ଓଡ଼ିଆ ଭାଷାର ସୁରକ୍ଷା ଚିନ୍ତା, ଝାଡଖଣ୍ଡ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡ଼ିଆ ଭାଷାର ସୁରକ୍ଷା ନେଇ ଝାଡଖଣ୍ଡ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର । ଉଭୟଙ୍କୁ ପତ୍ର ଲେଖିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହେମନ୍ତ ସୋରେନ ଓ ଜଗମୋହନ ରେଡ୍ଡୀଙ୍କ ହସ୍ତକ୍ଷେପ ଲୋଡିଲେ ଧର୍ମେନ୍ଦ୍ର ପ୍ରଧାନ । ଦୁଇ ରାଜ୍ୟରେ ଓଡ଼ିଆ ଭାଷାର ଗୁରୁତ୍ୱ ନେଇ ଅବଗତ କରାଇଲେ । ଓଡିଆ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ପଢାରେ ବ୍ୟାଘାତ ନେଇ ସେ ଉଦବେଗ ପ୍ରକାଶ କରିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଝାଡଖଣ୍ଡ ରାଜ୍ୟ ଗଠନ ହେବା ପରେ ଏହା ସୁନିଶ୍ଚିତ କରାଯାଇଥିଲା ଯେ ଓଡ଼ିଆ ଭାଷାଭାଷୀ କହୁଥିବା ଲୋକଙ୍କ ଅଧିକାରକୁ ସୁରକ୍ଷା ଦିଆଯିବ । ବହୁ ସଂଗ୍ରାମ ପରେ ୨୦୧୧ ସେପ୍ଟେମ୍ବର ୧ରେ ଝାରଖଣ୍ଡ ସରକାର ଅନ୍ୟ ୫ଟି ଆଂଚଳିକ ଭାଷା ସହ ଓଡ଼ିଆ ଭାଷାକୁ ରାଜ୍ୟର ଦ୍ୱିତୀୟ ସରକାରୀ ଭାଷା ଭାବେ ମାନ୍ୟତା ଦେଇଥିଲେ । ସେହିପରି ରାଂଚି ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗ ରହିଛି ଏବଂ ସ୍ନାତକ, ସ୍ନାତକତୋର ପାଠ୍ୟକ୍ରମ ରହିଛି । ଏହାସହ ଝାଡଖଣ୍ଡ ଲୋକସେବା ଆୟୋଗ ଏବଂ ଷ୍ଟାଫ୍ ସିଲେକ୍ସନ କମିସନରେ ଓଡ଼ିଆକୁ ଏକ ଇଚ୍ଛାଧୀନ ବିଷୟ ଭାବରେ ଗ୍ରହଣ କରାଯାଇଛି ।

ଝାଡଖଣ୍ଡର ସୀମାବର୍ତୀ ଜିଲ୍ଲାରେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ପ୍ରଶଂସା କରି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଅନେକ ଗୁଡ଼ିକ ବିବାଦ ଯୋଗୁଁ ଏହି ସବୁ ସ୍କୁଲ ବନ୍ଦ ହେବାରେ ଲାଗିଛି । ଓଡ଼ିଆ ମାଧ୍ୟମ ସ୍କୁଲରେ ଶିକ୍ଷକମାନେ ଅବସର ନେବା ପରେ ରାଜ୍ୟ ଶିକ୍ଷା ବିଭାଗ ଓଡ଼ିଆ ମାଧ୍ୟମ ସ୍କୁଲ ଗୁଡ଼ିକରେ ହିନ୍ଦି ଭାଷାଭାଷୀ ଶିକ୍ଷକଙ୍କୁ ନିଯୁକ୍ତି ଦେଉଅଛି । ଏନସିଇଆରଟି ସର୍କୁଲାର୍ ଫ୍ରେମ୍ ୱାର୍କ ଆଧାରରେ ଓଡ଼ିଆ ପୁସ୍ତକ ପ୍ରକାଶନ କରିବା ପାଇଁ ଝାଡଖଣ୍ଡ ରାଜ୍ୟ ପ୍ରାଧିକରଣକୁ ଏନସିଇଆରଟି କପି ରାଇଟ୍ ଦେଇଛି କିନ୍ତୁ ଏହା ଉପରେ ପଦକ୍ଷେପ ନିଆଯାଇନାହିଁ ।

ସେହିପରି ଆନ୍ଧ୍ରପ୍ରଦେଶର ସୀମାନ୍ତବର୍ତୀ ଗ୍ରାମ ଗୁଡ଼ିକରେ ଓଡିଆ ଭାଷାଭିତିକ ଶିକ୍ଷା ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡୀଙ୍କୁ ପୃଥକ ପତ୍ରରେ ଲେଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି । କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ସୀମା ନିର୍ଦ୍ଧାରଣ ପରେ ଓଡ଼ିଶା ତଥା ଆନ୍ଧ୍ରପ୍ରଦେଶର ସୀମାନ୍ତବର୍ତୀ କେତେକ ବିଦ୍ୟାଳୟ ଯଥାକ୍ରମେ ଆନ୍ଧ୍ରପ୍ରଦେଶ ଏବଂ ଓଡିଶାର ବିଦ୍ୟାଳୟ ବ୍ୟବସ୍ଥାରେ ମିଶି ଯାଇଛନ୍ତି । ଫଳସ୍ୱରୂପ, ଦୁଇ ରାଜ୍ୟର ବିଦ୍ୟାଳୟରେ ଅନେକ ଓଡ଼ିଆ ଏବଂ ତେଲୁଗୁ ଭାଷାଭାଷୀ ପିଲା ସଂଖ୍ୟାଲଘୁ ଗୋଷ୍ଠୀରେ ପରିଣତ ହୋଇଛନ୍ତି, ସେମାନଙ୍କ ମାତୃଭାଷାକୁ ସହଯୋଗ ଦେବାର ଆବଶ୍ୟକତା ରହିଛି ।

ଏହି ପରିସ୍ଥିତିର ସମାଧାନ ପାଇଁ ଉଭୟ ରାଜ୍ୟ ସରକାର ବିଦ୍ୟାଳୟରେ ନିଜ ନିଜ ଭାଷା ତଥା ଓଡ଼ିଶାରେ ତେଲୁଗୁ ଏବଂ ଆନ୍ଧ୍ରପ୍ରଦେଶରେ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ଓଡିଆରେ ଶିକ୍ଷା ଗ୍ରହଣ କରିବାକୁ ଇଚ୍ଛା କରୁଥିବା ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବା ପାଇଁ ପଦକ୍ଷେପ ନେବାକୁ ଚୁକ୍ତି କରିଥିଲେ । ତେବେ ଓଡ଼ିଆ ଶିଖିବାକୁ ଇଚ୍ଛା କରୁଥିବା ବିଶାଖାପାଟନମ୍ ଏବଂ ଶ୍ରୀକାକୁଲମ୍ ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ସହଯୋଗ ଦିଆଯାଉ ନାହିଁ । କିନ୍ତୁ ଓଡିଶାରେ ତେଲୁଗୁ ଭାଷା ଶିଖିବାକୁ ଛାତ୍ରଛାତ୍ରୀଙ୍କୁ ସହଯୋଗ ଦିଆଯିବା ସହ ଶିକ୍ଷକ ନିଯୁକ୍ତ କରାଯାଉଛି ।

Leave a Reply

Your email address will not be published. Required fields are marked *