ବାଲେଶ୍ଵର : ଅବକାରୀ ଚଢ଼ାଉରୁ ଜୀବନ ବିକଳରେ ନଈପାଣିକୁ ଡେଇଁ ପଡି ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣା ଅନୁସାରେ, ସୋମବାର ଅବକାରୀ ବିଭାଗର ଏକ ଟିମ୍ ଚୋରା ମଦ ରେଡ୍ କରୁଥିବା ବେଳେ 5 ଶହ ଲିଟର ମଦ ଜବତ ସହ ତିନି ଜଣକୁ ଗିରଫ କରିଥିଲା। ତେବେ ଏହି ଘଟଣାରେ ସଂପୃକ୍ତ ପୁରୁଣାବାଲେଶ୍ଵର ଅଞ୍ଚଳର ସପନ ମାଝୀ ନାମକ ଯୁବକ ଗିରଫ ହେବା ଭୟରେ ନାଳକୁ ଡେଇଁ ପଡ଼ିଥିଲେ। ମାତ୍ର ପ୍ରଖର ସ୍ରୋତରେ ଯୁବକ ଭାସି ଯାଇଥିବା ବେଳେ ବହୁ ଖୋଜା ଖୋଜି ପରେ ମିଳି ନଥିଲେ। ସନ୍ଧ୍ୟାରେ ଯୁବକଙ୍କ ମୃତଦେହ କଳା ମାଟିଆ ପାହି ଅଞ୍ଚଳରୁ ଉଦ୍ଧାର ହୋଇଥିଲା। ତେବେ ଯୁବକଙ୍କ ମୃତ୍ୟୁ କୁ ନେଇ ପୁରୁଣା ବାଲେଶ୍ଵର ଅଞ୍ଚଳରେ ଉତ୍ତେଜନା ଲାଗି ରହିବା ସହ ଲୋକମାନେ ଟାୟାର ଜାଳି ରାସ୍ତାରୋକ କରିଥିଲେ।
ଘଟଣାସ୍ଥଳରେ ପୋଲିସ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ମାତ୍ର ପୁଣି କିଛି ସମୟ ପରେ ଅଶାନ୍ତ ଲୋକମାନେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଟାୟାର ଜାଳି ରାସ୍ତାରୋକ କରି 10 ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଥିଲେ। ଶେଷରେ 10 ହଜାର ଟଙ୍କାର କ୍ଷତିପୂରଣ ପ୍ରତିଶୃତି ପରେ ରାସ୍ତାରୋକ ହଟିଥିଲା। ତେବେ ଚୋରା ମଦ ବେପାରୀ ଗିରଫ ଭୟରେ ନାଳକୁ ଡେଇଁ ଏକପ୍ରକାର ଆତ୍ମହତ୍ୟା କରିଥିବା ବେଳେ ଏମିତି ଡ୍ରାମା କରି ପ୍ରଶାସନକୁ ଦବେଇବା ଭଳି ଏକ ପ୍ରୟାସ କରାଯାଇଥିବା ଲୋକମାନେ ଆଲୋଚନା କରୁଛନ୍ତି