ଏପ୍ରିଲ ପହିଲାରେ ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା,ଓଡ଼ିଶାରୁ ଯୋଗଦେବେ ୨୬୦୦୦ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ।

ନୂଆଦିଲ୍ଲୀ :  ଆସନ୍ତା ଏପ୍ରିଲ ୧ ତାରିଖ ପୂର୍ବାହ୍ନ ୧୧ଟାରେ ନୂଆଦିଲ୍ଲୀର ତାଲକଟୋରା ଷ୍ଟାଡ଼ିୟମରେ ‘ପରୀକ୍ଷା ପେ ଚର୍ଚ୍ଚା’ର ପଂଚମ ସଂସ୍କରଣ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ସହିତ ମତ ବିନିମୟ କରିବେ।  ସୋମବାର ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ।
ଚାପମୁକ୍ତ ପରୀକ୍ଷା ପାଇଁ ‘ପରୀକ୍ଷା ପେ ଚର୍ଚ୍ଚା’କୁ ଏକ ଜନଆନ୍ଦୋଳନର ରୂପ ଦେବାକୁ ସେ ଆହ୍ୱାନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଯୁବପିଢ଼ିଙ୍କ ବହୁ ପ୍ରତୀକ୍ଷିତ ଏହି ବାର୍ଷିକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ଦିନରେ ହେବାକୁ ଥିବା ବୋର୍ଡ ଓ ପ୍ରବେଶିକା ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପୂର୍ବରୁ ଚାପମୁକ୍ତ ହେବା ଦିଗରେ ପରାମର୍ଶ ଦେବେ । କୋଭିଡ୍ କଟକଣା କାରଣରୁ କେବଳ ଦିଲ୍ଲୀ ଏନସିଆର, ଉତ୍ତରପ୍ରଦେଶ ଏବଂ ହରିୟାଣାର ୧ ହଜାର ଛାତ୍ରଛାତ୍ରୀଙ୍କୁ ତାଲକଟୋରା ଷ୍ଟାଡ଼ିୟମରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ନିମନ୍ତ୍ରଣ କରାଯାଇଛି । ଚଳିତ ଥର ପ୍ରଥମ ଥର ପାଇଁ ସବୁ ରାଜଭବନରେ ରାଜ୍ୟପାଳଙ୍କ ସହ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଏହି କାର୍ଯ୍ୟକ୍ରମକୁ ଦେଖିବାର କାର୍ଯ୍ୟକ୍ରମ ରହିଛି ।

ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ସବୁ ଅନୁଷ୍ଠାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନରେ ଥିବା ବିଭିନ୍ନ ଅନୁଷ୍ଠାନ, ନର୍ସିଂ ସ୍କୁଲ ତଥା ଭାରତ ସରକାରଙ୍କ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ‘ପରୀକ୍ଷା ପେ ଚର୍ଚ୍ଚା’ ଆୟୋଜନ କରାଯିବାର ମଧ୍ୟ ଯୋଜନା ରହିଛି । ବିଦେଶରୁ ମଧ୍ୟ ଭର୍ଚ୍ଚୁଆଲ ମାଧ୍ୟମରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଯୋଡିହେବେ । କାର୍ଯ୍ୟକ୍ରମରେ ଓଡ଼ିଶାରୁ ପ୍ରାୟ ୨୬,୦୦୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ, ୪୯୮୬ ଶିକ୍ଷକଶିକ୍ଷୟିତ୍ରୀ ଓ ୧୨୨୩ ଅଭିଭାବକ ଯୋଗଦେବେ ପରୀକ୍ଷା ପେ ଚର୍ଚ୍ଚା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନିଆଯାଇଥିବା ଏକ ଅଭିନବ କାର୍ଯ୍ୟକ୍ରମ ।

ପରୀକ୍ଷା ଶୁଣିବା ମାତ୍ର ଛାତ୍ରଛାତ୍ରୀଙ୍କ ମନରେ ଭୟ ଆସେ । ଏହି କାର୍ଯ୍ୟକ୍ରମ ଦ୍ୱାରାଛାତ୍ରଛାତ୍ରୀମାନେ ପରୀକ୍ଷାର ଚାପରୁ ମୁକ୍ତ ହେବେ ଓ ସଫଳତାର ମନ୍ତ୍ର ପାଇପାରିବେ । ଏହି କାର୍ଯ୍ୟକ୍ରମ ନୂଆପିଢ଼ିଙ୍କ ଆତ୍ମବିଶ୍ୱାସକୁ ବଢ଼ାଇବ । ଏହି କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ତଥା ସମାଜର ସବୁ ଶ୍ରେଣୀର ସହଯୋଗ ଲୋଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀପ୍ରଧାନ। ଏହି କାର୍ଯ୍ୟକ୍ରମ ଦୂରଦର୍ଶନ, ରେଡ଼ିଓ ଚ୍ୟାନେଲ, ବିଭିନ୍ନ ଟିଭି ଚ୍ୟାନେଲ ସମେତ, ଶିକ୍ଷା ମନ୍ତ୍ରଣାଳୟ, ନରେନ୍ଦ୍ର ମୋଦୀ, ପିଏମଓ ଇଣ୍ଡିଆ, ପିଆଇବି ଇଣ୍ଡିଆ ଭଳି ଡ଼ିଜିଟାଲ ପ୍ଲାଟଫର୍ମ ତଥା ୟୁଟ୍ୟୁବ ଚ୍ୟାନେଲ ସମେତ ଦୂରଦର୍ଶନ ନ୍ୟାସନାଲ, ଡ଼ିଡି ନ୍ୟୁଜ୍‌, ମାଇ ଗଭ.ଇଣ୍ଡିଆ, ସଂସଦ ଟିଭି ଏବଂ ସ୍ୱୟଂପ୍ରଭାରେ ସିଧାସଳଖ ପ୍ରସାରଣ କରାଯିବ ।

Leave a Reply

Your email address will not be published. Required fields are marked *