ଓଡ଼ିଆ ଜାତି ସର୍ବଦା ଗୋପବନ୍ଧୁଙ୍କ ନିକଟରେ ଋଣୀ: ମୁଖ୍ୟମନ୍ତ୍ରୀ

ପୁରୀ: ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ଏକ ଐତିହାସିକ ଗ୍ରାମରେ ରୂପାନ୍ତରିତ ହୋଇଛି। ସୁଆଣ୍ଡୋକୁ ଯାଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁନଃବିକଶିତ ଜନ୍ମପୀଠର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମମାଟିରେ ପାଦ ଦେଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ମୁଁ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ସେ ଥିଲେ ଯୁଗପୁରୁଷ। ଓଡ଼ିଆ ଜାତି ସର୍ବଦା ଗୋପବନ୍ଧଙ୍କଠାରେ ଋଣୀ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୫ଟି ଉପକ୍ରମରେ ଓଡ଼ିଶାର ବରପୁତ୍ରମାନଙ୍କ ଜନ୍ମପୀଠର ବିକାଶ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଉତ୍କଳ ଗୌରବ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର, ସହିଦ ଲକ୍ଷ୍ମଣ ନାୟକ ଏବଂ ଆହୁରି ଅନେକ ମହାପୁରୁଷଙ୍କ ତ୍ୟାଗ ଓ ସାଧନା ଓଡ଼ିଶାର ଗୌରବ ବଢାଇଛି।

ଗୋପବନ୍ଧୁଙ୍କ ସ୍ମୃତି ଚାରଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଉତ୍କଳମଣି ଥିଲେ ମାନବ ସମାଜର ମଣି । ତାଙ୍କ ତ୍ୟାଗ, ଦେଶଭକ୍ତି, ସେବା ଓ ଜାତିପ୍ରୀତିର ତୁଳନା ନାହିଁ। ସ୍ବାଧୀନତା ସଂଗ୍ରାମରୁ ଆରମ୍ଭ କରି ଓଡ଼ିଶାର ଶିକ୍ଷା, ସାହିତ୍ୟ, ସଂସ୍କୃତି, ରାଜନୀତି, ସେବା ଓ ମାନବିକତାର ନୂଆ କୀର୍ତ୍ତି ସ୍ଥାପନ କରିଯାଇଛନ୍ତି। ଓଡ଼ିଶାରେ ଜାତୀୟତାବାଦୀ ଚେତନାର ବିକାଶରେ ସେ ଥିଲେ କର୍ଣ୍ଣଧାର। ଭୋଗ ନୂହେଁ, ତ୍ୟାଗ ହିଁ ମହାନ, ସେବା ହିଁ ଶ୍ରେଷ୍ଠ – ଏହା ହିଁ ହେଉଛି ଗୋପବନ୍ଧୁଙ୍କ ଜୀବନର ବାର୍ତ୍ତା। ସେ ସବୁବେଳେ ଆମ ପାଇଁ ପ୍ରେରଣା ହୋଇ ରହିଛନ୍ତି ଓ ରହିଥିବେ। ଗୋପବନ୍ଧୁଙ୍କ ‘ଭାର୍ଗବୀ ସଂକଳ୍ପ’କୁ ଜୀବନର ବ୍ରତ କରି ଏକ ନୂଆ ଓ ସଶକ୍ତ ଓଡ଼ିଶା ଗଠନ ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି।

ଗୋପବନ୍ଧୁଙ୍କ ଜନ୍ମ ମାଟିର ବିକାଶରେ ମୁଖ୍ୟମନ୍ତ୍ରୀ ଏଥିପାଇଁ ଉତ୍କଳମଣିଙ୍କ ପରିବାର ଓ ସୁଆଣ୍ଡୋଙ୍କ ଜନସାଧାରଣଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି। ଏହାସହିତ ରାଜ୍ୟ ସଂସ୍କୃତି ବିଭାଗ ଓ ପୁରୀ ଜିଲ୍ଲା ପ୍ରଶାସନକୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ।କାର୍ଯ୍ୟକ୍ରମରେ ଯୋଗ ଦେଇ ଗୋପବନ୍ଧୁଙ୍କ ନାତି  ଧୀରେନ୍ଦ୍ର କୁମାର ଦାସ, ଉତ୍କଳମଣିଙ୍କ ଜନ୍ମପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହାଦ୍ବାରା ରାଜ୍ୟରେ ମହାପୁରୁଷମାନଙ୍କ ମାର୍ଗରେ ଚାଲିବାକୁ ଜନସାଧାରଣ ପ୍ରେରିତ ହେବେ ବୋଲି ସେ କହିଛନ୍ତି।ଐତିହାସିକ ଗ୍ରାମରେ ରୂପାନ୍ତରିତ ହୋଇଛି ସୁଆଣ୍ଡୋ। ଲୋକେ ଏଥିପାଇଁ ସଂପୂର୍ଣ୍ଣ ସହଯୋଗ କରିବାରୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସଶକ୍ତ ଓଡ଼ିଶା ଗଠନ ଦିଗରେ କାମ କରିବାକୁ ପୁଣିଥରେ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ପ୍ରଥମେ ଶିବ ମନ୍ଦିରକୁ ଯାଇ ପୂଜା କରିଥିଲେ ପରେ ଷଠିଘର ବୁଲିଥିଲେ। ଏହାପରେ ଉତ୍କଳମଣି ଗୋପବନ୍ଧୁଙ୍କ ଷଠିଘର, ଗ୍ରାମ୍ୟ ଶିବମନ୍ଦିର,ଗୋପବନ୍ଧୁଙ୍କ ସଂଗ୍ରହାଳୟ, ଶିଶୁ ଉଦ୍ୟାନ ସହିତ ଗୋପବନ୍ଧୁଙ୍କ ୧୫ ଫୁଟ ଉଚ୍ଚତା ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ଲୋକାର୍ପଣ କରିଥିଲେ।ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ୧୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷାସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ, କ୍ରୀଡ଼ାମନ୍ତ୍ରୀ  ତୁଷାରକାନ୍ତି ବେହେରା,  ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ସାଂସଦ ପିନାକୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ବି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ‘ସମାଜ’ ଖବରକାଗଜ ପକ୍ଷରୁ ନିରଞ୍ଜନ ରଥ ମଧ୍ୟ ଉପସ୍ଥିତ ଥିଲେ।

୫ଟି ଉପକ୍ରମରେ ଉତ୍କଳମଣିଙ୍କ ଜନ୍ମସ୍ଥାନର ରୂପାନ୍ତରରେ ପୁରୀ  ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ପୂର୍ବତନ ଜିଲ୍ଲାପାଳ ବଲବନ୍ତ ସିଂହଙ୍କ ଉଦ୍ୟମର ଉଚ୍ଚ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସ୍ବାଗତ ଭାଷଣ ଦେଇଥିଲେ ଏବଂ ପୁରୀ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।ପ୍ରକଳ୍ପ ଲୋକର୍ପଣ କରିବା ଅବସରରେ ସେ ପ୍ରାୟ ଏକ ଘଣ୍ଟା ସୁଆଣ୍ଡୋରେ ରହିଥିଲେ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ୨୫ କୋଟି ୮୦ ଲକ୍ଷ ଟଙ୍କାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ଜନ୍ମପୀଠ ସୁଆଣ୍ଡୋ ଗାଁ ନୂଆ ରୂପ ପାଇଛି।

Leave a Reply

Your email address will not be published. Required fields are marked *