ଦିଲ୍ଲୀପ ତିର୍କୀ ହେଲେ ‘ହକି ଇଣ୍ଡିଆ’ର ନୂଆ ସଭାପତି

ଭୁବନେଶ୍ବର: ପୂର୍ବତନ ହକି ଖେଳାଳି ପଦ୍ମଶ୍ରୀ ଦିଲୀପ ତିର୍କୀ ‘ଭାରତୀୟ ହକି’ର ସଭାପତି ହୋଇଛନ୍ତି। ଓଡ଼ିଆ ପୁଅ ଦିଲୀପ ତିର୍କୀ ବିନା ପ୍ରତିଦ୍ବନ୍ଦ୍ବିତାରେ ଭାରତୀୟ ହକିର ସଭାପତି ହୋଇଛନ୍ତି। ଏହି ପଦବି ପାଇବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ। ‘ହକି ଇଣ୍ଡିଆ’ର ସଭାପତି ପାଇଁ ମୋଟ ୩ ଜଣ ବ୍ୟକ୍ତି ନାମାଙ୍କନ ଦାଖଲ କରିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ୨ ଜଣ ନାମାଙ୍କନ ପ୍ରତ୍ୟାହାର କରି ନେଇଥିଲେ।

ସୂଚନାଯୋଗ୍ୟ, ଭାରତୀୟ ହକି ଟିମ୍‌ର ପୂର୍ବତନ ଅଧିନାୟକ ତଥା ପଦ୍ମଶ୍ରୀପ୍ରାପ୍ତ ଦିଲୀପ ତିର୍କୀ ଗତ ୧୮ ତାରିଖରେ ହକି ଇଣ୍ଡିଆ ପାଇଁ ନାମାଙ୍କନ ଦାଖଲ କରିଥିଲେ। ଏ ନେଇ ସେ ସାମାଜିକ ଗଣମାଧ୍ୟମ ‘ଫେସ୍‌ବୁକ୍‌’ ପେଜ୍‌ ମାଧ୍ୟମରେ ସୂଚନା ଦେଇଥିଲେ। ଏହି ଅବସରରେ ସେ କହିଥିଲେ ଯେ, ହକି ଇଣ୍ଡିଆକୁ ସେ ଏକ ନୂତନ ପରିଚୟ ଦେଇପାରିବେ।

ହକି ଇଣ୍ଡିଆର ନୂଆ ସଦଶ୍ୟ ମାନେ ହେଲେ ସଭାପତି: ଦିଲୀପ ତିର୍କୀ, ଉପସଭାପତି (ମହିଳା):  ଅସିମା ଅଲି, ଉପସଭାପତି (ପୁରୁଷ): ଏସ୍‌ଭିଏସ୍‌ ସୁବ୍ରମଣ୍ୟମ ଗୁପ୍ତା, ସାଧାରଣ ସଂପାଦକ: ଭୋଳାନାଥ ସିଂହ, କୋଷାଧ୍ୟକ୍ଷ: ଶେଖର ‌ଜେ ମନୋହରଣ, ଯୁଗ୍ମ ସଚିବ (ମହିଳା) ଆରତି ସିଂହ, ଯୁଗ୍ମ ସଚିବ (ପୁରୁଷ): ସୁନୀଲ ମଲିକ

‘ଭାରତୀୟ ହକି’ରେ ଦିଲୀପ ତିର୍କୀ ଜଣେ ଜଣାଶୁଣା ଚେହରୋ। ଅନ୍ତର୍ଜାତୀୟ ହକିରେ ତାଙ୍କର ଅନେକ ଗୁଡ଼ିଏ ଭଲ ରେକର୍ଡ ରହିଛି। ସେ ଭାରତୀୟ ହକିରେ ଜଣେ ବିଶ୍ବସ୍ତ ପ୍ରତିଭା। ଭାରତ ପାଇଁ ସେ ୧୫ ବର୍ଷ ଯାଏଁ ୪୧୨ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ତାଙ୍କର କ୍ୟାରିୟର ଭିତରେ ସେ ୩ଥର ଅଲିମ୍ପିକ୍ସ ଖେଳିଛନ୍ତି। ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ସେ ଭାରତୀୟ ଦଳର ନେତୃତ୍ବ ନେଇଥିଲେ। ଦିଲୀପ ତିର୍କୀ କେବଳ କ୍ରୀଡ଼ାରେ ଅଟକି ନାହାନ୍ତି। ସେ ୨୦୧୨ରୁ ୨୦୧୮ ପର୍ଯ୍ୟନ୍ତ ରାଜ୍ୟସଭାର ସାଂସଦ ମଧ୍ୟ ହୋଇଛନ୍ତି। ତେଦେ ଦିଲୀପ ତିର୍କୀ ‌ସାମାଜିକ ଗଣମାଧ୍ୟମରେ ହକି ଇଣ୍ଡିଆର ସଭାପତି ପଦବି ପାଇଁ ପ୍ରାର୍ଥୀ ପତ୍ର ଦାଖଲ ନେଇ ସୂଚନା ଦେବା ପରେ ତାଙ୍କୁ ପ୍ରଶଂସକମାନେ ସ୍ବାଗତ ଓ ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *