ଜୋରନ୍ଦାରେ ମହିମା ମଠ ଭାଙ୍ଗିବା ଘଟଣା: କୌପିନୀଧାରୀ ମହିମା ସମାଜର ବିରୋଧ

ଅନୁଗୋଳ: ଯୋରନ୍ଦାରେ କୌପୀନଧାରୀ ମହିମା ମଠ ଭାଙ୍ଗିବା ପ୍ରତିବାଦରେ ଶୁକ୍ରବାର ଅନୁଗୁଳ ଜିଲ୍ଲାର କୌପୀନଧାରୀ ମହିମା ସମାଜର ସାଧୁ ଓ ଭକ୍ତମାନେ ଜିଲ୍ଲା ପ୍ରଶାସନର ଦ୍ଵାରସ୍ଥ ହୋଇଛନ୍ତି । ଏ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପାଞ୍ଚ ଦଫାର ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ଯୋରନ୍ଦାରେ ଥିବା କୌପୀନଧାରୀ ମହିମା ମଠର ଧୁନି ମନ୍ଦିର, ବତୀ ମନ୍ଦିର ଓ ଭୋଗ ମନ୍ଦିରକୁ ଜିଲ୍ଲା ପ୍ରଶାସନ ଗତ ନଭେମ୍ବର ୨୨ ତାରିଖରେ ଭାଙ୍ଗି ଦେଇଛି । ଯାହାକି କୋଟି କୋଟି ବାବା, ମାତା ଓ ଭକ୍ତଙ୍କୁ ଆଘାତ ପହଞ୍ଚାଇଛି। ବର୍ତ୍ତମାନ ସୁଦ୍ଧା ପ୍ରଶାସନ ପକ୍ଷରୁ ଥଇଥାନ ସମ୍ପର୍କିତ କୌଣସି ପଦକ୍ଷେପ ନିଆଯାଇନାହିଁ । ଖୋଲା ଆକାଶ ତଳେ ବାବାମାନେ ନିତ୍ୟକର୍ମ କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ଯୋରନ୍ଦା ମହିମା ଗାଦିରେ ଥିବା ଗାଦି ମନ୍ଦିର ଓ ଶୂନ୍ୟ ମନ୍ଦିରରେ ଉଭୟ ବକ୍କଳଧାରୀ ଓ କୌପୀନ ଧାରୀଙ୍କୁ ସମାନ ଭାବେ ନୀତି କରିବାର ଅନୁମତି ଦେବାକୁ ସେମାନେ ଦାବି କରିଛନ୍ତି । ସେହିପରି ମହିମା ଗୋସାଇଁଙ୍କ ନାମରେ ଥିବା ସମସ୍ତ ସମ୍ପତ୍ତି କୌପୀନଧାରୀ ଓ ବକ୍କଳଧାରୀଙ୍କ ନାମରେ ରେକର୍ଡ କରାଯିବା, ମହିମା ସ୍ୱାମୀଙ୍କ ଜାଗାରେ ଯାହା ବି ଉନ୍ନୟନ କାର୍ଯ୍ୟହେବ ତାହା ଉଭୟ ସମାଜର ସାଧୁଙ୍କ ସହଯୋଗ ଓ ସହମତିରେ କରାଯିବା, ଉଭୟ ପକ୍ଷରୁ କୋର୍ଟରେ ଥିବା ମୋକଦ୍ଦମା ପ୍ରତ୍ୟାହାର କରି ଶାନ୍ତିର ବାତାବରଣ ସୃଷ୍ଟି କରି ମହିମା ଧର୍ମର ଗୌରବ ବୃଦ୍ଧି କରିବାକୁ ଦାବି ହୋଇଛି।

ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ବେଳେ ବାବା ରବି ଦାସ, ଭୀଷ୍ମରଥୀ ବାବା, ଭୂତେଶ ଚନ୍ଦ୍ର ଜେନା, ପ୍ରେମାନନ୍ଦ ସେଠ, ବିଜ୍ଞାନୀ କୁମାର ବେହେରା, ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ପରେଶ ଚନ୍ଦ୍ର ଜେନା, ବନମାଳୀ ସେଠଙ୍କ ସମେତ ବହୁ ବାବା ଓ ଭକ୍ତ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *