ରାଜ୍ୟରେ ନକଲି କରୋନା ମେଡିସିନ: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଗତ ୧୧ ତାରିଖ ଦିନ କଟକ ସହରର କନିକା ଛକ ନିକଟ ଏକ ଔଷଧ ହୋଲସେଲ୍ ଗୋଦାମରୁ ୬୯ ଲକ୍ଷ ଟଙ୍କାର ନକଲି ଔଷଧ ଜବତ ଘଟଣାର ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ । ଘଟଣାର ତଦନ୍ତ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି ।ସୂଚନାଯୋଗ୍ୟ, ନକଲି ଔଷଧ କାରବାର ନେଇ ଖବର ସାମ୍ନାକୁ ଆସିବା ପରେ ଏହି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱାସ୍ଥ୍ୟବିଭାଗ ଔଷଧ ନିଗମ ଓ ପୁଲିସ ମିଳିତ ଭାବେ ଅନୁସନ୍ଧାନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି। ଔଷଧ କେଉଁଠୁ ଆସି କେଉଁଠିକୁ ଯାଉଥିଲା ସେନେଇ ତଦନ୍ତ କରାଯିବ । ରାଜ୍ୟ ସରକାର ପର୍ଯ୍ୟାପ୍ତ ପରିମାଣର ଔଷଧ ଯୋଗାଇ ଦେଉଛନ୍ତି । କୌଣସି ରୋଗୀ ଔଷଧରୁ ବଂଚିତ ହେଉନାହାନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟୀକରଣ ଦେଇଛି ।

କଟକରୁ ଜବତ ହୋଇଥିଲା ନକଲି ଫାଭିପିରାଭିର ଔଷଧ । କଟକ କନିକା ଛକ ନିକଟ ଏକ ଔଷଧ ଦୋକାନ ଉପରେ ଡ୍ରଗ୍ସ କଂଟ୍ରୋଲର ସ୍କ୍ୱାର୍ଡ ଚଢାଉ କରି ବିପୁଳ ପରିମାଣର ନକଲି ଔଷଧ ଜବତ କରାଯାଇଥିଲା । ମେଡିସିନ ହୋଲସେଲର ଦୋକାନରୁ ୧୭ ହଜାର ଫାଭିପିରାଭିର ଟାବଲେଟ ଜବତ ହୋଇଥିଲା । କନିକା ଛକ ମେଡିକାଲ ଷ୍ଟୋରରେ କରୋନା ସଂକ୍ରମିତଙ୍କ ଚିକିତ୍ସାରେ ବ୍ୟବହାର ହେଉଥିବା ଫାଭିପିରାଭିର ଔଷଧର ନକଲି ଟାବଲେଟ ବିକ୍ରି ହେଉଥିଲା । କୌଣସି ସୂତ୍ରରୁ ସୂଚନା ପାଇ ଚଢାଉ କରିଥିଲା ଡ୍ରଗ୍ସ କଂଟ୍ରୋଲର ସ୍କ୍ୱାର୍ଡ । ସେହି ମେଡିସିନ ଷ୍ଟୋରରୁ ୧୭୦ ପେଟି ଫାଭିପିରାଭିର ଜବତ ହୋଇଥିଲା। ସେଥିରେ ୧୭ହଜାର ଟାବଲେଟ ଥିବା ଜଣାପଡିଛି । ଜବତ ଔଷଧକୁ ଟେଷ୍ଟିଂ ପାଇଁ ପଠାଯାଇଛି ।

Leave a Reply

Your email address will not be published. Required fields are marked *