ଅନୁଗୋଳ : ଦେବଭୂମି ଜିନ୍ଦଲ ନଗର ପରିସରରେ ବେଶ ଉତ୍ସାହ ଓ ଭକ୍ତିଭାବର ସହ ମଙ୍ଗଳବାର ହେରା ପଞ୍ଚମୀ ନୀତି ସମ୍ପନ୍ନ ହୋଇଛି । ଦେବଭୂମିର ଆଦ୍ୟ ସେବିକା ତଥା ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ ଶ୍ରଦ୍ଧା ଓ ସମର୍ପଣର ସହ ମୁଖ୍ୟ ପୂଜକ ଶ୍ରୀକାନ୍ତ ଜୀଙ୍କ ମାର୍ଗଦର୍ଶନରେ ସମସ୍ତ ନୀତି ତୁଲାଇ ଥିଲେ । ପରମ୍ପରାର ପ୍ରତୀକ ଭାବେ ଅନୁଷ୍ଠିତ ହୋଇଥିବା ମା’ ମହାଲକ୍ଷ୍ମୀଙ୍କ ପାଲିଙ୍କି ଯାତ୍ରାରେ ମଧ୍ୟ ସେ ଅଂଶଗ୍ରହଣ କରିଥିଲେ । ପୌରାଣିକ ରୀତି ଅନୁଯାଇ, ଭାଇ ଓ ଭଉଣୀଙ୍କୁ ନେଇ ଶ୍ରୀମନ୍ଦିରରୁ ଗୁଣ୍ଡିଚା ଘରକୁ ଯାଇଥିବା ମହାପ୍ରଭୁଙ୍କ ବିଷୟରେ ଅନୁସନ୍ଧାନ କରିବା ପାଇଁ ମା’ ଲକ୍ଷ୍ମୀ ଗୁଣ୍ଡିଚା ଘରକୁ ଯାଇଥାନ୍ତି । ହେରା ପଞ୍ଚମୀ ଦିନ ଏହି ପରମ୍ପରାକୁ ପ୍ରତୀକାତ୍ମକ ରୂପରେ ପାଳନ କରାଯାଏ ।

ବିଧି ଅନୁଯାୟୀ ସକାଳ ୫ଟାରେ ମନ୍ଦିର ଶୋଧ, ମଙ୍ଗଳ ଆରତୀ, ମଇଲମ, ଅବକାଶ ନୀତି ସହିତ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ପ୍ରାତଃକାଳୀନ ପୂଜାରେ ରୋଷ ହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଏବଂ ବେଶ ଆରତୀ ଆଦି ପ୍ରମୁଖ ନୀତି କରାଯାଇଥିଲା । ପୂଜା ପରମ୍ପରା ଦେଖିବା ସହ ପ୍ରାର୍ଥନା ଏବଂ ଆଶୀର୍ବାଦ ନେବା ପାଇଁ ଗୁଣ୍ଡିଚା ମନ୍ଦିର ପରିସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା ।

ଅପରାହ୍ନରେ ମଧ୍ୟାହ୍ନ ଧୂପ ଏବଂ ପହୁଡ଼ ନୀତି ସମ୍ପନ୍ନ ହୋଇଥିବା ବେଳେ ସନ୍ଧ୍ୟାରେ ଆରତୀ, ୬ଟା୧୦ରେ ଶ୍ରୀଦେବୀଙ୍କ ବେଶ ଲାଗି ଏବଂ ୭ଟାରେ ପଟୁଆରରେ ଦିବ୍ୟ ବିମାନରେ ଯାଇ ଗୁଣ୍ଡିଚା ମନ୍ଦିରରେ ଆଜ୍ଞାମାଳ ବିଜେ ହୋଇଥିଲେ । ସେହିପରି ଅଧ୍ୟାତ୍ମିକ ପରିବେଶ ମଧ୍ୟରେ ୮ଟା ୩୦ରେ ବଡ଼ ସିଂହାର ବେଶ ସହିତ ରୀତିନୀତି ଶେଷ ହୋଇଥିଲା ।
ବର୍ତ୍ତମାନ ଚତୁର୍ଦ୍ଧାମୁର୍ତ୍ତୀଙ୍କ ବାହୁଡ଼ା ଯାତ୍ରା ଦେଖିବା ପାଇଁ ସମସ୍ତ ଶ୍ରଦ୍ଧାଳୁ ଆସନ୍ତା ଶନିବାର ଦିନକୁ ଅପେକ୍ଷା କରି ରହିଛନ୍ତି ।