ଭାରତର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ପାର୍ଲାମେଣ୍ଟ୍‌ର ସେଣ୍ଟ୍ରାଲ୍‌ ହଲ୍‌ରେ ପୂର୍ବାହ୍ନ ୧୦.୧୩ରେ ଭାରତର ୧୫ତ୍ତମ ରାଷ୍ଟ୍ରପତି ଭାବେ ଓଡ଼ିଶା ମାଟିର କନ୍ୟା ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ କରିଛନ୍ତି। ଭାରତର ପ୍ରଧାନ ବିଚାରପତି ଏନ୍‌. ଭି. ରମନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ରାଷ୍ଟ୍ରପତି ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟାନାଇଡୁ, ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀ ଏବଂ ଲୋକସଭାର ବାଚସ୍ପତି ଓମ୍‌ ବିର୍ଲାଙ୍କ ସମେତ ସମସ୍ତ କେନ୍ଦ୍ରମନ୍ତ୍ରୀ ଓ ସାସଂଦ ଉପସ୍ଥିତ ଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ଥିଲେ ।

ଶପଥ ଗ୍ରହଣ ପୂର୍ବରୁ ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶ୍ରୀମତୀ ମୁର୍ମୁ  ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ  ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ  ଅଭିବାଦନ ଜଣାଇଥିଲେ। ରାଷ୍ଟ୍ରପତି ଭବନରେ ରାମନାଥ କୋବିନ୍ଦ ଏବଂ ସବିତା କୋବିନ୍ଦ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ୍ କରିଥିଲେ।

ଜଣେ ଓଡ଼ିଆ ଝିଅର ଏପରି ସଫଳତା ପାଇଁ ଦିଲ୍ଲୀରୁ ରାଇରଙ୍ଗପୁର ଯାଏ ଉତ୍ସବର ପରିବେଶ ସୃଷ୍ଟି ହୋଇଛି। ଦେଶର ବିଭିନ୍ନ ପ୍ରାନ୍ତରେ ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ଯକ୍ରମ ଆୟୋଜନ କରାଯାଇଛି। ସମସ୍ତେ ଆଜି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଗର୍ବ ଅନୁଭବ କରୁଛନ୍ତି।

Leave a Reply

Your email address will not be published. Required fields are marked *