ଭୁବନେଶ୍ୱର: ସେପ୍ଟେମ୍ବର ମାସ ପାଇଁ ଆସିଲା ନୂଆ କରୋନା ଗାଇଡଲାଇନ । ଆସନ୍ତା ସେପ୍ଟେମ୍ବର ମାସ ପାଇଁ କରୋନା କଟକଣାକୁ କୋହଳ କରିଛନ୍ତି ରାଜ୍ୟ ସରକାର । ରାଜ୍ୟରୁ ସପ୍ତାହନ୍ତ ସଟଡାଉନ ହଟିବା ସହିତ ବଦଳିଛି ନାଇଟ୍ କର୍ଫ୍ୟୁର ସମୟ । ଆଜି ନୂଆ କୋଭିଡ ଗାଇଡଲାଇନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର । ନୂଆ ଗାଇଡଲାଇନ ଅନୁସାରେ କଟକଣା ସେପ୍ଟେମ୍ବର ୧ ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ବଳବତ୍ତର ରହିବ।
ସେହିପରି ନାଇଟ୍ କର୍ଫ୍ୟୁ ସମୟରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର। ପୂର୍ବରୁ ରାତି ୮ଟାରୁ ନାଇଟ୍ କର୍ଫ୍ୟୁ ଅବଧି ଆରମ୍ଭ ହେଉଥିବା ବେଳେ ଏହି ସମୟକୁ ରାତି ୧୦ଟାକୁ ଘୁଞ୍ଚାଇ ଦେଇଛନ୍ତି ସରକାର । ସୂଚନା ଅନୁସାରେ ପୌରାଞ୍ଚଳମାନଙ୍କରେ ରାତ୍ରୀକାଳୀନ କର୍ଫୁ ରାତି ୧୦ଟାରୁ ସକାଳ ୫ଯାଏଁ ବଳବତ୍ତର ରହିବ । ସକାଳ ୫ରୁ ରାତି ୧୦ ଭିତରେ ସମସ୍ତ ଶିଳ୍ପାନୁଷ୍ଠାନ, ଦେକାନ ବଜାର ଖୋଲା ରହିବ । ଧାର୍ମିକ, ରାଜେନୈତିକ ଓ ସାମାଜିକ ସମାବେଶ ଉପରେ କଟକଣା ପୂର୍ବଭଳି ଲାଗୁ ରହିବ । ପ୍ରଦର୍ଶନୀ, ବାଣିଜ୍ୟିକ ମହୋତ୍ସବ ବାରଣ କରାଯାଇଛି । ସମସ୍ତ ପ୍ରେକ୍ଷାଳୟ ଓ ସମ୍ମିଳନୀ କକ୍ଷରେ କୋଭିଡ ଗାଇଡଲାଇନ୍ ଜାରି ରହିବ । ବାହାଘର , ବ୍ରତଘର ଓ ଶେଷ୍ୟକୃତ ଆଦି କ୍ଷେତ୍ରରେ ୨୫୦ ଜଣ ଲୋକଙ୍କୁ ନେଇ କାର୍ଯ୍ୟ କରିପାରିବେ । କିନ୍ତୁ କୋଭିଡ ଗାଇଡଲାଇନ୍ କଡ଼ାକଡ଼ିଭାବେ ପାଳନ କରିବାକୁ ପଡ଼ିବ । ଏହାର ଉଲ୍ଲଘଂନ କରିବା ଧର୍ତ୍ତବ୍ୟ ଅପରାଧ ଭାବେ ବିବେଚିତ କରାଯିବ । ବିବାହ ଶୋଭାଯାତ୍ରା ୫୦ରୁ ଅଧିକ ଲୋକେ ସାମିଲ ହୋଇପାରିବେ ନାହିଁ ।
ଏହାସହିତ ରାଜ୍ୟର ସମସ୍ତ ସୂଚନା କେନ୍ଦ୍ର, ପାଠାଗାର ଆଦି ଖୋଲାରହିବ, ସେଠାକାର ଦାୟିତ୍ୱରେ ଥିବା ଲୋକେ କୋଭିଡ କଟକଣା ପାଳନ ପ୍ରତି ଧ୍ୟାନ ଦେବେ । ଫିଲ୍ମ ହଲ୍, ଅଡିଟୋରିୟମ୍ ଆଦି ସ୍ଥାନ ପାଇଁ କୋଭିଡ ନେଗେଟିଭ୍ ସାର୍ଟିଫିକେ୍ଟ କିମ୍ୱା ଟିକା ସାର୍ଟିଫିକେଟ ବାଧ୍ୟତାମୂଳକ ନୁହେଁ । ମାତ୍ର କୋଭିଡ ଗାଇଡଲାଇନ ପାଳନ ଦାୟିତ୍ୱ ହଲ୍, ମଲ୍ ମାଲିକ ବୁଝିବେ। ତେବେ ଆଗକୁ ଆସୁଥିବା ପୂଜା ପାର୍ବଣ ପାଇଁ ସେପ୍ଟେମ୍ୱର ୯ ତାରିଖରେ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରାଯିବ ।