ଚଳିତ ବର୍ଷ ତାଳଚେର ମେଡିକାଲ କଲେଜରେ ନାମଲେଖା,ଆଗାମୀ ବର୍ଷ ଯାଜପୁର ଓ କଳାହାଣ୍ଡିରେ ଡାକ୍ତରୀ ଶିକ୍ଷା

ଭୁବନେଶ୍ୱର : ଚଳିତ ବର୍ଷ ଅକ୍ଟୋବର ମାସରେ କାର୍ଯ୍ୟକ୍ଷମ ହେବ ତାଳଚେର ମେଡିକାଲ କଲେଜ ଓ ହସ୍‌‌ପିଟାଲ। ଏହାର ଭିତ୍ତିଭୂମି ନିର୍ମାଣ ଶେଷ ହୋଇଛି ଏବଂ ଶିକ୍ଷାଦାନ ଓ ଚିକିତ୍ସା ପାଇଁ ଏହାକୁ ପ୍ରସ୍ତୁତ କରିବା ବାକି ଅଛି। ଏହାକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ଏବେ ଜାତୀୟ ମେଡିକାଲ ଆୟୋଗ (ଏନ୍‌‌ଏମ୍‌‌ସି) ନିକଟରେ ଆବେଦନ କରାଯିବ। ପ୍ରଥମ ପର୍ଯ୍ୟାୟରେ ମହାନଦୀ ଇନଷ୍ଟିଚ୍ୟୁଟ୍‌‌ ଅଫ୍‌‌ ମେଡିକାଲ ସାଇନ୍ସେସ୍‌‌ ଆଣ୍ଡ ରିସର୍ଚ୍ଚରେ ୧୦୦ ଜଣ ଛାତ୍ରଛାତ୍ରୀ ଡାକ୍ତରୀ ଶିକ୍ଷା ଲାଭ କରିବେ। ଗତବର୍ଷ ମେ’ ମାସରେ ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ କରିବା ପାଇଁ ଏମ୍‌‌ସିଏଲ୍‌‌ର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ପ୍ରଦାନ କରିଥିଲେ।

ସେହିପରି ଚଳିତ ବର୍ଷ କଳାହାଣ୍ଡି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବା ସମ୍ଭାବନା ଅଛି। ଏଥିପାଇଁ ଜାତୀୟ ମେଡିକାଲ ଆୟୋଗ (ଏନ୍‌‌ଏମ୍‌‌ସି) ଅନୁଧ୍ୟାନ ଶେଷ ହୋଇଛି। ସେହିପରି ଯାଜପୁର ଓ କଳାହାଣ୍ଡି ମେଡିକାଲ କଲେଜ କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଫେବୃଆରୀ ୧୪ ତାରିଖରେ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲର ଲୋକାର୍ପଣ କରାଯାଇଥିଲା। ତାଳଚେର ଓ କନ୍ଧମାଳ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ସରକାରୀ ମେଡିକାଲ କଲେଜ ସଂଖ୍ୟା ୧୨ରେ ପହଞ୍ଚିବ। ୨୦୩୦ ସୁଦ୍ଧା ରାଜ୍ୟରେ ଥିବା ସରକାରୀ ମେଡିକାଲ କଲେଜରେ ଆସନ ସଂଖ୍ୟା ୨୫୦୦ରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରହିଛି।

ତାଳଚେର ମେଡିକାଲ କଲେଜରେ ଭିତ୍ତିଭୂମି ପ୍ରସ୍ତୁତି ନେଇ ନିକଟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଲୋଚନା ହୋଇଛି। ଆସନ୍ତା ଅକ୍ଟୋବର ସୁଦ୍ଧା ଏହି ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ କରିବା ପାଇଁ ଲକ୍ଷ୍ୟ ରହିଛି। ଏହି ମେଡିକାଲ କଲେଜରେ ୩୩୦ ଶଯ୍ୟା ରହିବ ଏବଂ ଆଉ ଏକ ଡାକ୍ତରଖାନାର ୧୦୦ ଶଯ୍ୟା ଏହା ସହିତ ମିଶ୍ରଣ ହେବ। ଏହି ମେଡିକାଲ କଲେଜର ରକ୍ଷଣାବେକ୍ଷଣ ଦାୟିତ୍ୱ ମହାନଦୀ କୋଲ୍‌‌ ଫିଲ୍ଡସ୍‌‌ (ଏମ୍‌‌ସିଏଲ୍‌‌) ଉପରେ ନ୍ୟସ୍ତ କରାଯାଇଛି।

ସୂଚନା ଅନୁସାରେ ତାଳଚେର ମେଡିକାଲ କଲେଜରେ ଡାକ୍ତରଙ୍କ ନିଯୁକ୍ତି ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ। ଏଥିପାଇଁ ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ। ଏହି କମିଟିରେ ଡିଏମ୍‌‌ଇଟି, ଏମ୍‌‌ସିଏଲ୍‌‌ ପ୍ରତିନିଧି ସଦସ୍ୟ ରହିବେ। ମେଡିକାଲ କଲେଜ ପାଇଁ ଆବଶ୍ୟକ ଯନ୍ତ୍ରପାତି କ୍ରୟ, ମାନବ ସମ୍ବଳ ନିଯୁକ୍ତି ଉପରେ କମିଟି ନିଷ୍ପତ୍ତି ଗ୍ରହଣ କରିବ। ସେହିପରି ଡାକ୍ତରଙ୍କ ସମେତ ପାରାମେଡିକାଲ କର୍ମଚାରୀ, ବିଶେଷଜ୍ଞ ମାନଙ୍କୁ ନିଯୁକ୍ତି ପାଇଁ ପଦକ୍ଷେପ ନିଆଯିବ। ଏହି ମେଡିକାଲ କଲେଜର ନିର୍ମାଣ ପାଇଁ ରାଜ୍ୟ ସରକାର ୫୦୦ କୋଟି ଟଙ୍କା ମୂଲ୍ୟର ୨୦ ଏକର ଜମି ଅଧିଗ୍ରହଣ କରି ବିନା ମୂଲ୍ୟରେ ଏମ୍‌‌ସିଏଲ୍‌‌କୁ ଯୋଗାଇ ଦେଇଥିବା ବେଳେ ଭିତ୍ତିଭୂମି ନିର୍ମାଣ ପାଇଁ ଏମ୍‌‌ସିଏଲ୍‌‌ ପାଣ୍ଠି ଦେଇଛି। ୧୦୦ ଆସନ ବିଶିଷ୍ଟ ମେଡିକାଲ କଲେଜ ଓ ୫୦୦ ଶଯ୍ୟାର ଡାକ୍ତରଖାନା ପ୍ରତିଷ୍ଠା ପାଇଁ ୨୦୧୪ ମସିହାରେ ଏମ୍‌‌ସିଏଲ୍‌‌ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା।

ଏହି ମେଡିକାଲ କଲେଜର ପରିଚାଳନା ପାଇଁ ଏମ୍‌‌ସିଏଲ୍‌‌ କୌଣସି ସଂସ୍ଥାକୁ ଦାୟିତ୍ୱ ଦେବାର ଥିଲା। ଏଥିପାଇଁ ଏମ୍‌‌ସିଏଲ୍‌‌ ତିନି ଥର ଟେଣ୍ଡର ଆହ୍ୱାନ କରିଥିଲା। କିନ୍ତୁ ପରବର୍ତ୍ତି ଅବସ୍ଥାରେ ଏମ୍‌‌ସିଏଲ୍‌‌ ଏ ନେଇ ଅସହାୟତା ପ୍ରକାଶ କରିବା ସହିତ ଏହାର ଦାୟିତ୍ୱ ନେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲା। ପରେ ରାଜ୍ୟ ସରକାର ଏହାର ଦାୟିତ୍ୱ ନେବା ପାଇଁ ସହମତ ହୋଇଥିଲେ। ରାଜ୍ୟରେ ସମସ୍ତଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସ୍ୱାସ୍ଥ୍ୟ ବିଭାଗ ପଦକ୍ଷେପ ନେଉଛି। ନା କେବଳ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଉଛି ବରଂ ମୁଖ୍ୟା ଓ ଛୋଟ ଡାକ୍ତରଖାନାରେ ଭିତ୍ତିଭୂମି ନିର୍ମାଣ ଏବଂ ମାନବସମ୍ବଳ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି। ଚଳିତ ବର୍ଷ ୩୦୦ ଡାକ୍ତର ପଦବୀ ପୂରଣ ପାଇଁ ଓପିଏସ୍‌‌ସି ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଉ ୫ ହଜାର ଡାକ୍ତର ପଦବୀ ପାଇଁ ଅର୍ଥ ବିଭାଗ ପକ୍ଷରୁ ମଞ୍ଜୁରୀ ମିଳିଛି। ଚଳିତ ବର୍ଷ ପ୍ରାୟ ୯୦% ଏମ୍‌‌ବିବିଏସ୍‌‌ ଡାକ୍ତର ପଦବୀ ପୂରଣ କରିବା ନେଇ ଲକ୍ଷ୍ୟ ରହିଛି।

Leave a Reply

Your email address will not be published. Required fields are marked *