ସ୍ନାନ ମଣ୍ଡପ ଉପରେ ଶ୍ରଦ୍ଧାଳୁଙ୍କୁ ଠାକୁର ଦର୍ଶନ କରିବାକୁ ମିଳିବ ୩ ଘଣ୍ଟାର ସମୟ.

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟିରେ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ାଯାତ୍ରା ପାଇଁ ନୀତି ନିର୍ଘଣ୍ଟ ହୋଇଛି। ଛତିଶାନିଯୋଗ ବୈଠକରେ ଚୂଡ଼ାନ୍ତ ହୋଇଥିବା ନୀତିକାନ୍ତିର ବ୍ୟବସ୍ଥାବଳିରେ ଆଜିର ବୈଠକରେ ମୋହର ଲାଗିଛି। ସେହିପରି ସ୍ନାନଯାତ୍ରା ଦିନ ପହଣ୍ଡି ସମୟରେ କେତେ ଜଣ ସେବାୟତ ନିୟୋଜିତ ହେବେ ଏବଂ ‌ସ୍ନାନବେଦୀରେ କେତେ ଜଣ ସେବାୟତ ରହିପାରିବେ, ସେନେଇ ମଧ୍ୟ ଚର୍ଚ୍ଚା ହୋଇଛି।ସୂଚନାଯୋଗ୍ୟ, ଆସନ୍ତା ୧୪ ତାରିଖ ଦିନ ଶ୍ରୀଜିଉଙ୍କର ସ୍ନାନଯାତ୍ରା ଅନୁଷ୍ଠିତ ହେବ।

ବିଗତ ୨ ବର୍ଷରେ ହୋଇଥିବା ସ୍ନାନଯାତ୍ରାରେ କୋଭିଡ-୧୯ ଯୋଗୁଁ ସାଧାରଣ ଭକ୍ତଙ୍କୁ ସାମିଲ କରାଯାଇ ନଥିଲା। ଏଥର କିନ୍ତୁ କୋଭିଡ-୧୯ ନିୟନ୍ତ୍ରିତ ଥିବାରୁ ସାଧାରଣ ଭକ୍ତ ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ସାମିଲ ହୋଇପାରିବେ। ମଙ୍ଗଳ ଆଳତି ପରେ ସ୍ନାନ ମଣ୍ଡପ ଉପରେ ଶ୍ରଦ୍ଧାଳୁଙ୍କୁ ଠାକୁର ଦର୍ଶନ ଦେବେ। ଏଥି ପାଇଁ ଭକ୍ତମାନଙ୍କୁ ଠାକୁରଙ୍କ ଦର୍ଶନ କରିବାର ଲାଗି ୩ ଘଣ୍ଟା ସମୟ ମିଳିବ। ଭକ୍ତମାନେ ମହାପ୍ରଭୁଙ୍କୁ ଛୁଇଁ ପାରିବେ ନାହିଁ। ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ଆବଶ୍ୟକ ବ୍ୟବସ୍ଥା କରାଯିବାକୁ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି।ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକରେ ରଥଯାତ୍ରା ଓ ବାହୁଡ଼ାଯାତ୍ରା ସଂପର୍କିତ ଆଲୋଚନା ମଧ୍ୟ ହୋଇଥିଲା। ରଥଯାତ୍ରା ବେଳେ ପହଣ୍ଡି ସମୟରେ କେତେ ଜଣ ସେବାୟତ ରହିବେ ଓ ରଥ ଉପରେ କେତ‌େ ଜଣ ସେବାୟତ ରହିବେ, ସେ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ଆଜିର ବୈଠକରେ  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି କେ ବିଶାଳ ସିଂହଙ୍କ ସମେତ ଶ୍ରୀମନ୍ଦିର ପରିଚଳାଳନ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *