ଭୁବନେଶ୍ୱରରେ ରୋଜଗାର ମେଳାର ଦଶମ ପର୍ଯ୍ୟାୟରେ ୧୭୬ ଜଣଙ୍କୁ ନିଯୁକ୍ତିପତ୍ର ଦେଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶେଷ ନୀତି ଓ ପ୍ରଭାବଶାଳୀ ପଦକ୍ଷେପ କାରଣରୁ ଆଜି ଦେଶରେ ବେରୋଜଗାରୀ ହ୍ରାସ ପାଇବା ସହ କର୍ମନିଯୁକ୍ତିରେ ମହିଳା ମାନଙ୍କ ଭାଗିଦାରୀ ବଢିଛି ବୋଲି ଶନିବାର ଭୁବନେଶ୍ୱର ଠାରେ ‘ରାଷ୍ଟ୍ରୀୟ ରୋଜଗାର ମେଳା’ ଦଶମ ପର୍ଯ୍ୟାୟ ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ୧୭୬ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିବା ଅବସରରେ କହିଛନ୍ତି ଯେ ୨୦୧୭-୧୮ରେ ଦେଶରେ ୬% ବେରୋଜଗାରୀ ତୁଳନାରେ ୨୦୨୨-୨୩ରେ ଏହା ହ୍ରାସ ପାଇ ୩.୨%ରେ ପହଞ୍ଚିଛି । ୨୦୧୭-୧୮ରେ କର୍ମକ୍ଷେତ୍ରରେ ମହିଳା ଭାଗିଦାରୀ ୨୩% ଥିବାବେଳେ ୨୦୨୨-୨୩ ବର୍ଷରେ ୩୭ %କୁ ବଢିଛି । ସରକାରୀ ଚାକିରି ସମେତ ସାମାଜିକ ଜୀବନରେ ମହିଳା ମାନଙ୍କ ଅଂଶଗ୍ରହଣ ବୃଦ୍ଧି ପାଉଛି । ଏହା ଦ୍ୱାରା ସମାଜର ସନ୍ତୁଳିତ ବିକାଶ ହେଉଛି । ବୈଜ୍ଞାନିକ ଦୃଷ୍ଟିରୁ ପୁରୁଷଙ୍କ ତୁଳନାରେ ମହିଳାମାନେ କାର୍ଯ୍ୟ କ୍ଷେତ୍ରରେ ଅଧିକ ପରିଶ୍ରମୀ ଓ ସମ୍ବେଦନଶୀଳ । ଏଥିପାଇଁ କାର୍ଯ୍ୟକ୍ଷେତ୍ର, ନୀତି ନିର୍ଦ୍ଧାରକ, ନେତୃତ୍ୱ, ଶିକ୍ଷା ଏବଂ ସ୍କିଲିଂ ଇକୋସିଷ୍ଟମରେ ମହିଳାମାନଙ୍କୁ ସାମିଲ କରିବା ପାଇଁ ମୋଦି ସରକାର ଅଭିନବ ପ୍ରୟାସ କରୁଛନ୍ତି ।

ମାତୃତ୍ୱକାଳୀନ ଛୁଟିର ସମୟ ସୀମାକୁ ବଢାଯାଇଛି । ଉଜ୍ଜ୍ୱଳା ଯୋଜନା, ଆବାସ ଯୋଜନା, ଶୌଚାଳୟ ନିର୍ମାଣ, ଜନଧନ, ମୁଦ୍ରା, ଷ୍ଟାଣ୍ଡଅପ୍ ଭଳି ଯୋଜନା ଦ୍ୱାରା ମହିଳାମାନେ ସଶକ୍ତ ଓ ଆତ୍ମନିର୍ଭର ହେଉଛନ୍ତି । ସମାଜର ବିକାଶ ପାଇଁ ମହିଳାଙ୍କ ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇଛନ୍ତି । ଆଜି ଦେଶରେ ଓ୍ୱାର୍କ ଫୋର୍ସକୁ ବଢାଇବା ପାଇଁ ହେଲେ ସମସ୍ତଙ୍କୁ ବିଶେଷ ଭାବରେ ପରିବର୍ତ୍ତିତ ଟେକ୍ନୋଲୋଜି ପ୍ଲାଟଫର୍ମକୁ ଆପଣାଇ ମହିଳାଙ୍କୁ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍ -ସ୍କିଲିଂ କରାଇବା ପାଇଁ ପଡିବ । ଏହା ଦ୍ୱାରା ଦେଶର ଅର୍ଥନୀତି ଆହୁରି ମଜଭୂତ୍ ହେବ । ଓଡ଼ିଶା ସମେତ ଦେଶରେ କେବଳ ନିଯୁକ୍ତି ଦେବା ପାଇଁ ନୁହେଁ ବରଂ ନିଯୁକ୍ତିଦାତା ସୃଷ୍ଟି କରାଇବା ପାଇଁ ହେବ । ଶିକ୍ଷା, ଦକ୍ଷତା, କାର୍ଯ୍ୟକ୍ଷେତ୍ରରେ ମହିଳା ଓ ଗ୍ରାମାଞ୍ଚଳର ଭାଗିଦାରୀକୁ ବଢାଇବା ପାଇଁ ହେବ । ବଟମ୍ ଅଫ୍ ପିରାମିଡ୍ ତଥା ସମାଜର ଅନ୍ତିମ ଶ୍ରେଣୀରେ ଥିବା ଗରିବ, ବଞ୍ଚିତ, ଏସସି, ଏସଟି, ଓବିସି, ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ମଧ୍ୟରେ ଶିକ୍ଷା ଓ ସ୍କିଲକୁ ଯୋର୍ ଦେବାକୁ ପଡିବ । ସେମାନଙ୍କ ହାତ ଧରି ମୁଖ୍ୟସ୍ରୋତରେ ଯୋଡିଲେ ହିଁ ସମାଜର ବିକାଶ ହେବ ।

Leave a Reply

Your email address will not be published. Required fields are marked *