ଜିଲ୍ଲା ବାସୀଙ୍କୁ ପୂଜା ଭେଟି ଦେଲେ ଧର୍ମେନ୍ଦ୍ର ପ୍ରଧାନ, ଖୁବ ଶୀଘ୍ର ତାଳଚେର, ଅନୁଗୋଳ ଓ ଢ଼େଙ୍କାନାଳ ଦେଇ କୋଲକତାକୁ ଗଡିବ ନୂଆ ଟ୍ରେନ

ଅନୁଗୋଳ: ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଓ ଢେଙ୍କାନାଳ ଜିଲାର ବିଭିନ୍ନ ରେଳ ପ୍ରକଳ୍ପ ବୁଲି ଦେଖିବା ସହ କିଭଳି ସେହି ସବୁ ପ୍ରକଳ୍ପ ଖୁବ ଶୀଘ୍ର ଶେଷ ହେବ ସେଥିପାଇଁ ବିଭାଗୀୟ ଉଚ୍ଚ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ଭୁବନେଶ୍ୱର ମଞ୍ଚେଶ୍ୱର ଷ୍ଟେସନରୁ ଟ୍ରେନ୍ ଯୋଗେ ଏକ ସ୍ୱତନ୍ତ୍ର ବଗିରେ ପୂର୍ବତଟ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତ କରିଥିଲେ । ସେ ତାଳଚେର ରୋଡ, ଅନୁଗୋଳ, ଏମସିଏଲର ବଳରାମ ସାଇଟ, ତାଳଚେର, ସୁନାଖଣି, ବୁଢ଼ାପଙ୍କ, ମେରାମୁଣ୍ଡଳି, ହିନ୍ଦୋଳ ରୋଡ, ସଦାଶିବପୁର ରେଳ ଷ୍ଟେସନ ପରିଦର୍ଶନ କରିବା ସହ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ରେଳ ଅଧିକାରୀଙ୍କୁ ପଚାରି ବୁଝିଥିଲେ ।

ଏହାବ୍ୟତିତ ବଅଁରପାଳ ବ୍ଲକର ବ୍ରିଜ ନଂ ୫ ଏବଂ ନତଡ଼ା ଗ୍ରାମ ପଞ୍ଚାୟତରେ ଥିବା ହିଙ୍ଗୁଳା ଅଞ୍ଚଳରେ ନିର୍ମାଣାଧୀନ ରେଲ୍ ଲିଙ୍କର କାର୍ଯ୍ୟ ଦେଖିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଅନୁରୂପ ଭାବେ ଢ଼େଙ୍କାନାଳ, ଶ୍ୟାମଚରଣପୁର, ଜୋରନ୍ଦା ରୋଡ ରେଳ ଷ୍ଟେସନରେ ହୋଇଥିବା ଅଗ୍ରଗତି କାର୍ଯ୍ୟ ଗୁଡ଼ିକ ପ୍ରତ୍ୟକ୍ଷ ଭାବେ ବୁଲି ଦେଖିଥିଲେ । ଶ୍ରୀ ପ୍ରଧାନ ଷ୍ଟେସନରେ ଚାଲିଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନେଇ ରେଳ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ସବୁ ଷ୍ଟେସନରେ ସ୍ଥାନୀୟ ଲୋକଙ୍କୁ ଭେଟି ସେମାନଙ୍କ ସହ କଥାବାର୍ତ୍ତା କରିଥିଲେ । ସକାଳ ୧୦ଟାରେ ସେ ଏକ ସ୍ୱତନ୍ତ୍ର ରେଳ ଯୋଗେ ଆସି ଅନୁଗୋଳ ରେଳ ଷ୍ଟେସନରେ ପହଞ୍ଚି ଥିଲେ। ସେଠାରୁ ରେଳ ବିଭାଗ ଅଧିକାରୀ ମାନଙ୍କ ସହ ନିର୍ମାଣାଧୀନ ଅନୁଗୁଳ-ବଳରାମ ରେଳ ଲାଇନ ଯାଇ ଦେଖିଥିଲେ। ସୁପରଭିଜନ କାର୍ଟରେ ଅଧିକାରୀ ମାନଙ୍କ ସହ ବୁଲି ଦେଖିଥିଲେ।

