ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଉଭୟ ଜିଲ୍ଲାର ୧୦ ଲକ୍ଷ ଲେଖାଏଁ ଲୋକ ଏହି ସୁବିଧା ପାଇବେ। ଏହାସହିତ ରାଜ୍ୟର ୧୫ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ।ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ୍ କାର୍ଡ ସୁସ୍ଥ ଓଡ଼ିଶା ଓ ସୁଖୀ ଓଡ଼ିଶା ଦିଗରେ ଏକ ବଳିଷ୍ଠ ପଦକ୍ଷେପ। ସମସ୍ତଙ୍କର ସମ୍ମାନର ସହିତ ବଞ୍ଚିବାର ଅଧିକାର ଅଛି ଏବଂ ଏହି ହେଲଥ୍ କାର୍ଡ ଏହି ଅଧିକାରକୁ ସୁନିଶ୍ଚିତ କରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଢେଙ୍କାନାଳ ଜିଲ୍ଲା ପାଇଁ ୮୮୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିବା ବେଳେ ଅନୁଗୋଳ ପାଇଁ ୧୧୭୬ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରିଛନ୍ତି।
ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଅନୁଗୋଳ ଜିଲ୍ଲା ଯାଇ ସେଠାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ବରେଣ୍ୟ ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଚୌଧୁରୀଙ୍କ ସଂକଳ୍ପ ଓ ତ୍ୟାଗକୁ ସ୍ମରଣ କରିଥିଲେ। ସେମାନଙ୍କ ପ୍ରତିଷ୍ଠିତ ବାଜିରାଉତ ଛାତ୍ରାବାସ ପାଇଁ ଅନୁଗୁଳ ଜିଲ୍ଲା ପ୍ରସିଦ୍ଧ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ
ଏହି ଅବସରରେ ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ସଂଗ୍ରାମୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ମୁଖ୍ୟମନ୍ତ୍ରୀ ଅନୁଗୋଳ ପାଇଁ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରି ରାଜ୍ୟ ସରକାର ବର୍ତ୍ତମାନ ଭଲ ପିଇବା ପାଣି ଉପରେ ଗୁରୁତ୍ବ ଦେଇଆସୁଛନ୍ତି। ଜିଲ୍ଲାରେ ମିଲେଟ ମିସନ ପ୍ରତି ଚାଷୀଙ୍କ ଆଗ୍ରହ ବଢୁଥିବା ଯୋଗୁ ସେ ଖୁସି ପ୍ରକାଶ କରି କହିଲେ, ଜିଲ୍ଲାରେ ୩୦୦୦ ଚାଷୀ ଏଥିରେ ସାମିଲ ହୋଇଛନ୍ତି। ଏହା ଆମର ପୁଷ୍ଟି ନିରାପତ୍ତାକୁ ମଜଭୁତ କରିବ ବୋଲି ସେ କହିଥିଲେ ।
ଏହାଛଡା ମୁଖ୍ୟମନ୍ତ୍ରୀ ଅନୁଗୋଳ ଜିଲ୍ଲା ପାଇଁ ମୋଟ ୧୧୭୬କୋଟି ଟଙ୍କାର ନୂଆ ପ୍ରକଳ୍ପ ଘୋଷଣା କରିଥିଲେ। ଆଜି ୮୭ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଥିଲେ। ଯାହାର ବ୍ୟୟ ଅଟକଳ ୯୨୩କୋଟି ଟଙ୍କା। ଆଜି ୨୫୨କୋଟି ୬୧ଲକ୍ଷ ଟଙ୍କାର ୩୪୫ଟି ପ୍ରକଳ୍ପର ଉଦ୍ଘାଟନ କରିଥିଲେ। ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ପାନୀୟ ଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ସେ ବିଶେଷ ଗୁରୁତ୍ୱ ଦେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଗସ୍ତ ଅବସରରେ ୫ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହି ସ୍ୱାଗତ କରିଥିଲେ।