ବାରିପଦା: ଆଜି ମୟୂରଭଞ୍ଜ ଜିଲ୍ଲାର ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜଳସେଚନ ପ୍ରକଳ୍ପର କେନାଲ ସିଷ୍ଟମରୁ ୧୫,୩୫୯ ହେକ୍ଟର ଚାଷ ଜମିକୁ ପାଣି ଛଡ଼ା ଯାଇଛି । ଏହାଦ୍ଵାରା ମୟୂରଭଞ୍ଜ ଜିଲ୍ଲାର ବାରିପଦା, ବେତନଟୀ, ମୋରଡ଼ା, ଶୂଳିଆପଦା ଓ ରାସଗୋବିନ୍ଦପୁର ବ୍ଲକର ୯୪ଟି ଗ୍ରାମର ଚାଷ ଜମିକୁ ଜଳସେଚନର ସୁବିଧା ମିଳିଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଆଜି ମୟୂରଭଞ୍ଜ ଜିଲ୍ଲା ଓ ସାରା ଓଡ଼ିଶା ପାଇଁ ଏକ ଆନନ୍ଦର ଦିନ । ଏହା ଦ୍ଵାରା ମୟୂରଭଞ୍ଜରେ ଜମିରେ ସୁନାର ଫସଲ ଫଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଦ୍ଵାରା ମୟୂରଭଞ୍ଜ ଓ ବାଲେଶ୍ଵରର ୧.୦୯ ଲକ୍ଷ ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୟୂରଭଞ୍ଜ ତାଙ୍କ ପାଇଁ ସ୍ଵତନ୍ତ୍ର ଗୁରୁତ୍ଵ ବହନ କରେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ମୟୂରଭଞ୍ଜରେ ସ୍ୱାସ୍ଥ୍ୟସେବାର ବିକାଶ ହେଉ ବା ମିଶନଶକ୍ତି କାର୍ଯ୍ୟର ସଫଳ ରୂପାୟନ ହେଉ ବା ଜନଜାତି ମାନଙ୍କର ବିକାଶ ସବୁ କ୍ଷେତ୍ରରେ ମୟୂରଭଞ୍ଜ ଆଜି ଉନ୍ନତି କରୁଛି । ସବୁ ଘରକୁ ସବୁ ପରିବାରକୁ ପାଇପ ପାଣି ଯୋଗାଇବାରେ ଦେଶର ଅଳ୍ପ କେତେକ ଜିଲ୍ଲା ମଧ୍ୟରୁ ମୟୂରଭଞ୍ଜ ଦେଶର ପ୍ରଥମ ଜିଲ୍ଲା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୟୂରଭଞ୍ଜରେ ପାଇପ ପାଣି ପ୍ରକଳ୍ପ ପାଇଁ ୭୬୮ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି ସେ ସୂଚନା ଦେଇଥିଲେ