ଏହା ପରେ ରେଳ ବିଭାଗ ମିଟିଂ ହଳରେ ବସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ ଦେଖିଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେଯେ ଅନୁଗୁଳ, ତାଳଚେର ଓ ଢେଙ୍କାନାଳରେ କୋଟି କୋଟି ଟଙ୍କାର ରେଳ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଅନୁଦାନ ଦେଇଛନ୍ତି। ବିଶେଷ କରି କୋଇଲା ପରିବହନ ସୁବିଧା ପାଇଁ ତାଳଚେର ଓ ଅନୁଗୁଳ ମଧ୍ୟରେ ୩ଟି ନୂଆ ରେଳ ପଥ ନିର୍ମାଣ ହେବ। ବର୍ତମାନ ଗୋଟିଏର ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତାଳଚେର ଠାରୁ ଅନୁଗୁଳ ପର୍ଯ୍ୟନ୍ତ ଏଫ ସି ଆଇ ଓ ନାଲକୋ ଦେଇ ଏକ ନୂଆ ରେଲପଥ ନିର୍ମାଣ କରାଯିବ। ସେଥିପାଇଁ ପ୍ରଧାନମନ୍ତ୍ରୀ ୫୦୦କୋଟି ଟଙ୍କା ଦେଇଛନ୍ତି।

ସବୁଠାରୁ ବଡ଼ କଥା ହେଉଛି ଅନୁଗୁଳରୁ ତାଳଚେର ଓ ଢେଙ୍କାନାଳ ଦେଇ କଲିକତା ପର୍ଯ୍ୟନ୍ତ ଏକ ନୂଆ ଯାତ୍ରୀବାହୀ ଟ୍ରେନ ଚାଲିବ। ସେଥିପାଇଁ ରେଳ ମନ୍ତ୍ରୀ ଅନୁମୋଦନ କରି ସାରିଛନ୍ତି। ଖୁବ ଶୀଘ୍ର ସମ୍ବଲପୁରରୁ ଏକ ନୂଆ ଟ୍ରେନ ତାଳଚେର, ଅନୁଗୋଳ ଓ ଢ଼େଙ୍କାନାଳ ଦେଇ କୋଲକତାକୁ ଚଳାଚଳ କରିବ ବୋଲି ରବିବାର ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଅନୁଗୋଳ ଓ ଢ଼େଙ୍କାନାଳରେ କ୍ରିୟାନ୍ୱୟନ ହେଉଥିବା ବିଭିନ୍ନ ରେଳବାଇ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା କରିବା ଅବସରରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାରଙ୍କ ରେଳ ବିଭାଗ ତରଫରୁ ଅନୁଗୋଳ ଓ ଢ଼େଙ୍କାନାଳ ଅଞ୍ଚଳରେ ପ୍ରାୟ ୨,୫୦୦ କୋଟି ଟଙ୍କାର ରେଳ ପ୍ରକଳ୍ପର କାମ ଜାରୀ ରହିଛି । ଅନୁଗୋଳର ବହୃତ ଶିଳ୍ପାଞ୍ଚଳରେ କୋଇଲା ଭଳି ମାଲ୍ ପରିବହନ ପାଇଁ ରେଳ ବିଭାଗ ପ୍ରାଥମିକତା ଦେଉଅଛି । ତାଳଚେର, ତାଳଚେର ରୋଡ, ଅନୁଗୋଳ, ଢ଼େଙ୍କାନାଳ ଏହି ଚରୋଟି ରେଳ ଷ୍ଟେସନର ପୁନରୁଦ୍ଧାର ସହ ଅନେକ ଷ୍ଟେସନରେ ରେଳ ଲାଇନର ଦୋହରୀକରଣ, ତୃତୀୟ ଲାଇନ, ଚତୁର୍ଥ ଲାଇନର କାମ ଚାଲୁ ରହିଛି । ଖୁବ ଶୀଘ୍ର ତାଳଚେରରୁ ଅନୁଗୋଳ ପର୍ଯ୍ୟନ୍ତ ଗୋଟିଏ ପାସେଞ୍ଜର ଓ ଦୁଇଟି ମାଲବାହୀ ରେଳ ଲାଇନର କାମ ଶେଷ ହେବ । ପ୍ରାୟ ୫୦୦ କୋଟି ଟଙ୍କା ବ୍ୟୟରେ ତାଳଚେରରୁ ଭାୟା ଏଫସିଆଇ ଓ ନାଲକୋ ଦେଇ ଅନୁଗୋଳ ପର୍ଯ୍ୟନ୍ତ ଯାତ୍ରୀବାହୀ ରେଳ ଲାଇନର କାମ ଆସନ୍ତା ନଭେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବା ନେଇ ରେଳ ବିଭାଗର ଅଧିକାରୀମାନେ ସୂଚନା ଦେଇଛନ୍ତି । ଅନୁଗୋଳ ଓ ଢ଼େଙ୍କାନାଳରେ କ୍ରିୟାନ୍ୱୟନ ହେଉଥିବା ରେଳ ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ନାଗରିକ ଓ ଯାତ୍ରୀମାନେ ବିଶେଷ ଭାବରେ ଉପକୃତ ହେବେ ।




ସେ ଆହୁରି କହିଛନ୍ତି ଯେ ଶିଳ୍ପ ସମୃଦ୍ଧ ଅଞ୍ଚଳ ଅନୁଗୋଳ ଏବଂ ତାଳଚେରକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ମୋଦି ସରକାର ରେଳ କ୍ଷେତ୍ରରେ ବିପୁଳ ଆର୍ଥିକ ଅନୁଦାନ ଓ ଅନ୍ୟାନ୍ୟ ସାହାଯ୍ୟ ସହଯୋଗ ଯୋଗାଇ ଦେଉଛନ୍ତି । ମୋଦି ସରକାରରେ ରେଳ ଯୋଗେ ମାଲ ପରିବହନ ସହ ଯାତ୍ରୀ ସୁବିଧାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଏହାବ୍ୟତିତ ମୋଦି ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ଅନୁଗୋଳ ଭଳି ଖଣି ଖଦାନ ଅଞ୍ଚଳର ବିକାଶ ପାଇଁ ଜିଲ୍ଲା ଖଣିଜ ପାଣ୍ଠି(ଡ଼ିଏମଏଫ)ର ବ୍ୟବସ୍ଥା କରିଛନ୍ତି । ମୋଦି ସରକାରଙ୍କ ବ୍ୟବସ୍ଥା କାରଣରୁ ଏହି ଜିଲ୍ଲାକୁ ଡ଼ିଏମଏଫରେ ବାର୍ଷିକ ୩୫୦ କୋଟି ଟଙ୍କା ଆସୁଛି । ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିସ୍ୱରୂପା ମା’ ହିଙ୍ଗୁଳା ମନ୍ଦିରର ଉନ୍ନତିକରଣ ପାଇଁ ଏମସିଏଲ ୮ କୋଟିରୁ ଅଧିକ ଟଙ୍କା ଦେଇଛି । ତାଳଚେର ଗୋପାଳଗଡ଼ କଣିହାଁ ରାସ୍ତାରେ ସାଧାରଣ ଲୋକଙ୍କ ଯାତାୟତ ଏବଂ କୋଇଲା ପରିବହନ ପାଇଁ ପୃଥକ ପୃଥକ ରାସ୍ତା କରିବା ପାଇଁ ମଧ୍ୟ ଯୋଜନା କରାଯିବ ।