ସ୍ପଷ୍ଟବାଦୀ, ନିର୍ଭୀକ ବ୍ୟକ୍ତିତ୍ବର ଅଧିକାରୀ ବିଜୟାନନ୍ଦ ପଟ୍ଟନାୟକ

ବିଜୁ ପଟ୍ଟନାୟକ ଗୋଟିଏ ଜାତି ଓ ଗୋଟିଏ ରାଜ୍ୟର ପରିଚୟ। ସେ ଏଭଳି ଜଣେ ବିଚକ୍ଷଣ ବ୍ୟକ୍ତିତ୍ବ; ଯାହାଙ୍କର ପ୍ରଭାବ ଓଡ଼ିଶା ରାଜନୀତିକୁ ପ୍ରାୟ ଅର୍ଦ୍ଧ ଶତାବ୍ଦୀ ଧରି ପ୍ରଭାବିତ କରିଥିଲା। ୧୯୧୬ମାର୍ଚ୍ଚ ୫ରୁ ୧୯୯୭ ଏପ୍ରିଲ୍ ୧୭ ତାରିଖ- ୮୧ ବର୍ଷର ଜୀବନ। ସମଗ୍ର ଜୀବନରେ ତାଙ୍କର ପ୍ରତିଟି ମୁହୂର୍ତ୍ତ ଥିଲା କର୍ମମୟ। ଦୁର୍ଦ୍ଧର୍ଷ ପାଇଲଟ୍‌, ଦକ୍ଷ ଶିଳ୍ପପତି, ଓଡ଼ିଶା ରାଜନୀତିର ବେତାଜ୍‌ ବାଦଶାହ ଥିଲେ ବିଜୁ ବାବୁ। ସ୍ପଷ୍ଟବାଦୀ, ନିର୍ଭୀକ ବ୍ୟକ୍ତିତ୍ବର ଅଧିକାରୀ ଏହି ନେତା। ପ୍ରବାଦପୁରୁଷ, ଭୂମିପୁତ୍ର, କଳିଙ୍ଗବୀର, ଦ୍ବିତୀୟ ଖାରବେଳ ଆଦି ଉପାଧିରେ ଭୂଷିତ ବିଜୁବାବୁ ଗଞ୍ଜାମ ଜିଲ୍ଲାର ଜି-ନୂଆ ଗାଁରେ ସ୍କୁଲ ଶିକ୍ଷା ସାରି ରେଭେନ୍ସା କଲେଜରେ ନାମ ଲେଖାଇଥିଲେ ।

ପାଇଲଟ୍‌ ହେବାର ଇଚ୍ଛା ଥିବାରୁ ସେ ରେଭେନ୍ସା ଛାଡି ବିମାନ ଚାଳନାରେ ତାଲିମ୍‌ ନେଲେ। ପ୍ରତ୍ୟେକ ଆହ୍ବାନକୁ ସାମ୍ନା କରିବାର ଅଦମ୍ୟ ସାହସ ତାଙ୍କଠାରେ ଥିଲା। ସେ କୌଣସି ଛୋଟ ଛୋଟ ଘଟଣାରେ ମଧ୍ୟ ଦୁଃସାହସିକ ପଦକ୍ଷେପ ନେଉଥିଲେ। ୧୯୬୨ ଭାରତ-ଚୀନ୍‌ ଯୁଦ୍ଧବେଳେ ସେ ଥିଲେ ପ୍ରଧାନମନ୍ତ୍ରୀ ନେହରୁଙ୍କର ଅଘୋଷିତ ସାମରିକ ପରାମର୍ଶଦାତା। ୧୯୪୬ରେ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁଙ୍କ ପରାମର୍ଶକ୍ରମେ ଇଣ୍ଡୋନେସିଆର ନେତା ସାହାରିର୍‌ ଓ ହାଟାଙ୍କୁ ଡଚ୍‌ କବଳିତ ଜାକର୍ତ୍ତାରୁ ଉଦ୍ଧାର କରିବା ହେଉ ଅଥବା କାଶ୍ମୀର ସୁରକ୍ଷା ପାଇଁ ସେଠାକୁ ବିମାନଯୋଗେ ନେହରୁଙ୍କ ନିର୍ଦ୍ଦେଶରେ ଉଡାଜାହାଜ ଯୋଗେ ଭାରତୀୟ ସୈନ୍ୟଙ୍କୁ କାଶ୍ମୀରରେ ପହଞ୍ଚାଇବା କାମ ହେଉ, ଏଥିରୁ ବିଜୁବାବୁଙ୍କ ଦୁଃସାହସିକତା ଓ ରାଷ୍ଟ୍ରପ୍ରେମର ପରିଚୟ ମିଳେ। ସେ ମଧ୍ୟ ମହିଳା ସଶକ୍ତୀକରଣ ଓ ପଞ୍ଚାୟତିରାଜ ବ୍ୟବସ୍ଥାର ପ୍ରବର୍ତ୍ତକ ଥିଲେ।

୧୯୬୧ରେ ମଧ୍ୟବର୍ତ୍ତୀକାଳୀନ ବିଧାନସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସର ୧୪୦ ସିଟ୍‌ରୁ ୮୨ଟିରେ ବିଜୟ ହାସଲ କରିଥିଲେ। ଏହି ସମୟରେ ବିଜୁବାକୁ ମାତ୍ର ୨ବର୍ଷ ୩ ମାସ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହି ସ୍ବଳ୍ପ ସମୟରେ ବି ସେ ରାଜ୍ୟର ଦୃଢ ଭିତ୍ତିଭୂମି ପ୍ରତିଷ୍ଠା କରିଥିଲେ। ପାରାଦୀପ ବନ୍ଦର, ଏକ୍ସପ୍ରେସ୍‌ ହାଇୱେ , ମିଗ୍‌ ବିମାନ କାରଖାନା, ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ, ସୈନିକ ସ୍କୁଲ, ଆଦି ଅନେକ କୀର୍ତ୍ତି ତାଙ୍କ ମୁଖ୍ୟମନ୍ତ୍ରିତ୍ବ ଅମଳରେ ଆରମ୍ଭ ହୋଇଥିଲା। ସତୁରୀ ଦଶକରେ ସେ ମୋରାରଜୀ ଦେଶାଇଙ୍କ ପ୍ରଧାନମନ୍ତ୍ରୀତ୍ବ କାଳରେ ଇସ୍ପାତ, ଖଣି ଓ କୋଇଲା ବିଭାଗର ମନ୍ତ୍ରୀ ହୋଇଥିଲେ। ୧୯୯୦ରେ ତାଙ୍କ ନେତୃତ୍ବରେ ଗଠିତ ଜନତାଦଳ ବିଧାନସଭାରେ ରେକର୍ଡ ସଂଖ୍ୟକ ୧୨୩ଟି ଆସଲ ଦଖଲ କରିଥିଲା ଓ ସେ ଦ୍ବିତୀୟ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୯୭ ମସିହା ଆଜିର ଦିନରେ ଏହି ବହୁଚର୍ଚ୍ଚିତ ଜନନେତାଙ୍କର ଦିଲ୍ଲୀଠାରେ ପରଲୋକ ଘଟିଥିଲା। ଯାହାଙ୍କ ପ୍ରତି ସ୍ଵର ପରିବାର ଜଣାଉଛି  ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।

Leave a Reply

Your email address will not be published. Required fields are marked *