ନୂଆଦିଲ୍ଲୀ: ରାଜ୍ୟ ସ୍ବାର୍ଥକୁ ସର୍ବାଧିକ ଗୁରୁତ୍ବ ଦିଅ । ସଂସଦରେ ଓଡ଼ିଶା ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗକୁ ଶାଣିତ ସ୍ୱରରେ ଉଠାଅ । ବିଜୁ ଜନତା ଦଳର ସାଂସଦମାନଙ୍କୁ ଏ ମନ୍ତ୍ର ଫୁଙ୍କିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ । ଦିଲ୍ଲୀରେ ଆଜି ବିଜେଡି ସଂସଦୀୟ ଦଳ ବୈଠକରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂସଦୀୟ ଦଳ ବୈଠକରେ ଯୋଗ ଦେଇ ରାଜ୍ୟ ସ୍ୱାର୍ଥ ରକ୍ଷା ପାଇଁ ଦାବି ଉଠାଇବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସଂସଦର ବିଜେଡି କାର୍ଯ୍ୟାଳୟରେ ଓଡ଼ିଶାର ପୁରୁଣା ପ୍ରସଙ୍ଗ ଓ ସ୍ୱାର୍ଥକୁ ନେଇ ଦଳୀୟ ସାଂସଦଙ୍କ ସହ ଆଲୋଚନା ବେଳେ ଗମ୍ଭୀରତାର ସହ ରାଜ୍ୟର ପୁରୁଣା ଦାବିକୁ ସଂସଦର ଉଭୟ ଗୃହରେ ଉପସ୍ଥାପନ ପାଇଁ ସେ ସାଂସଦମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ।

