ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ପୁରୀରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ପୋଲିସ ଡିଜି ଅଭୟ ।

ପୁରୀ: ରାତି ପାହିଲେ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କରୋନା କଟକଣା ମଧ୍ୟରେ ମାଉସୀ ଘରକୁ ବୁଲିବାପାଇଁ ଯିବେ ଚତୁର୍ଦ୍ଧାମୂର୍ତ୍ତି । ଚଳିତ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ କରିବାକୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରିଛି ପୋଲିସ । ପୁରୀରେ ପହଁଚି ପୁରୀ ଏସପି ଏବଂ ଅନ୍ୟାନ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି ପୋଲିସ ଡିଜି ଅଭୟ । ଆଜି ତିନି ରଥକୁ ଦକ୍ଷିଣ ମୋଡ଼ କରିଛନ୍ତି ଦଇତା ଓ ସେବାୟତ । ରଥଯାତ୍ରା ସମୟରେ ତିନିରଥକୁ କେବଳ ମହାପ୍ରଭୁଙ୍କ ସେବାୟତ ମାନେ ହିଁ ଟାଣିବା ପାଇଁ ଅନୁମତି ଦେଇଛନ୍ତି ପ୍ରଶାସନ ।

ଘୋଷଯାତ୍ରାକୁ ଶୃଙ୍ଖଳାର ସହ ଶେଷ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ରଥଯାତ୍ରା ପାଇଁ ୬୫ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ । ସୁରକ୍ଷା ଦୃଷ୍ଟିରୁ ପୁରୀ ସହରକୁ ମୋଟ ୧୨ଟି ଜୋନରେ ବିଭକ୍ତ କରାଯିବ । କେବଳ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ମଧ୍ୟରେ ୪ଟି ଜୋନ୍ ହେବ । ସହରର ମୁଖ୍ୟ ପ୍ରବେଶ ପଥ ଓ ବଡଦାଣ୍ଡର ଛାତ ଉପରେ କଡା ସୁରକ୍ଷା ବ୍ୟବସ୍ଥା କରାଯିବ । ସେହିପରି ରଥଯାତ୍ରା ସମୟରେ ୧୦ଜଣ ଅତିରିକ୍ତ ଏସପି, ୩୧ ଜଣ ଡିଏସପି ଓ ସହକାରୀ କମାଣ୍ଡର୍ ମୁତୟନ ହେବେ । ୬୪ ଜଣ ଆଇଆଇସି ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବେ । ସୁରକ୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ରାତି ୮ରୁ ୧୩ତାରିଖ ରାତି ୮ପର୍ଯ୍ୟନ୍ତ ପୁରୀ ସହରରେ କର୍ଫ୍ୟୁ ଜାରି କରାଯିବ । ଅନ୍ୟପଟେ ସମୀକ୍ଷା ବୈଠକ ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଡିଜିପି । ପୁରୀରେ ରଥଯାତ୍ରା ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ସାଧାରଣ ଲୋକଙ୍କୁ ଅପିଲ କରିଛନ୍ତି ଅଭୟ ।

Leave a Reply

Your email address will not be published. Required fields are marked *