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯାହା ସମସ୍ତଙ୍କୁ ଚକିତ କରିଛି। ଚଳିତ ବର୍ଷ ଶେଷ ଆଡକୁ ଛତିଶଗଡ ଏବଂ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ହେବାରଅଛି। ଏନେଇ ନିର୍ବାଚନ କମିଶନ ଏଯାଏଁ ତାରିଖ ଘୋଷଣା କରିନାହାନ୍ତି। କିନ୍ତୁ ବିଜେପି ଛତିଶଗଡ ଏବଂ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଛତିଶଗଡ ପାଇଁ ୨୧ ଜଣ ପ୍ରାର୍ଥୀ ଏବଂ ମଧ୍ୟପ୍ରଦେଶ ପାଇଁ ୩୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।

ବୁଧବାର ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ଥିଲେ। ବହୁ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ନିର୍ବାଚନ ନେଇ ଆଲୋଚନା ହୋଇଥିଲା। ଏହି ବୈଠକ ପରେ ଆଜି ଛତିଶଗଡ଼ର ୨୧ ଓ ମଧ୍ୟପ୍ରଦେଶର ୩୯ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ଦଳୀୟ କର୍ମୀଙ୍କ ମଧ୍ୟରେ ଥିବା ଅସନ୍ତୋଷକୁ ଜାଣିବା ଓ ନିର୍ବାଚନ ପୂର୍ବରୁ ଏହାକୁ ସମାଧାନ କରିବା ଲକ୍ଷ୍ୟରେ ବିଜେପି ନେତୃବୃନ୍ଦ ଆଗୁଆ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ଜଣାପଡ଼ିଛି।

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସବଲଗଡରୁ ସରଳା ବିଜୟନ୍ଦର ରାୱତଙ୍କୁ ବିଜେପି ପ୍ରାର୍ଥୀ କରିଛି । ସୁମାବଲିରୁ ଅଦଲ ସିଂ କଂସାନା, ଗୋହଦରୁ ଲାଲ ସିଂ ଆର୍ଯ୍ୟ, ପିଛୋରରୁ ପ୍ରୀତମ ଲୋଧୀ, ଚାଚୋଡାରୁ ପ୍ରିୟଙ୍କା ମୀନା, ଚନ୍ଦେରୀରୁ ଜଗନ୍ନାଥ ସିଂହ, ବନ୍ଦାରୁ ବିରେନ୍ଦ୍ର ସିଂହ ଲାମରଦାର, ମହାରାଜପୁରରୁ କାମାକ୍ଷା ପ୍ରତାପ ସିଂହ, ଛତରପୁରରୁ ଲଲିତା ଯାଦବ, ପଥରଇଆଠଉ ଲଖନ ପଟେଲ, ଗୁନେରୁରୁ ରାଜେଶ କୁମାର ବର୍ମାଙ୍କୁ ପ୍ରାର୍ଥୀ କରାଯାଇଛି।

ଅନ୍ୟପକ୍ଷରେ ଛତିଶଗଡ ନିର୍ବାଚନ ପାଇଁ ବିଜେପି ୨୧ ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି। ପ୍ରେମନଗରରୁ ଭୁଲନ ସିଂ ମରାବିଙ୍କୁ ବିଜେପି ଟିକେଟ୍ ଦେଇଛି। ଭଟଗାଓଁରୁ ଲକ୍ଷ୍ମୀ ରାଜୱାଡେ, ପ୍ରତାପପୁରରୁ ଶକୁନ୍ତଳା ସିଂହ, ରାମାନୁଜଗଞ୍ଜରୁ ରାମବିଚାର ନେତମ୍, ଲୁନ୍ଦ୍ରରୁ ପ୍ରଭୋଜ ଭୋଂଜ, ଖାରସିଆରୁ ମହେଶ ସାହୁ, ଧର୍ମଜାଗଡରୁ ହରିଶ୍ଚନ୍ଦ୍ର ରାଠିଆଙ୍କୁ ମନୋନୀତ କରାଯାଇଛି।

Leave a Reply

Your email address will not be published. Required fields are marked *