” ଫଗୁଣର ଫଗୁ ଖେଳ “
ଫଗୁଣ ମାସର ମଳୟ ପବନ
ଲାଗି ବଡ ଶୀତଳ
ପ୍ରତି ଘରେ ଘରେ ଆନନ୍ଦ ଉଲ୍ଲାସ
ଭରି ଦିଅଇ ଚହଳ।।୧।।
ଆମ୍ର ବକୁଳର ବନେ କୋକିଳର
କୁଜନ ବଡ ସୁନ୍ଦର
ଫଗୁଣ ଦଶମୀ ଚାଞ୍ଚେରୀରେ ବିଜେ
ରାଧିକା ମୁରଲୀଧର।।୨।।
ଗୋପାଳ ଓଗାଳ ଭେରୀ ତୁରୀ ବାଦ୍ୟ
ସିଙ୍ଗାର ଶବଦେ ନୃତ୍ୟ
ଲଉଡି ଖେଳ ଯେ କେଡେ ମନୋହର
ହୃଦୟ ଲାଗଇ କୃତ୍ୟ।।୩।।
ନାନା ଜାତି ଫୁଲେ ବିମାନ ସଜାଇ
ଆମ୍ର ପେନ୍ଥା ର ତୋରଣେ
କାନ୍ଧରେ ବୋହିବା ଦିଶଇ ସୁନ୍ଦର
କୃଷ୍ଣ ନାମ ଉଚ୍ଚାରଣେ।।୪।।
ଫଗୁଣ ଆଣଇ ବାଡିରେ ସବୁଜ
ପନିପରିବାକୁ ବୋହି
ଫଗୁଣ ଆଣଇ ବିବାହର ତିଥି
କୁଆଁରୀ ମନକୁ ଛୁଇଁ ।।୫।।
ଫଗୁଣ ଆଣଇ ସାତରଂଗ ପୁଣି
ହରିହର ଭେଟଖେଳ
ଫଗୁଣ ପୁନେଇ ହୋଲି ମହୋତ୍ସବ
ନାନା ଜାତି ରଂଗ ଫୁଲ।।୬।।
ଫଗୁଣ ଆଣଇ ପିଠା ମିଠା ପଣା
ରଂଗର ଯାତରା ଦୋଳ
ଫୁଲେଇ ଫଗୁଣ ହସୁଥାଏ ଦେଖି
ରଂଗଭର ଏ ସଂସାର।।୭।।
ରଂଗ ଅବିରରେ ପିଚକାରୀ ଖେଳ
ରାଧାକୃଷ୍ଣେ ଫଗୁ ଦେଇ
କୁଞ୍ଜକୁ ସଜାଇ ଦୋଳିରେ ଝୁଲାଇ
ଆଶିଷ ଆଣନ୍ତି ମୋହି।।୮।।
ଫଗୁଣର ଫଗୁ ଖେଳ ଭାଇଚାରା
ଭାବକୁ ଆଣଇ ତୋଷେ
ଓଡିଆ ସଂସ୍କୃତି ଓଡିଆ ପରବ
ମଳୟ ମଳୟ ବାସେ।।୯।।
କବି ସାହିତ୍ୟିକ ଅବା ଭାବୁକକୁ
ଭାବରେ ବୁଡାଇ ଦିଏ
କଲମର ମୁନ ଆଗେଇ ନେବାକୁ
ଫୁଲେଇ ଫଗୁଣ କହେ।।୧୦।।
ଗୀତାମୟୀ ମହାପାତ୍ର
ଅନୁଗୋଳ