ନୂଆଦିଲ୍ଲୀ: ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍ ରାଜ୍ୟ ମାନ୍ୟତା ଦେବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିତି ଆୟୋଗ ବୈଠକରେ ଏହି ଦାବି ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଛନ୍ତି।ଏହି ବୈଠକରେ ନବୀନ ଓଡ଼ିଶାକୁ ଫୋକସ ଷ୍ଟେଟର ମାନ୍ୟତା, କୃଷି, ସ୍ୱାସ୍ଥ୍ୟ ସହ ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି, ପ୍ରତିବର୍ଷ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବାରୁ ରାଜ୍ୟକୁ ସ୍ବତନ୍ତ୍ର ଧ୍ୟାନ ଦିଆଯାଉ। ୨ ଦଶନ୍ଧି ଧରି କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶା ଏହି ଦାବି କରି ଆସୁଛି। ହେଲେ କେନ୍ଦ୍ର ପ୍ରତିଶ୍ରୁତି ଦେଇ ଅଣଦେଖା କରୁଛି।ଅଧିକାଂଶ ଆଦିବାସୀ ଓ କେବିକେ ଜିଲ୍ଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ଯୋଜନା ସଂପର୍କିତ ଅସାମଞ୍ଜସ୍ୟ ତୁରନ୍ତ ଦୂର କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ଏଥିସହ ବୈଠକରେ ଏଏସଆଇ ଓ ଏଏମ୍ଏସ୍ଏଆର୍ ରୂପାନ୍ତରଣ ଦାବି କରିଛନ୍ତି। ଏହାର ଟେକ୍ନୋଲୋଜି ଓ ନ୍ୟାୟିକ ଢାଞ୍ଚାରେ ପରିବର୍ତ୍ତନ ପାଇଁ ଜଣାଇଛନ୍ତି । ଏହାଦ୍ବାରା କୋଣାର୍କ ଭଳି ଐତିହ୍ୟସ୍ଥଳୀକୁ ସୁରକ୍ଷିତ ରଖାଯାଇପାରିବ।


ନୀତି ଆୟୋଗ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀଙ୍କ ଅଧୀନରେ କୋଭିଡ୍ ମହାମାରୀକୁ ପ୍ରଭାବଶାଳୀ ଭାବେ ନିୟନ୍ତ୍ରଣ କରାଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ତା’ର କ୍ରୀଡା ଦକ୍ଷତା ଦେଖାଉଛି। ଦେଶକୁ ଗୌରବାନ୍ବିତ କରିଥିବା କ୍ରୀଡାବିତ୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ସେମାନଙ୍କ ପାଇଁ ମାତୃଭୂମି ଆଜି ଗର୍ବିତ।