ଧାମନଗର ଉପନିର୍ବାଚନ ପାଇଁ ତିନି ଦଳର ପ୍ରାର୍ଥୀ ଚୁଡାନ୍ତ

ସ୍ଵର ବ୍ୟୁରୋ: ଧାମନଗର ଉପ ନିର୍ବାଚନ ପାଇଁ ସ୍ପଷ୍ଟ ହୋଇଛି ତିନି ଦଳର ପ୍ରାର୍ଥୀ । ପ୍ରଥମେ ବିଜେପି, ପରେ କଂଗ୍ରେସ ଏବଂ ଶେଷରେ ପ୍ରାର୍ଥୀ ଘୋଷଣା କରିଛି ଶାସକ ବିଜେଡି । ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ ବିଜେଡିର ପ୍ରାର୍ଥୀ ହୋଇଛନ୍ତି । ମିଶନ ଶକ୍ତି ସହ ଦୀର୍ଘ ଦିନର ଅଭିଜ୍ଞତା ଥିବା ଅବନ୍ତୀଙ୍କୁ ନୂଆ ଚେହେରା ଭାବେ ଏଠି ସୁଯୋଗ ଦିଆଯାଇଛି ।

ସେପଟେ ଧାମନଗର ଉପନିର୍ବାଚନ ପାଇଁ ସମୟ ପାଖେଇ ଆସୁଥିବା ବେଳେ କଂଗ୍ରେସ ଆଜି ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଧାମନଗର ଉପନିର୍ବାଚନ ପାଇଁ ବାବା ହରେକୃଷ୍ଣ ସେଠୀଙ୍କ ନାମକୁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଅନୁମୋଦନ କରିଛନ୍ତି। ଏନେଇ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟିର ସାଧାରଣ ସଂପାଦକ ମୁକୁଲ ୱାସନିକ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି।

ପୂର୍ବରୁ ବିଜେପି ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସେ ନାମାଙ୍କନ ଭରି ସାରିଛନ୍ତି । ସୂର୍ଯ୍ୟଂବଶୀ ସୂରଜଙ୍କ ନାମ ଘୋଷଣା ପରେ ବିଜେପି ଧାମନଗରରେ ପ୍ରଚାର ଆରମ୍ଭ କରିଦେଇଛି। ସୂରଜ ଏବେ ବିଜେପି ରାଜ୍ୟ ମିଡିଆ ସେଲ୍‌ର ସଂଯୋଜକ ଅଛନ୍ତି। ସକ୍ରିୟ ରାଜନୀତିକୁ ଆସିବା ପୂର୍ବରୁ‌ ସେ ଏକ ପ୍ରତିଷ୍ଠିତ ବହୁରାଷ୍ଟ୍ରୀୟ କମ୍ପାନିରେ ଇଞ୍ଜିନିୟର ଥିଲେ। ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଗତ କିଛି ବର୍ଷ ହେଲା ରାଜନୀତିରେ ଯୋଗ ଦେଇଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ନିଜ ବାପା ବିଷ୍ଣୁ ସେଠୀଙ୍କ ପାଇଁ ନିର୍ବାଚନ ପରିଚାଳନା ଦାୟିତ୍ବ ସମ୍ଭାଳୁଥିଲେ ସୂରଜ।

Leave a Reply

Your email address will not be published. Required fields are marked *