ଭୁବନେଶ୍ବର: ସମ୍ଭାବ୍ୟ ପ୍ରବଳ ବର୍ଷା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ତର ଓଡ଼ିଶାବାସୀଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି। କେନ୍ଦୁଝର, ମୟୂରଭଂଜ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାବାସୀଙ୍କ ନିକଟରେ ଅପିଲ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭୟଭୀତ ନହୋଇ ପ୍ରଶାସନର ନିର୍ଦ୍ଦେଶ ମାନନ୍ତୁ। ପ୍ରଶାସନକୁ ସହଯୋଗ କରନ୍ତୁ। ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ନିଜେ ସୁରକ୍ଷିତ ରହନ୍ତୁ ଓ ପରିବାରର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ।

ରାଜ୍ୟରେ ଲଘୁଚାପର ସ୍ଥିତି ନେଇ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗଭୀର ଅବପାତର ରୂପ ନେଇ ଆଗାମୀ ୭-୮ ଘଣ୍ଟା ଭିତରେ ଏହା ସ୍ଥଳ ଭାଗ ଛୁଇଁବ। ଏହାର ପ୍ରଭାବରେ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପବନ ବହିବ। ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ରହିଛି। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରୁ ଫେରି ଆସିବାକୁ ନିର୍ଦ୍ଦେଶ ରହିଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ୨୦ ତାରିଖରେ ୪ଟି ଜିଲ୍ଲା (କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ)ରେ ବର୍ଷା ହେବ । ଉପର ମହାନଦୀ ଅଞ୍ଚଳରେ ବେଶି ବର୍ଷା ହେବା ଭଳି ଲାଗୁନାହିଁ। ଇବ ଓ ଭେଡେନ ନଦୀ ଅବବାହିକାରେ ବର୍ଷା ସମ୍ଭାବନା ରହିଛି। ବୈତରଣୀ, ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ଉପରେ ନଜର ରହିବ। କେନ୍ଦୁଝର ଓ ମୟୁରଭଞ୍ଜର ୩ଟି ଡ୍ୟାମରୁ ଜଳସ୍ତର କମାଯାଉଛି। ଗତକାଲି ଠାରୁ ୩ ହଜାର କ୍ୟୁସେକ ଜଳ ସାଳନ୍ଦୀ ନଦୀରେ ଛଡ଼ାଯାଇଛି । ଭଦ୍ରକ ସହର ଉପରେ ମଧ୍ୟ ନଜର ରହିଛି। ଶିମିଳିପାଳ, ଝାଡ଼ଖଣ୍ଡରେ ବର୍ଷା ଉପରେ ବନ୍ୟା ନିର୍ଭର କରୁଛି। ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି।

କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଅଞ୍ଚଳରେ ଓଡ୍ରାଫ୍ ଓ ଏନଡିଆରଏଫ ନିୟୋଜିତ କରାଯିବ। ବାତ୍ୟା ବୋଲି କୁହାଯିବ ନାହିଁ। କିନ୍ତୁ ଆମେ ପ୍ରସ୍ତୁତ ଅଛୁ। ବାତ୍ୟା ଓ ଏହାର ପ୍ରଭାବରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଆଜି ଏବଂ ଆସନ୍ତାକାଲି ବାଲେଶ୍ଵର ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ ରହିବ। ଆସନ୍ତାକାଲି ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରହିବ। କିନ୍ତୁ କର୍ମଚାରୀମାନେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ଏହା ଆଜି ସନ୍ଧ୍ୟାରେ ଦୀଘା ଉପକୂଳରେ ଫଲ କରିବାର ଆଇଏମଡି ଆକଳନ କରିଛି। ୬୦ ରୁ ୭୦ କିଲୋମିଟର ବେଗରେ ପବନ ବହିବା ସହ ଆସନ୍ତାକାଲି ୧୦ ଟା ଯାଏଁ ପ୍ରବଳ ବର୍ଷା ହେବ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।