୭ଟି ଜିଲ୍ଲାରେ ମେଡିକାଲ ଅକ୍ସିଜେନ ସଂରକ୍ଷଣ ଓ ବଣ୍ଟନ ବ୍ୟବସ୍ଥା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାର ଦ୍ୱିତୀୟ ଲହର ସହ ତୃତୀୟ ପ୍ରବାହ ଆସିବା ନେଇ ଆଶଙ୍କା ରହିଛି।  । ଏହି ଭଳି ସ୍ଥିତିରେ କରୋନା ମୁକାବିଲାକୁ ରାଜ୍ୟ ସରକାର ଜୋରଦାର କରିବା ସହ ସ୍ୱାସ୍ଥ୍ୟ ସୁରକ୍ଷାକୁ ଅଗ୍ରାଧିକାରୀ ଦେଉଛନ୍ତି ।ସେଥିପାଇଁ ଆଜି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରାଜ୍ୟର ଆଉ ୭ଟି ଜିଲ୍ଲାରେ ମେଡିକାଲ ଅକ୍ସିଜେନ୍ ସଂରକ୍ଷଣ ଓ ବଣ୍ଟନ ବ୍ୟବସ୍ଥା ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି। ଏଥିସହିତ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଅକ୍‌ସିଜେନ ପ୍ଲାଣ୍ଟ ପାଇଁ କାମ ଆରମ୍ଭ ହୋଇଛି। ଆଗାମୀ ଦୁଇ ମାସ ମଧ୍ୟରେ ଏହିସବୁ ପ୍ଲାଣ୍ଟରୁ ସେବା ଯୋଗାଇ ଦିଆଯାଇପାରିବ।

ଅନୁଗୋଳ ବୌଦ୍ଧ, ଦେବଗଡ, ଢେଙ୍କାନାଳ, ଗଜପତି, ଭବାନୀପାଟଣା ଓ ନୂଆପଡା ଜିଲ୍ଲାରେ ଏ ନେଇ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ପ୍ରତ୍ୟେକ ସଂରକ୍ଷଣ ବ୍ୟବସ୍ଥାରେ ୬ କିଲୋଲିଟର ତରଳ ଅକ୍‌ସିଜେନ ସଂରକ୍ଷଣ ଓ ବଣ୍ଟନ କରାଯାଇପାରିବ । ଏହାସହିତ ମୁଖ୍ୟମନ୍ତ୍ରୀ ଅନୁଗୋଳ ଜିଲର ଆଠମଲ୍ଲିକ ଉପଖଣ୍ଡ ହସ୍‌ପିଟାଲରେ ଅକ୍ସିଜେନ୍ ପାଇପ ସଂଯୁକ୍ତ କୋଭିଡ ୱାର୍ଡ, ପାଲଲହଡ଼ା ଉପଖଣ୍ଡ ହସ୍‌ପିଟାଲ, ମାଧପୁର ଓ କିଶୋରନଗରର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଠାକୁରଗଡ ଓ ବଇଣ୍ଡାର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଅକ୍‌ସିଜେନ ପାଇପ ସଂଯୁକ୍ତ ଆଇସୋଲେସନ୍‌ ୱାର୍ଡ, ଓ ତା’ ସହିତ ଦେବଗଡ ରାଜମୁଣ୍ଡାସ୍ଥିତ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟୀକା ଭଣ୍ଡାର ଗୃହର ଉଦ୍‌ଘାଟନ କରିଛନ୍ତି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାମାରୀ ସମୟରେ ରାଜ୍ୟ ସରକାରଙ୍କ ପାଇଁ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ହେଉଛି ସର୍ବାଧିକ ପ୍ରାଥମିକତା । ଜଣେ ବି କୋଭିଡ ରୋଗୀ ଯେପରି ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ନ ହୁଅନ୍ତି, ସେ ଦିଗରେ ଆମେ କାମ କରୁଛୁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥିପାଇଁ ସମସ୍ତ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡୀ କର୍ମୀମାନଙ୍କୁ ପୁଣିଥରେ ଧନ୍ୟବାଦ ଦେଇଥିଲେ। 

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରେ ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ।

ସେହିପରି ଏହି ଉଦ୍ଘାଟନ କାର୍ଯ୍ୟକ୍ରମ ପାଇ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ଵତନ୍ତ୍ର ଆୟୋଜନ ହୋଇଥିଲା।କାର୍ଯ୍ୟକ୍ରମରେ ଉପବାଚସ୍ପତି,ରଜନୀକାନ୍ତ ସିଂ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ,ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ପାଳଲହଡା ବିଧାୟକ ମୁକେଶ ପାଲ, ଓ ଆଠମଲ୍ଲିକ ବିଧାୟକ ରମେଶ ସାଏ ଉପସ୍ଥିତ ରହିଥିବେ ବେଳେ ଜିଲାପାଳ ସିଦ୍ଧାର୍ଥ ଶଙ୍କର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଏହା ସହ ସିଡ଼ିଏମଓ ତ୍ରିଲୋଚନ ପ୍ରଧାନ ଏବଂ ଜିଲା ପ୍ରଶାସନ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *