୮ହଜାର ସହଭାଗୀଙ୍କୁ ସାଇକେଲ ବଣ୍ଟନ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଳସାଥୀ, ଆହାର ସାଥୀ, ସ୍ବଚ୍ଛସାଥୀ ଓ ସୁପରଭାଇଜର୍ ଆଦିଙ୍କୁ ସାଇକେଲ ବଣ୍ଟନ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ୮ହଜାର ସହଭାଗୀଙ୍କୁ ସାଇକେଲ ବଣ୍ଟନ କରାଯାଇଛି।

ଲୋକସେବା ଭବନରେ ଆୟୋଜିତ ଉତ୍ସବରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମାମାନଙ୍କ ସଫଳତାରେ ମୁଁ ଖୁସି। ଆପଣମାନଙ୍କ ଆତ୍ମବିଶ୍ବାସ ହି ମିଶନ ଶକ୍ତିକୁ ନଂ୧ କରିଛି। ମା’ମାନେ ବହୁତ ଭଲ କାମ କରୁଛନ୍ତି ତାହାକୁ ଜାରି ରଖନ୍ତୁ । ମୁଁ ସବୁବେଳେ ଆପଣଙ୍କ ସାଥୀରେ ଅଛି। ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ମୁଁ ଯାଉଛି, ମିଶନ ଶକ୍ତିର ମା’ ମାନଙ୍କୁ ଭେଟୁଛି। ନବୀନ ନିବାସକୁ ମା’ ମାନେ ଆସି ମୋତେ ଭେଟୁଛନ୍ତି। ମା’ମାନଙ୍କ ସଫଳତା ବହୁତ ଖୁସି ଦେଉଛି, ମା’ ମାନଙ୍କ ଆତ୍ମବିଶ୍ୱାସ ଓ ଉତ୍ସାହ ମିଶନ ଶକ୍ତିକୁ ଏକ ନମ୍ବର ସଫଳ କାର୍ଯ୍ୟକ୍ରମ କରିଛି । ବିଭିନ୍ନ ସହରରେ ମା’ ମାନେ ଅନେକ ଦାୟିତ୍ୱ ନେଇଛନ୍ତି । ମା’ ମାନେ କରୁଥିବା କାମରେ ସମସ୍ତେ ଖୁସି । ମା’ ମାନେ ଯେପରି ସୁବିଧାରେ ଦାୟିତ୍ୱ ପାଳନ କରିବେ ସେଥିପାଇଁ ରାଜ୍ୟ ସରକାର ସମସ୍ତ ସୁବିଧା ଯୋଗାଇ ଦେଇଛନ୍ତି। ୮୦୦୦ରୁ ଅଧିକ ମା’ ମାନେ ସାଇକେଲ ପାଇବେ। ଏହାଦ୍ୱାରା ମା’ ମାନଙ୍କର କାମ ସହଜ ହେବ। ଓଡ଼ିଶା ସରକାରର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମିଶନ ଶକ୍ତି ମା’ ମାନଙ୍କୁ ୧୦୦ କୋଟି ଟଙ୍କାର ଇନସେନଟିଭ ଦେଇଛି। ଓଡ଼ିଶା ଏବେ ବିଶ୍ୱସ୍ତରରେ ନାଁ କମାଇଛି। ଆଉ ଏଥିରେ ମିଶନ ଶକ୍ତି ମା’ ମାନଙ୍କର ଯଥେଷ୍ଟ ଅବଦାନ ରହିଛି। ଭଲ କାମ କରି ଓଡ଼ିଶାର ସମ୍ମାନ ବୃଦ୍ଧି କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ କହିଥିଲେ ଯେ ମିଶନ ଶକ୍ତି ମା ମାନେ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ଓଡିଶା ଗଠନକୁ ସାକାର କରିବା ପାଇଁ ବହୁତ ଭଲ କାମ କରୁଛନ୍ତି । ସାଇକେଲ ପାଇବା ଦ୍ବାରା କର୍ମ କ୍ଷେତ୍ରରେ ସେମାନଙ୍କୁ ବହୁ ସୁବିଧା ଓ ସ୍ବାଧୀନତା ମିଳିପାରିବ। ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ କହିଲେ ଯେ ଗୋଷ୍ଠୀଗତ ବିକାଶର ଏକ ଅନୁପମ ବାର୍ତ୍ତାବହ ହେଉଛି ମିଶନ ଶକ୍ତି । ମୁଖ୍ୟମନ୍ତ୍ରୀଙ୍କ ଦିଗ‌ଦର୍ଶନରେ ଏହା ଆଜି ନୂଆ ମାଇଲଷ୍ଟୋନ ସ୍ଥାପନ କରିପାରିଛି ।କାର୍ଯ୍ୟକ୍ରମରେ ଦୁଇ ଜଣ ମିଶନ ଶକ୍ତି ମା ପଦ୍ମାବତୀ ଦାସ (ଆହାର କର୍ମୀ) ଓ ସୀତା ମୁର୍ମୁ (ସ୍ବଚ୍ଛକର୍ମୀ) ନିଜ ନିଜର ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ମିଶନ ଶକ୍ତି କାର୍ଯ୍ୟକ୍ରମ ଯୋଗୁ ସେମାନେ ଆଜି ସ୍ବାବଲମ୍ବୀ ହେବା ସହିତ ନିଜ ନିଜ ପରିବାରର ଛୋଟ ଛୋଟ ଅସୁବିଧା ମଧ୍ୟ ଦୂର କରିପାରୁଛନ୍ତି। ସାଇକେଲ ଦ୍ବାରା ସେମାନଙ୍କ ସମୟ ବଞ୍ଚିବା ସହିତ କାର୍ଯ୍ୟଦକ୍ଷତା ବଢିବ ବୋଲି ସେମାନେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ  ଜି. ମାଥିଭାତନନ ସ୍ବାଗତ ଭାଷଣ ଦେଇଥିଲେ ଏବଂ ବିଏମସି କମିଶନର  ବିଜୟ ଅମୃତ କୁଲାଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଏମସି ମେୟର ସୁଲୋଚନା ଦାସ ବି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *