ଭାରତୀୟ ନିର୍ବାଚନ ଆୟୋଗ ଆଜି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଏହି ୫ଟି ରାଜ୍ୟ ହେଲା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁର । ଏସବୁ ନିର୍ବାଚନ ସଂପୂର୍ଣ୍ଣ କୋଭିଡ୍ କଟକଣା ମଧ୍ୟରେ ଅନୁଷ୍ଠିତ ହେବ ବୋଲି ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁଶୀଲ ଚନ୍ଦ୍ରା ଘୋଷଣା କରିଛନ୍ତି ।ମୋଟ ୭ଟି ପର୍ଯ୍ୟାୟରେ ଏସବୁ ରାଜ୍ୟରେ ନିର୍ବାଚନ ହେବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ କେବଳ ଉତ୍ତରପ୍ରଦେଶରେ ହେବ । ଏଥିପାଇଁ ଫେବ୍ରୁଆରି ୧୦ରେ ଭୋଟ ଗ୍ରହଣ ହେବ । ୨ୟ ପର୍ଯ୍ୟାୟ ନିର୍ବାଚନ ୪ଟି ରାଜ୍ୟ ଯଥା ଉତ୍ତରପ୍ରଦେଶ, ଗୋଆ, ପଞ୍ଜାବ ଓ ଉତ୍ତରାଖଣ୍ଡରେ ହେବ । ଏଥିପାଇଁ ଫେବ୍ରୁଆରି ୧୪ରେ ଭୋଟ ଗ୍ରହଣ ହେବ । ଉତ୍ତରପ୍ରଦେଶରେ ୩ୟ ପର୍ଯ୍ୟାୟ ମତଦାନ ୨୦ ଫେବ୍ରୁଆରିରେ ଓ ୪ର୍ଥ ପର୍ଯ୍ୟାୟ ମତଦାନ ୨୩ ଫେବ୍ରୁଆରିରେ ହେବ । ୫ମ ପର୍ଯ୍ୟାୟ ମତଦାନ ମଣିପୁର ଓ ଉତ୍ତରପ୍ରଦେଶରେ ୨୭ ଫେବ୍ରୁଆରିରେ ହେବ । ଉତ୍ତରପ୍ରଦେଶରେ ୬ଷ୍ଠ ଓ ୭ମ ପର୍ଯ୍ୟାୟ ମତଦାନ ଯଥାକ୍ରମେ ମାର୍ଚ୍ଚ ୩ ଓ ମାର୍ଚ୍ଚ ୭ରେ ହେବ । ମାର୍ଚ୍ଚ ୧୦ରେ ଭୋଟ ଗଣତି ହେବ ।
ଏହି ୫ଟି ରାଜ୍ୟର ମୋଟ ୬୯୦ଟି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ସେଗୁଡ଼ିକ ମଧ୍ୟରୁ ଉତ୍ତରପ୍ରଦେଶରେ ସର୍ବାଧିକ ୪୦୩ଟି ଆସନ, ପଞ୍ଜାବର ୧୧୭ ଆସନ, ଉତ୍ତରାଖଣ୍ଡର ୭୦ ଆସନ, ମଣିପୁରର ୬୦, ଗୋଆର ୪୦ଟି ଆସନ ରହିଛି । ତେବେ ଏହି ନିର୍ବାଚନ ଶାସକ ବିଜେପି ଲାଗି ଖୁବ ଗୁରୁତ୍ବପୂର୍ଣ୍ଣ ରହିଛି। କାରଣ ପଞ୍ଜାବକୁ ଛାଡ଼ିଦେଲେ ଅନ୍ୟ ୪ ରାଜ୍ୟରେ ବିଜେପି ସରକାର ରହିଛି। ଏହି ସବୁ ରାଜ୍ୟରେ ବିଜେପି ପୁଣି କ୍ଷମତାକୁ ଆସିପାରୁଛି କି ନାହିଁ, ତା’ଉପରେ ସମସ୍ତଙ୍କର ନଜର ରହିଛି।
ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁଶୀଲ ଚନ୍ଦ୍ରା କହିଛନ୍ତି ଯେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆୟୋଗ କେନ୍ଦ୍ର ଗୃହ ମନ୍ତ୍ରାଳୟ, ସ୍ବାସ୍ଥ୍ୟ ମନ୍ତ୍ରାଳୟ, ରାଜ୍ୟମାନଙ୍କ ମୁଖ୍ୟ ଶାସନ ସଚିବ ଓ ସ୍ବାସ୍ଥ୍ୟ ସଚିବ, ଏବଂ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିବା ପରେ ସଂପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ନିର୍ବାଚନ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।